‘ମନ୍‌ କି ବାତ୍‌’ରେ କେନ୍ଦ୍ରାପଡ଼ା ମହିଳା: କମଳାଙ୍କ କଳାକୃତିକୁ ମୋଦୀଙ୍କ ସାବାସି

ବର୍ଜ୍ୟବସ୍ତୁରୁ ତିଆରି କରୁଛନ୍ତି ଘରକରଣା ସାମଗ୍ରୀ

କେନ୍ଦ୍ରାପଡ଼ା : ଲୋକମାନେ ଯାହାକୁ ଅଦରକାରୀ ଭାବି ପିଙ୍ଗି ଦେଉଥିଲେ, ତାହାକୁ ସେ ଦରକାରୀ ଭାବି ଗୋଟାଇ ଆଣି ଘରକରଣା ସାମଗ୍ରୀ ତିଆରି କରୁଥିଲେ। ଆଉ ତାଙ୍କରି ଏହି କଳାକୃତି ପାଇଁ ଆଜି ସେ କେବଳ ରାଜ୍ୟ କାହିଁକି, ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘ମନ କି ବାତ୍‌ କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ାର ଏହି ପ୍ରତିଭାବାନ୍‌ ମହିଳାଙ୍କ କାର୍ଯ୍ୟକୁ ଭୂୟଶୀ ପ୍ରଶ˚ସା କରିଛନ୍ତି। ଛିଣ୍ତା ଜରି ଭଳି ବର୍ଜ୍ୟବସ୍ତୁରୁ ଘରକରଣା ତଥା ସାଜସଜ୍ଜା ତିଆରି କରି ପରିବେଶ ସୁରକ୍ଷାର ବାର୍ତ୍ତା ଦେଉଥିବା ଏହି ବୃଦ୍ଧା ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ବ୍ଲକ୍‌ ଗୁଲନଗର ପଞ୍ଚାୟତ ଖଇରାବାଦ୍‌ ଗ୍ରାମର କମଳା ମହାରଣା(୬୩)। ମାତ୍ର ଦ୍ବିତୀୟ ଶ୍ରେଣୀ ଯାଏ ପାଠ ପଢ଼ିଛନ୍ତି। କିନ୍ତୁ ଅଦରକାରୀ ବର୍ଜ୍ୟବସ୍ତୁରୁ ଯେ ମନଲାଖି ଘରକରଣା ସାମଗ୍ରୀ ତିଆରି କରାଯାଇ ବଜାରରେ ବିକ୍ରି କରାଯାଇପାରିବ, ତାହା ସେ ପ୍ରମାଣ କରି ଦେଖାଇଛନ୍ତି। ତାଙ୍କର ଏହି ନିରବ ସାଧନାକୁ ଖୋଦ୍‌ ପ୍ରଧାନମନ୍ତ୍ରୀ ସ୍ବୀକୃତି ଦେବା ସହିତ ପରିବେଶ ସ୍ବଚ୍ଛତା ସହିତ ଅର୍ଥ ଉପାର୍ଜନ ଉଦ୍ୟମକୁ ପ୍ରଶ˚ସା ନ କରି ରହିପାରିନାହାନ୍ତି।

କମଳାଙ୍କ ପରିବାର କହିଲେ ସ୍ବାମୀ, ପାଞ୍ଚ ଝିଅ ଏବ˚ ଗୋଟିଏ ପୁଅ। କୌଳିକ ବୃତ୍ତି ଅନୁସାରେ ସ୍ବାମୀ ବିଜୟ ମହାରଣା ବଢେ଼ଇ କାମ କରନ୍ତି। ପୁଅ ବି ପିତାଙ୍କ ପନ୍ଥା ଅନୁସରଣ କରି ସେହି କାମରେ ନିୟୋଜିତ। ସବୁ ପିଲା ବିବାହିତ। ଘରେ ସ୍ବାମୀ ଓ ପୁଅ ଯେତେବେଳେ କାଠ କାମ କରନ୍ତି; କମଳା ସମୟ ପାଇଲେ ତାଙ୍କ କାମରେ ଲାଗି ପଡ଼ନ୍ତି। ଏଥିପାଇଁ ତାଙ୍କୁ ବହୁ କସରତ୍‌ କରିବାକୁ ପଡ଼ିଥାଏ। ଲୋକମାନେ ବ୍ୟବହାର କରି ଫିଙ୍ଗି ଦେଇଥିବା କୁର୍‌କୁରେ, ଅମୁଲ, ସର୍ଫ, ଅଟା ଓ ତେଲ ଆଦି ପ୍ୟାକେଟ୍‌କୁ କମଳା ସ˚ଗ୍ରହ କରନ୍ତି। ଲୁଚିଲୁଚି ଅଳିଆ ଗଦାରୁ ସେ ଏହି ଜରି ସାଉଁଟନ୍ତି। ସ୍ବାମୀ ଓ ପିଲାମାନେ ବି ତାଙ୍କୁ ଏ କାର୍ଯ୍ୟରେ ସହଯୋଗ କରନ୍ତି। ଜରି ସ˚ଗ୍ରହ କରି ଆଣିବା ପରେ ତାହାକୁ ଭଲ ଭାବେ ସଫା କରି କଇଁଚିରେ କାଟି ଦିଆଯାଏ। ବେରୁଆଁ, କାଇଁଚ ଓ ନଡ଼ିଆ ଖରିକା ସାହାଯ୍ୟରେ ଏହି କଟା ଜରିକୁ ଏଭଳି ଢଙ୍ଗରେ କମଳା ବୁଣି ପାଚିଆ, ଡାଲା, କାନ୍ଥଟଙ୍ଗା ଫୁଲ, ବିଞ୍ଚଣା, ବଡ଼ି ପରା ଝାମ୍ପି ଆଦି ଭଳିକି ଭଳି ମନଲାଖି ଜିନିଷ ତିଆରି କରନ୍ତି, ତାହା ବେଶ୍‌ ଆକର୍ଷଣୀୟ ହୋଇଥାଏ। ପଚାଶରୁ ପାଞ୍ଚ ଶହ ଟଙ୍କା ପର୍ଯ୍ୟନ୍ତ ଏହାର ଦାମ ରହେ। ୨୦୧୫ମସିହାରୁ ସେ ଏହି କାମ କରି ଆସୁଛନ୍ତି। ଏହା ପୂର୍ବରୁ ସେ ସମୟ ପାଇଲେ ଖଜୁରି, ତାଳ ଓ ନଡ଼ିଆ ପତ୍ରରେ ଚଟ, ସପ ବୁଣାବୁଣି କରୁଥିଲେ। ହେଁସ, ଶିକା ବି ମଝିରେ ମଝିରେ ତିଆରି କରୁଥିଲେ। ତାହା ଅବଶ୍ୟ ଘର ପାଇଁ ବନାଉଥିଲେ।

ପ୍ରଧାନମନ୍ତ୍ରୀଙ୍କ ପ୍ରଶ˚ସା ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ତାଙ୍କ ପରିଶ୍ରମକୁ ସ୍ବୀକୃତି ମିଳିଛି। ମୋଦି ମୋ ପାଇଁ ଭଗବାନ ସଦୃଶ। ଯେତେବେଳେ ଏ କାମ ଆରମ୍ଭ କରିଥିଲି, ବହୁ କଥା ଶୁଣିବାକୁ ପଡ଼ିଥିଲା। ଅଳିଆ ଗଦାରୁ ଜରି ସ˚ଗ୍ରହକୁ ଦେଖି ଲୋକମାନେ ହସିଥିଲେ। ତେଣୁ ଲୁଚି ଲୁଚି ଜରି ଗୋଟାଇ ଆଣିବାକୁ ପଡ଼ୁଥିଲା। ପିଲାମାନେ ବି ଜରି ଆଣିବାରେ ସହଯୋଗ କରୁଥିଲେ। କିନ୍ତୁ ଦୁଃଖ ଏୟା ଯେ ଯେଉଁ ଜିନିଷ ତିଆରି କରୁଛି, ତାହା ପ୍ରୋତ୍ସାହନ ଅଭାବରୁ ବିକ୍ରି ହେଇପାରୁନାହିଁ।

ସମ୍ବନ୍ଧିତ ଖବର