୫ ବର୍ଷ ହେଲା ବାତ୍ୟା ଆଶ୍ରୟସ୍ଥଳରେ ଚାଲିଛି କେନ୍ଦ୍ରୀୟ ବିଦ୍ୟାଳୟ

 ସ୍ଥାୟୀ ବିଲ୍‌ଡିଂ ପାଇଁ ଦାନା ବାନ୍ଧୁଛି ଆନ୍ଦୋଳନ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ରେମୁଣାଠାରେ ଚାଲିଥିବା‌ ଦ୍ବିତୀୟ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ ବିଲ୍ଡିଂ ପାଇଁ ବାରମ୍ବାର ଦାବି ହୋଇଆସୁଛି। ହେଲେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଏନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଅସନ୍ତୋଷ ତେଜୁଥିବା ବେଳେ ଆଗାମୀ ଦିନରେ ସେମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ମିଳିଥିବା ସୂଚନା ମୁତାବକ, ବାଲେଶ୍ବରରେ ଦ୍ବିତୀୟ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ପାଇଁ ରେମୁଣା ବ୍ଲକ ନରହରିପୁରର ଛଣପୁର ଠାରେ ୧୦ ଏକର ଜମି ଯୋଗାଇ ଦିଆଯାଇଛି। ଆବଶ୍ୟକତା ଦୃଷ୍ଟିରୁ ଖୁବ୍‌ଶୀଘ୍ର ବିଦ୍ୟାଳୟର ବିଲ୍ଡିଂ ନିର୍ମାଣ ଆରମ୍ଭ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କେନ୍ଦ୍ରୀୟ ବିଦ୍ୟାଳୟ ସ˚ଗଠନକୁ ଚିଠି ଲେଖାଯାଇଥିବା ବେଳେ ଏଥି ପାଇଁ ୧୯ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଏଷ୍ଟିମେଟ୍‌ ଦିଆଯାଇଥିବା ଜଣାଯାଇଛି। ତେବେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନରୁ ଏପର୍ଯ୍ୟନ୍ତ ଉକ୍ତ ଟଙ୍କା ମଞ୍ଜୁର ବାବଦରେ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ବିଲ୍ଡିଂ ନିର୍ମାଣ କାମ ଆରମ୍ଭ ହୋଇପାରୁନଥିବା ଅଭିଯୋଗ ହୋଇଛି। ରେମୁଣା ବ୍ଲକ ଗଣେଶ୍ବରପୁରସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀରେ ୨୦୧୭ ମସିହାରେ ଦ୍ବିତୀୟ କେନ୍ଦ୍ରୀୟ ବିଦ୍ୟାଳୟ ଆରମ୍ଭ ହେଲା।

ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରଥମେ ୪୦ ଜଣ ଲେଖାଏଁ ପିଲାଙ୍କୁ ନେଇ ସ୍କୁଲ ଚାଲିଲା। ଏହି କ୍ରମରେ ଏବେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ସଂଖ୍ୟା ବଢ଼ିଥିବା ବେଳେ ଛାତ୍ରଛା‌ତ୍ରୀଙ୍କ ସଂଖ୍ୟା ୩୮୦ରେ ପହଞ୍ଚିଛି। ତେବେ ବର୍ଷକୁ ବର୍ଷ ଶ୍ରେଣୀ ବଢ଼ି ଚାଲିଥିଲେ ହେଁ ଭିତ୍ତିଭୂମି ନଥିବାରୁ ପାଠପଢ଼ା ପ୍ରଭାବିତ ହେଉଛି। ଛାତ୍ରଛାତ୍ରୀମାନେ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ରହିଥିବା ବିଭିନ୍ନ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏହାଛଡ଼ା ଏଠାରେ ଆଦୌ ‌ଶୈକ୍ଷିକ ବାତାବରଣ ନଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ସବୁଠୁ ଦୁଃଖ ଓ ପରିତାପର ବିଷୟ ଏନେଇ ଜିଲ୍ଲା ପ୍ରଶାସନ ତତ୍ପର ହେଉନଥିବା ବେଳେ ଜିଲ୍ଲାର ଲୋକ ପ୍ରତିନିଧି ଭାବେ ସାଂସଦ କିମ୍ବା ବିଧାୟକ କେହି ସ୍ବର ଉଠାଉନାହାନ୍ତି। ଯଦିଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାୟିତ୍ବ ମିଳିବା ପରେ ଏ ପ୍ରସଙ୍ଗରେ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ତାଙ୍କ ଦୃଷ୍ଟି ଆକର୍ଷଣ କରିଥି‌ଲେ, କିନ୍ତୁ ପରବର୍ତ୍ତୀ ସମୟରେ ‌ତାହା କାହିଁକି କାର୍ଯ୍ୟକାରୀ ହୋଇପାରୁନି ସେ ନେଇ ସେମାନେ ଆଉ ପଦକ୍ଷେପ ନେଉନାହାନ୍ତି। ଏଥିପାଇଁ ଅଭିଭାବକ ମହଲ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର