କୋରେଇ ବ୍ଲକ୍ ଅନ୍ତର୍ଗତ ଇଟାପୁର ମୌଜାରେ ୮ବର୍ଷ ହେଲା ନିର୍ମାଣ ହୋଇପାରୁନି କେନ୍ଦ୍ରୀୟ ବିଦ୍ୟାଳୟ

 

ଯାଜପୁର/ରଗଡି : କୋରେଇ ତଥ‌ା ବ୍ୟାସନଗର ସହର ପାର୍ଶ୍ବବର୍ତ୍ତୀ ଅଞ୍ଚଳର ବିକାଶ ପାଇଁ ଶହ ଶହ କୋଟି ଟଙ୍କାର ଯୋଜନା ପରେ ଯୋଜନା ଘୋଷଣା ହେବାରେ ଲାଗିଛି। ଏପରିକି ଅତ୍ୟାବଶ୍ୟକ ସେବା ଶିକ୍ଷା ଓ ସ୍ବାସ୍ଥ୍ୟର ବିକାଶ ପ୍ରତି ସେପରି ଧ୍ୟାନ ଦିଆଯାଉ ନାହିଁ। ନମୁନା ସ୍ବରୂପ କେନ୍ଦ୍ରୀୟ ବିଦ୍ୟାଳୟ ଦୀର୍ଘ ଦିନ ହେଲା ଏନ୍‌ସି ଉଚ୍ଚବିଦ୍ୟାଳୟ ପରିସରରେ ଅସ୍ଥାୟୀ ଘରେଚାଲିଛି। କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ୨୩କୋଟି ୩୨ଲକ୍ଷ ୪୭ହଜାର ଟଙ୍କା କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି। ମାତ୍ର କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଜମି ଚିହ୍ନଟ ହୋଇଥିଲେ ହେଁ ନିର୍ମାଣ କାମ ଆରମ୍ଭ ହୋଇପାରିନାହିଁ। ଯାହାକି ବିକାଶ ପ୍ରତି ଲୋକପ୍ରତିନିଧ ଓ ପ୍ରଶାସକଙ୍କର ଆନ୍ତରିକା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନା ଯୋଗ୍ୟ କୋରେଇ ବ୍ଲକ୍ ଅନ୍ତର୍ଗତ ପାଟରଙ୍ଗା ପଞ୍ଚାୟତର ଇଟାପୁର ମୌଜାରେ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ୯ଏକର ୧୦ଡିସିମିଲ୍ ଜମି ୮ବର୍ଷ ହେଲା ଅର୍ଥାତ୍‌ ୨୦୧୩ ମସିହାରୁ ଚିହ୍ନଟ ହୋଇଛି। ସ୍କୁଲ ନିର୍ମାଣ ପାଇଁ ୨୩କୋଟି ୩୨ଲକ୍ଷ ୪୭ହଜାର ଟଙ୍କା ମଞ୍ଜୁର ହୋଇଛି। ଅଥଚ ସ୍କୁଲ ନିର୍ମାଣ କାମ ଆରମ୍ଭ ହୋଇପାରୁନାହିଁ। ସ୍ମରଣ ଯୋଗ୍ୟ କଳିଙ୍ଗନଗର ଶିଳ୍ପାଞ୍ଚଳରେ ୧୨ଟି ବୃ୍ହତ ଇସ୍ପାତ କାରଖାନା ସହିତ ଏକାଧିକ ସିମେଣ୍ଟ କାରଖାନା ଗଢି ଉଠିଥିବା ବେଳେ ବ୍ୟାସନଗର ସହରରେ ଯାଜପୁର-କେନ୍ଦୁଝରରୋଡ଼ ଷ୍ଟେସନ ରହିଛି। ପ୍ରଗତି ପଥରେ କୋରେଇ ଓ ପଡ଼ୋଶୀ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଏକାଧିକ ବିଭାଗ କାର୍ଯ୍ୟ କରୁଛି। ବ୍ୟାସନଗର ସହରର ବିକାଶକୁ ଲକ୍ଷ୍ୟ କରି ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ଗଢିଉଠିଛି। ‌ବ୍ୟାସନଗର ସହର ଜନସଂଖ୍ୟା ପ୍ରାୟ ୨ଲକ୍ଷ ହେବାକୁ ବସିଲାଣି। ଏଠାରେ ଅବସ୍ଥାପିତ ‌ଜନସାଧାରଣଙ୍କ ପାଇଁ ଆବଶ୍ୟକ ଉନ୍ନତ ମାନର ଶିକ୍ଷାନୁଷ୍ଠାନ, ଚିକିତ୍ସା ପାଇଁ ଡାକ୍ତରଖାନା, ଆମୋଦପ୍ରମୋଦ ପାଇଁ ଉଦ୍ୟାନଟିଏ ନାହିଁ। ଅଞ୍ଚଳ ବିକାଶକୁ ନେଇ ଚରମ ଅବହେଳା ଓ ରାଜନୈତିକ ଛକାପଞ୍ଝା ନେଇ ବୁଦ୍ଧିଜୀବୀଙ୍କ ମଧ୍ୟରେ ଲାଗି ରହିଥିବା ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।

ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ ପ୍ରତି ଚରମ ଅବହେଳାକୁ ନେଇ ଏବେ ପ୍ରତିବାଦର ସ୍ବର ଶାଣିତ ହେବାରେ ଲାଗିଛି। ଏହାକୁ ନେଇ ମାଧବାନନ୍ଦ ବଳ, ଅଚ୍ୟୁତାନନ୍ଦ ମହାନ୍ତି, ଡକ୍ଟର ନିହାର ରଞ୍ଜନ ଜେନା, ଶିକ୍ଷାବିତ୍ ସୌରଭମୟ ଦାସ, ଆଇନଜୀବୀ ବିବେକାନନ୍ଦ ମହାନ୍ତି ପ୍ରମୁଖ କେନ୍ଦ୍ରୀୟ ବିଦ୍ୟାଳୟ ତୁରନ୍ତ ନିର୍ମାଣ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ସାଂସଦ, କୋରେଇ ଓ ସୁକିନ୍ଦା ବିଧାୟକ, ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର