କେନ୍ଦୁପତ୍ର ବୋର୍ଡ଼ ବୈଠକ : ତୋଳାଳିଙ୍କୁ ଖୁସି କଲେ ମୁଖ୍ୟମନ୍ତ୍ରୀ

୯୩ କୋଟିର ବୋନସ୍‌ ଓ ସହାୟତା ଘୋଷଣା

ଭୁବନେଶ୍ବର : ଚଳିତବର୍ଷ କୋଭିଡ୍‌ ମହାମାରୀ ସମୟରେ ବଜାର ପ୍ରଭାବିତ ହୋଇଥିଲେ ବି କେନ୍ଦୁପତ୍ର କାରବାରରୁ ସରକାର ଭଲ ଲାଭ ପାଇଛନ୍ତି। ଏହି ଲାଭକୁ କେନ୍ଦୁପତ୍ର ତୋଳାଳି ଓ ଅନ୍ୟ କର୍ମଚାରୀଙ୍କୁ ଆବଣ୍ଟନ କରିବା ଉଦ୍ଦେଶ୍ୟରେ ବୋନସ୍‌ ଓ ସହାୟତା ବାବଦରେ ୯୨.୩୭ କୋଟି ଟଙ୍କା ପ୍ରଦାନ କରାଯିବ। ଆଜି ଭିଡିଓ କନଫରେନ୍‌ସିଂ ଜରିଆରେ କେନ୍ଦୁପତ୍ର କଲ୍ୟାଣ ବୋର୍ଡ଼ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଏହାସହିତ କେନ୍ଦୁପତ୍ର କର୍ମଚାରୀଙ୍କ ମୃତ୍ୟୁ ଓ ସମ୍ପୂର୍ଣ୍ଣ ଶାରୀରିକ ଅକ୍ଷମତା କ୍ଷେତ୍ରରେ ଅନୁକମ୍ପାମୂଳକ ସହାୟତାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ୧ ଲକ୍ଷ ଟଙ୍କାରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି।

Business Today

ବୋର୍ଡ଼ ବୈଠକରେ ମଞ୍ଜୁରି ପାଇଥିବା ୯୨.୩୭ କୋଟି ଟଙ୍କାରୁ ୫୯.୭୮ କୋଟି ଟଙ୍କା କେନ୍ଦୁପତ୍ର ତୋଳାଳିଙ୍କୁ ବୋନସ୍‌ ଆକାରରେ ପ୍ରଦାନ କରାଯିବ। ବାକି ଅର୍ଥ ବନ୍ଧେଇ ଶ୍ରମିକ, ସାମୟିକ କର୍ମଚାରୀଙ୍କୁ ପ୍ରୋତ୍ସାହନ ଓ କଲ୍ୟାଣ ନିମନ୍ତେ ଖର୍ଚ୍ଚ କରାଯିବ। କେନ୍ଦୁପତ୍ର ସଂଗ୍ରହ, ବନ୍ଧେଇ ଓ ପ୍ରକ୍ରିୟାକରଣ କାର୍ଯ୍ୟରେ ସାଧାରଣତଃ ଗରିବ ଲୋକମାନେ ନିୟୋଜିତ ହୋଇଥାନ୍ତି। ସେମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ସବୁବେଳେ ଉଦ୍ୟମ ଜାରି ରଖିଛନ୍ତି। ୨୦୧୪ରେ ଏକ ଐତିହାସିକ ନିଷ୍ପତ୍ତି ନେଇ ରାଜ୍ୟ ସରକାର କେନ୍ଦୁପତ୍ର ବ୍ୟବସାୟରୁ ମିଳୁଥିବା ଲାଭାଂଶରୁ ତୋଳାଳିମାନଙ୍କୁ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ସେହିବର୍ଷ ଠାରୁ ଲଗାତାର ଭାବେ ଏହି ଧାରା ଅବ୍ୟାହତ ରହିଛି। କରୋନା କାଳରେ କେନ୍ଦୁପତ୍ର ତୋଳା ଓ ପ୍ରକ୍ରିୟା ପାଇଁ ୬୦ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରାଯାଇପାରିଥିଲା। ଏଥିରେ ୭ ଲକ୍ଷ ୫୪ ହଜାର ୬୩୧ କେନ୍ଦୁପତ୍ର ତୋଳାଳି, ୧୮ ହଜାର ୨୨୩ ବନ୍ଧେଇ ଶ୍ରମିକ ଓ ୧୬ ହଜାର ୫୩୩ ଜଣ ସାମୟିକ କର୍ମଚାରୀ ନିୟୋଜିତ ହୋଇଥିଲେ। ୨୦୨୦ ଶସ୍ୟ ବର୍ଷରେ ଏ ବାବଦରେ ୨୫୦ କୋଟି ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଡିବିଟି ଜରିଆରେ ପଇଠ କରାଯାଇଛି।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫’ଟି’) ଭି.କେ ପାଣ୍ଡିଆନ୍‌ ଏବଂ ଜଙ୍ଗଲ ଓ ପରିବେଶ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର