କେନ୍ଦ୍ରାପଡ଼ା ଅର୍ବାନ ବ୍ୟାଙ୍କ୍‌ କେଳେଙ୍କାରୀ : ଆଗ ଦେଲେ ଋଣ; ପରେ ରଖିଲେ ଜମାନତ

ଫାଇଲ୍‌ରେ ଜାଲିଆତି କରି ଦେଇ ଦେଲେ ଅଧ କୋଟି, ଚେକ୍ ବାଉନ୍ସ ପରେ ବି ମାମଲା ପାଇଁ ପଛଘୁଞ୍ଚା

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଅର୍ବାନ୍ କୋ-ଅପରେଟିଭ୍ ବ୍ୟାଙ୍କ୍‌ରେ ବେଆଇନ ନିଯୁକ୍ତି ସାଙ୍ଗକୁ ଋଣ ପ୍ରଦାନରେ ସାଂଘାତିକ ଅନିୟମିତତା ସାମ୍‌ନାକୁ ଆସିଛି। ସବୁ ନୀତି ନିୟମକୁ ଜଳାଞ୍ଜଳି ଦେଇ କୌଣସି ପ୍ରକାର ବଂଧକ ଅଥବା ଜମାନତ ନ ରଖି ଜଣେ ଠିକାଦାରଙ୍କୁ ଅଧ କୋଟି ଟଙ୍କା ଋଣ ଦେଇ ଦିଆଯାଇଛି। କେବଳ ସେତିକି ନୁହେଁ, ଋଣ ପରିଶୋଧରେ ଖିଲାପ ତଥା ବାରମ୍ବାର ଚେକ୍ ବାଉନ୍ସ କରିବା ପରେ ବି ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଠିକଣା ସମୟରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଖୋଦ୍‌ ତଦନ୍ତ ଅଧିକାରୀ ବି ଋଣ ପ୍ରଦାନ ସମୟରେ ସର୍ବନିମ୍ନ ନିୟମ ଅନୁସୃତ ହେଉନଥିବା ଦେଖି ଚକିତ ହେବା ସହ ଏଥିପାଇଁ ବ୍ୟାଙ୍କ୍‌ ମୁଖ୍ୟ ନିର୍ବାହୀ ଅଧିକାରୀ(ସିଇଓ) ସୁଶୀଲ କୁମାର ସାମଲଙ୍କୁ ଦାୟୀ କରିଛନ୍ତି। ତା’ ସହିତ ସଂପୃକ୍ତ ଋଣ ଖିଲାପିଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବା ପାଇଁ ନିର୍ଦେଶ ଦେଇଛନ୍ତି।

ନିୟମାନୁଯାୟୀ ଆଗେ ବଂଧକ (ମଡଗେଜ୍‌) ଅଥବା ଜମାନତ ଦାଖଲ କରିବା ପରେ ବ୍ୟାଙ୍କ୍‌ ଋଣ ଦେଇଥାଏ। କିନ୍ତୁ ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ଠିକାଦାର ପ୍ରଭାସ ଚନ୍ଦ୍ର ମିଶ୍ରଙ୍କୁ ଅହେତୁକ ଅନୁକଂପା ଦେଖାଇ ୫୦ଲକ୍ଷ ଟଙ୍କା ଋଣ ଦେଇଛନ୍ତି। ଋଣ ଦେବାର ଦେଢ଼ ବର୍ଷରୁ ଅଧିକ ଦିନ ପରେ ତାଙ୍କଠାରୁ ବଂଧକ ରଖାଯାଇଥିବା ତଦନ୍ତ ରିପୋର୍ଟରେ ଉଲ୍ଲେଖ ରହିଛି।

ରିପୋର୍ଟ ମୁତାବକ ଠିକାଦାର ଶ୍ରୀ ମିଶ୍ର ୨୦୧୨, ଡିସେମ୍ବର ୩ ତାରିଖରେ ବ୍ୟବସାୟ ପାଇଁ ୩୫ ଲକ୍ଷ ଟଙ୍କା ଋଣ ଅ‌ାବେଦନ କରିଥିଲେ। ତଦନୁଯାୟୀ, ଅର୍ବାନ୍ ବ୍ୟାଙ୍କ୍‌ର ମୁଖ୍ୟ ଶାଖାର ଫିଲ୍‌ଡ ଅଫିସର୍‌ ୨୦୧୩, ଜାନୁଆରୀ ୭ତାରିଖରେ ଋଣ ଦେବା ପୂର୍ବରୁ ଆବେଦନକାରୀଙ୍କଠାରୁ ଆବଶ୍ୟକ ସିକୁରିଟି ନେବାର ସର୍ତ୍ତ ରଖିବାକୁ କହିଥିଲେ। ମାତ୍ର ଶ୍ରୀ ମିଶ୍ର ପୂର୍ବରୁ ଏକ କାର୍‌ ଋଣ ନେଇଥିବା ବେଳେ ଏହାର ପରିଶୋଧ ସନ୍ତୋଷଜନକ ନ ଥିବା ଏବଂ ତାଙ୍କ ମା’ଙ୍କ ନାମରେ ୨୨ଲକ୍ଷ ଟଙ୍କାର ଋଣ ଆହ୍ଲାବାଦ୍ ବ୍ୟାଙ୍କ୍‌ରେ ଥିବା ଦର୍ଶାଇ ବ୍ରାଞ୍ଚ ମ୍ୟାନେଜର୍‌ ବା ଶାଖା ପରିଚାଳକ ଏହି ପ୍ରସ୍ତାବକୁ ସିଇଓଙ୍କ ପାଖକୁ ପଠାଇ ଦେଇଥିଲେ। ଏତେ ଟଙ୍କାର ଋଣ ପାଇଁ ଶ୍ରୀ ମିଶ୍ରଙ୍କ ପରିବାରର ସ୍ବଚ୍ଛଳତାକୁ ନେଇ ମଧ୍ୟ ରିପୋର୍ଟରେ ଆଶଙ୍କା ପ୍ରକଟ କରାଯାଇଥିଲା। କିନ୍ତୁ ବ୍ୟାଙ୍କର ସିଇଓ ୩୫ ଲକ୍ଷ ଟଙ୍କାର ଋଣ ଦେବା ପାଇଁ ରାଜି ହେବା ସହ ଶ୍ରୀ ମିଶ୍ରଙ୍କଠାରୁ ଏ ବାବଦରେ ୫୦ଲକ୍ଷ ଟଙ୍କାର ସିକ୍ୟୁରିଟି ରଖିବା ପାଇଁ କହିଥିଲେ। କିନ୍ତୁ ସଭାପତିଙ୍କ ନିକଟକୁ ଫାଇଲ୍‌ ଯିବା ପରେ ଋଣ ପରିମାଣ ୩୫ଲକ୍ଷରୁ ବଢ଼ି ୫୦ଲକ୍ଷ ହୋଇଥିଲା ଏବଂ ୨୦୧୩, ଜାନୁଆରି ୧୫ତାରିଖରେ ଏହାକୁ ସେ ଅନୁମୋଦନ କରିଥିଲେ। ଏହି କ୍ରମରେ ଶ୍ରୀ ମିଶ୍ର ୨୦୧୩, ଫେବ୍ରୁଆରି ୪, ମାର୍ଚ୍ଚ ୨୦ ଓ ଡ‌ିସେମ୍ବର ୧୧ତାରିଖରେ ତିନି କିସ୍ତିରେ ଯଥାକ୍ରମେ ୨୫, ୧୦ ଓ ୧୫ଲକ୍ଷ କରି ମୋଟ ୫୦ ଲକ୍ଷ ଟଙ୍କା ଉଠାଇଥିଲେ। କିନ୍ତୁ ପରବର୍ତୀ ସମୟରେ ଋଣ ପରିଶୋଧ ପାଇଁ ସେ ଯେଉଁ ଦୁଇଟି ଚେକ୍ ଦେଇଛନ୍ତି, ତାହା ବାଉନ୍ସ ହୋଇଛି। ୨୦୧୮,  ଅଗଷ୍ଟ ୧୦ ତାରିଖରେ ଦେଇଥିବା ୩୦ଲକ୍ଷ ଟଙ୍କାର ଚେକ୍ ୧୬ତାରିଖରେ ବାଉନ୍ସ ହୋଇଥିବା ବେଳେ ୧୫ଲକ୍ଷ ଟଙ୍କାର ଦ୍ବିତୀୟ ଚେକ୍ ୨୦୧୯, ସେପ୍ଟେମ୍ବର ୨୩ରେ ଗ୍ରହଣ ହୋଇଛି। ହେଲେ ଠିକ ପରଦିନ ଉକ୍ତ ଚେକ୍ ବାଉନ୍ସ ହୋଇଛି। ତଦନ୍ତ ଅଧିକାରୀ ଏହି ଋଣ ପ୍ରଦାନ ଏବଂ ଚେକ୍ ବାଉନ୍ସକୁ ଅତି ଗୁରୁତର ସହ ନେଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ସିଇଓ ଶ୍ରୀ ସାମଲ କହିଛନ୍ତି ଶ୍ରୀ ମିଶ୍ରଙ୍କ ବିରୋଧରେ ଏନ୍‌ଆଇଟି ଆକ୍ଟ ୧୩୮ରେ ମାମଲା ରୁଜୁ ହୋଇଛି। ସଂପତ୍ତି ବି ଆଟାଚ୍ କରାଯାଇଛି। ତଦନ୍ତ ପୂର୍ବରୁ ଏସବୁ କାମ କରାଯାଇଥିବା ଶ୍ରୀ ସାମଲ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର