କେନ୍ଦ୍ରାପଡ଼ା ଅର୍ବାନ୍ ବ୍ୟାଙ୍କ୍‌ ଦୁର୍ନୀତି : ଦୋଷ ମାନିଲେ ନିର୍ଦେଶକ

‘ଜାଲିଆତି ଜାତୀୟ ବ୍ୟାଙ୍କ୍‌ରେ ହଉଛି; ଆମର ବି ହେଇଛି’, ଅବଗତ ଅଛି; କାର୍ଯ୍ୟାନୁଷ୍ଠାନ ହେବ: ମନ୍ତ୍ରୀ

କେନ୍ଦ୍ରାପଡ଼ା : ‘ନିର୍ବାଚିତ ପ୍ରତିନିଧିଙ୍କ ଦ୍ବାରା ଏହି ବ୍ୟାଙ୍କ ପରିଚାଳିତ ହେଉଛି। କେତେକ କ୍ଷେତ୍ରରେ ତ୍ରୁଟି ବିଚ୍ୟୁତି, ବ୍ୟତିକ୍ରମ ଘଟିବା ସ୍ବାଭାବିକ କଥା। ଅନେକ ଜାତୀୟ ବ୍ୟାଙ୍କ୍‌ରେ ବି ଋଣ ପ୍ରଦାନରେ ଜାଲିଆତି ହେଉଛି। ଆମର ବି ହୋଇଛି। ତାହାକୁ ଆମେ ଅସ୍ବୀକାର କରୁନାହୁଁ।’-କେନ୍ଦ୍ରାପଡ଼ା ଅର୍ବାନ୍ କୋ-ଅପରେଟିଭ୍ ବ୍ୟାଙ୍କ୍‌ କେଳେଙ୍କାରୀ ମାମଲାରେ ସ୍ପଷ୍ଟୀକରଣ ରଖିବାକୁ ଯାଇ ଆଜି ଏଭଳି ଢଙ୍ଗରେ ଦୋଷ ସ୍ବୀକାର କରିଛନ୍ତି ବ୍ୟାଙ୍କ ପରିଚାଳନା ପରିଷଦର ନିର୍ଦେଶକ ଫକୀର ଚରଣ ଖଟୁଆ। ବ୍ୟାଙ୍କ ପରିଚାଳନା ପରିଷଦର କିଛି ସଦସ୍ୟଙ୍କ ପକ୍ଷରୁ ଡକାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ନିର୍ଦେଶକ ଶ୍ରୀ ଖଟୁଆଙ୍କ ଏପ୍ରକାର ସ୍ବୀକାରୋକ୍ତି ଗୋଟିଏପଟେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଅନ୍ୟପଟେ କେନ୍ଦ୍ରାପଡ଼ା ଗସ୍ତରେ ଆସିଥିବା ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଗଣମାଧ୍ୟମକୁ କହିଛନ୍ତି ଯେ ଅର୍ବାନ୍‌ ବ୍ୟାଙ୍କ୍‌ ଦୁର୍ନୀତି ସଂପର୍କରେ ସେ ଭଲଭାବେ ଅବଗତ ଅଛନ୍ତି। ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଉଲ୍ଲେଖଯୋଗ୍ୟ, କେନ୍ଦ୍ରାପଡ଼ା ଅର୍ବାନ୍ ବ୍ୟାଙ୍କ୍‌ରେ ବେଆଇନ ନିଯୁକ୍ତିଠୁ ଋଣ ପ୍ରଦାନରେ ହୋଇଥିବା ବ୍ୟାପକ ଜାଲିଆତି ନେଇ ‘ସମ୍ବାଦ’ରେ ଲଗାତର ଖବର ପ୍ରକାଶ ପାଇବା ପରେ ଆଜି ବ୍ୟାଙ୍କ୍‌ ପରିଚାଳନା ପରିଷଦର କିଛି ସଦସ୍ୟଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା। ଗଣମାଧ୍ୟମରେ ପ୍ରକାଶିତ ଖବର ଉପରେ ସ୍ପଷ୍ଟୀକରଣ ଦେବା ପାଇଁ ଡକାଯାଇଥିବା ଏହି ସମ୍ମିଳନୀରେ ନିର୍ଦେଶକ ଶ୍ରୀ ଖଟୁଆ ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବ୍ୟାଙ୍କ୍‌ରେ ତ୍ରୁଟି ବିଚ୍ୟୁତି, ଜାଲିଆତି ଓ ଦୁର୍ନୀତି ଘଟଣାକୁ ସ୍ବୀକାର କରିଥିଲେ। କହିଥିଲେ, ବ୍ୟାଙ୍କ୍‌ର ବେଆଇନ ନିଯୁକ୍ତି ଓ ଋଣ ଜାଲିଆତିକୁ ନେଇ ଯେଉଁ ଅଭିଯୋଗ ହୋଇଥିଲା, ତା’ର ତଦନ୍ତ ଡେପୁଟି ରେଜିଷ୍ଟ୍ରାର୍ କରିଛନ୍ତି। କିନ୍ତୁ ତଦନ୍ତ ରିପୋର୍ଟ ଏଯାଏ ମିଳି ନାହିଁ। ମାତ୍ର ବ୍ୟାଙ୍କ୍‌ କାର୍ଯ୍ୟକଳାପ ଓ ଋଣ ପ୍ରଦାନରେ ତ୍ରୁଟି ବିଚ୍ୟୁତି ଥାଇପାରେ, ଯାହାକୁ ଦୁର୍ନୀତି ବୋଲି କୁହାଯାଉଛି। କିନ୍ତୁ ଏ ଦୁର୍ନୀତି କେହି ଉଦ୍ଦେଶ୍ୟମୂଳକ ଭାବେ କରିଥିବା ପରିଚାଳନା ପରିଷଦ ନଜରକୁ ଆସିନାହିଁ। କିଛି କ୍ଷେତ୍ରରେ ଯେଉଁ ତ୍ରୁଟି ବିଚ୍ୟୁତି ହୋଇଛି; ଅତୀତରେ ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ବି ଗ୍ରହଣ କରାଯାଇଛି। ସ୍ବର୍ଗତ ଭାଗବତ ପ୍ରସାଦ ମହାନ୍ତି ସଭାପତି ଥିବା ବେଳେ ଅନେକ କର୍ମଚାରୀଙ୍କ ଦରମା ଓ ପଦୋନ୍ନତି ବନ୍ଦ ସହ ଚାକିରିରୁ ବହିଷ୍କାର କରିଥିବା ଶ୍ରୀ ଖଟୁଆ ସଫେଇ ଦେଇଛନ୍ତି।

ବେଆଇନ ନିଯୁକ୍ତି ଉପରେ ଯୁକ୍ତି ବାଢ଼ି ଶ୍ରୀ ଖଟୁଆ କହିଛନ୍ତି, ବ୍ୟାଙ୍କ୍‌ର କିଛି କର୍ମଚାରୀ ଅବସର ନେବା ଏବଂ ଆଗାମୀ ଦିନରେ କିଛି କର୍ମଚାରୀ ଅବସର ନେବାକୁ ଥିବାରୁ ପଦବି ପୂରଣ ପାଇଁ ପରିଚାଳନା ପରିଷଦର ଅନୁମୋଦନ କ୍ରମେ ସଭାପତି କର୍ମଚାରୀ ନିଯୁକ୍ତି ପାଇଁ ରେଜିଷ୍ଟ୍ରାର୍‌ଙ୍କୁ ଅନୁମତି ମାଗିଥିଲେ। କିନ୍ତୁ ଏଥିରେ ବିଳମ୍ବ ହେବାରୁ ଏବଂ ବ୍ୟାଙ୍କ୍‌ରେ ଅଚଳାବସ୍ଥା ସୃଷ୍ଟି ହେବାରୁ ପରିଚାଳନା ପରିଷଦର ସର୍ବସମ୍ମତି ପ୍ରସ୍ତାବ କ୍ରମେ ସଭାପତିଙ୍କୁ କର୍ମଚାରୀ ନିଯୁକ୍ତି ପାଇଁ କ୍ଷମତା ପ୍ରଦାନ କରାଯାଇଥିଲା। ସେହି ଦୃଷ୍ଟିରୁ କିଛି ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇଛି। ଏହା ସଂପୂର୍ଣ୍ଣ ଠିକା ଏବଂ ଅସ୍ଥାୟୀ ନିଯୁକ୍ତି। କି ନ୍ତୁ ଯେହେତୁ ରେଜିଷ୍ଟ୍ରାର୍‌ଙ୍କ ଅନୁମତି ନ ଥିଲା, ତେଣୁ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ କରାଯାଇ ନଥିଲା। ତିନି ନିର୍ଦେଶକଙ୍କ ପିଲାଙ୍କୁ ଏହି ପ୍ରକ୍ରିୟାରେ ନିଯୁକ୍ତି ଦିଆଯାଇଛି ସତ କିନ୍ତୁ ଯୋଗ୍ୟତାକୁ ଆଧାର କରି। ସଭାପତି ପ୍ରତ୍ୟେକ ପ୍ରାର୍ଥୀଙ୍କ ଯୋଗ୍ୟତାକୁ ଦେଖି ନିଯୁକ୍ତି ଦେଇଥିବା ଶ୍ରୀ ଖଟୁଆ କହିଛନ୍ତି।

ଅନ୍ୟତମ ନିର୍ଦେଶକ ଆକବର ଅଲ୍ଲୀ କହିଛନ୍ତି ଯେ, ପୁରୀ ଅର୍ବାନ୍ ବ୍ୟାଙ୍କ୍‌ରେ ୨ଟି ଶାଖା ପାଇଁ ୫୨ଜଣ କର୍ମଚାରୀ ଅଛନ୍ତି। ହେଲେ କେନ୍ଦ୍ରାପଡ଼ାରେ ୬ଟି ଶାଖା ପାଇଁ ମାତ୍ର ୮୦ଜଣ କର୍ମଚାରୀ ଅଛନ୍ତି। ଅଧିକ କର୍ମଚାରୀ ନିଯୁକ୍ତି ପାଇଁ ରେଜିଷ୍ଟ୍ରାର୍‌ଙ୍କୁ ଚିଠି ଲେଖାଯାଇଥିଲା। ମାତ୍ର ସେ ନେ ଦେବାରୁ ପରିଚାଳନା ପରିଷଦର ଅନୁମୋଦନ କ୍ରମେ ଅସ୍ଥାୟୀ ଭାବେ କାମ ଚଳେଇ ନେବା ପାଇଁ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। କୌଣସି ପ୍ରକାର ଅନିୟମିତତା ହୋଇନାହିଁ। ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସିଇଓ ସୁଶିଲ ସାମଲ, ଉପସଭ‌ାନେତ୍ରୀ ଅଜୟଲକ୍ଷ୍ମୀ ସାହୁ, ନିର୍ଦେଶକ ମହେନ୍ଦ୍ର କୁମାର ପରିଡ଼ା, ସର୍ବେଶ୍ବର ସେଠୀ, ଅପର୍ଣ୍ଣା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର