ନବରଙ୍ଗପୁର : କରୋନା ଯୋଗୁଁ ଘରେ ହାତବାନ୍ଧି ବସିଲେ। ସରକାର କଟକଣା କୋହଳ କଲେ ପତ୍ର ତୋଳିବେ ବୋଲି ଅପେକ୍ଷାରେ ରହିଥିଲେ। କିନ୍ତୁ ବାରମ୍ବାର କାଳବୈଶାଖୀ ‌ପାଇଁ ପୁଣି ବିଳମ୍ବ ହେଉଛି ତୋଳିବା। ଯଦି ଏମିତି ଅବସ୍ଥା ଆହୁରି ୪ଦିନ ଲାଗି ରହିବ ଯାହା କିଛି ବାକି ରହିଛି ସବୁ ପାକଳ ହୋଇଯିବ। ଯାହାଫଳରେ ଜୀବିକା ହରାଇବା ସ୍ଥିତିକୁ ଚାଲି ଆସିଛନ୍ତି ନବରଙ୍ଗପୁର କେନ୍ଦୁପତ୍ର ଡିଭିଜନର ୬୪ହଜାର ତୋଳାଳି। ନବରଙ୍ଗପୁର ଜିଲ୍ଲାରେ ଫେବ୍ରୁଆରି ୨୨ତାରିଖ ଠାରୁ କେନ୍ଦୁପତ୍ର ତୋଳିବା ପାଇଁ ଗଛକଟା ଆରମ୍ଭ ହୋଇଥିଲା। ଗଛ କାଟିବାର ୪୫ରୁ ୫୫ ଦିନ ମଧ୍ୟରେ ଅର୍ଥାତ ଏପ୍ରିଲ ୧୭ରୁ ୨୦ତାରିଖ ମଧ୍ୟରେ ପତ୍ର ତୋଳା ହୋଇଥାନ୍ତା। ତେବେ ଲକଡାଉନ୍ ଯୋଗୁଁ ଚଳିତ ମାସ ୨୩ତାରିଖ ପର୍ଯ୍ୟନ୍ତ ପତ୍ର ସଂଗ୍ରହ ହୋଇପାରି ନଥିଲା। ସରକାର କଟକଣାକୁ ସାମାନ୍ୟ କୋହଳ କରିବାରୁ ୨୪ତାରିଖଠାରୁ ପତ୍ର ତୋଳା ଆରମ୍ଭ ହେଲା। କିନ୍ତୁ ୨୫ତାରିଖ ଠାରୁ ପ୍ରତିଦିନ ଅପରାହ୍ନରେ କାଳବୈଶାଖୀ ଯୋଗୁଁ ପ୍ରବଳ ବର୍ଷା ହେଉଛି। ଯାହାଫଳରେ ୨୬ ତାରିଖଠାରୁ ଫଡ଼ିରେ ପତ୍ର ଗ୍ରହଣ କରାଯାଉନାହିଁ। ପତ୍ର ସବୁ ଓଦା ହୋଇଯାଇଥିବାରୁ ଏହାକୁ ଶୁଖିବା ପାଇଁ ୮ଦିନ ଲାଗିଯିବ ବୋଲି କୁହାଯାଉଛି।

Advertisment

ଜିଲ୍ଲାରେ ୩୯୩ଟି ଫଡ଼ି ପତ୍ର ସଂଗ୍ରହ କରୁଛି। ସେହିପରି ପତ୍ର ରଖିବା ପାଇଁ ଜିଲ୍ଲାରେ ୯୭ଟି ଗୋଦାମ ରହିଛି। ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଆଦି ରାଜ୍ୟର ବେପାରୀ ପତ୍ରର ମାନ ଦେଖି ନିଲାମ କରି କିଣିବେ। କିନ୍ତୁ ବର୍ତ୍ତମାନ ଯାହା ପାଣିପାଗ ରହିଛି ଫଡ଼ିରେ ପତ୍ରବିଡ଼ା ଶୁଖିପାରୁ ନାହିଁ। ପୁଣି ଶୁଖିଥିବା ପତ୍ର ଉପରେ ପାଣି ପଡ଼ି ନଷ୍ଟ ହେବାରେ ଲାଗିଛି। ସେହି କାରଣରୁ ତୋଳାଳିଙ୍କଠାରୁ ଆଉ ପତ୍ର ନିଆଯାଉ ନାହିଁ ବୋଲି ଜଣେ ବନାଞ୍ଚଳ ଅଧିକାରୀ କହିଛନ୍ତି। ଆଉ ୭ଦିନ ପାଣିପାଗରେ ପରିବର୍ତ୍ତନ ନଆସିଲେ ସବୁ ପତ୍ର ପାକଳ ହୋଇଯିବ ବୋଲି ସୂଚନା ମିଳିଛି। ଯାହାକି ଏବେ ତୋଳିଳାଙ୍କ ଜୀବିକା ପ୍ରଭାବିତ କରିବାକୁ ଯାଉଛି ।

ଶେଷ ସୂଚନା ସୁଦ୍ଧା ଉମରକୋଟ ବନାଞ୍ଚଳ ଅଧୀନରେ ପ୍ରାୟ ୧୨ଲକ୍ଷ ୯୦ହଜାର ପତ୍ର ବିଡ଼ା ଆଦାୟ ହୋଇଛି। ରାଇଘରରେ ୮ଲକ୍ଷ ୯୪ ହଜାର, ଚନ୍ଦାହାଣ୍ଡିରେ ୧୩ଲକ୍ଷ ୬୪ ହଜାର, ଡାବୁଗାଁରେ ୧୨ଲକ୍ଷ ୬୫ ହଜାର, ପାପଡ଼ାହାଣ୍ଡିରେ ୯ଲକ୍ଷ ୪୬ ହଜାର, ନବରଙ୍ଗପୁରରେ ୧୯ଲକ୍ଷ ୬୦ ହଜାର, ବୋରିଗୁମ୍ମା ବନାଞ୍ଚଳରେ ୧୨ଲକ୍ଷ ୨୯ ହଜାର (ମୋଟ ୮୯ଲକ୍ଷ ୫୦ ହଜାର) ବିଡ଼ା ଆଦାୟ ହୋଇଛି। ଆଦାୟ ହୋଇଥିବା ବିଡ଼ା ଫଡ଼ିରେ ଶୁଖୁଛି। ଏହି ଡିଭିଜନରୁ ୪କୋଟି ୩୭ ଲକ୍ଷ ୫୦ ହଜାର ବିଡ଼ା କିଣିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ମାତ୍ର ୨୦ ପ୍ରତିଶତ ହିଁ ଆଦାୟ ହୋଇଛି। ବଳକା ୮୦ପ୍ରତିଶତ ସଂଗ୍ରହ ନେଇ ସଂଶୟ ପ୍ରକାଶ ପାଇଛି।

ଏମିତି ସ୍ଥିତିରେ ବୁସ୍‌ କଟିଂକୁ ଛାଡ଼ି ଯେଉଁ ପତ୍ର ଜଙ୍ଗଲରୁ ବାହାରିବ ତାହାକୁ ହିଁ କିଣାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। କିନ୍ତୁ ଏହି ପତ୍ର ମଧ୍ୟ ମେ ୫ତାରିଖ ପୂର୍ବରୁ ସଂଗ୍ରହ ହୋଇପାରିବ ନାହିଁ ବୋଲି ଜଣାପଡ଼ିଛି। ତେଣୁ ଚଳିତ ବର୍ଷ ଟାର୍ଗେଟ ଅନୁଯାୟୀ ପତ୍ର ସଂଗ୍ରହ ନହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି।

ଦିନକୁ ଦିନ ସ୍ଥିତି ବିଗୁଡ଼ୁଥିବାରୁ ଉମରକୋଟ ବ୍ଲକ୍‌ ନେହୁରା ପଞ୍ଚାୟତ ବଡଗାଁ ଫଡ଼ିରେ ଗତକାଲି ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି ଫଡ଼ି ଉପରେ ନିର୍ଭର କରୁଥିବା ଆଖପାଖ ୫ଖଣ୍ଡ ଗାଁର ପ୍ରାୟ ୪୦୦ ତୋଳାଳି ପତ୍ର ଆଣିବା ପରେ ଗ୍ରହଣ କରାଯାଇ ନଥିଲା। ପତ୍ରଗୁଡ଼ିକ ପାକଳ ଓ ଛଟ ରହିଥିବା ବେଳେ ମାନ ମଧ୍ୟ ଠିକ୍ ନଥିବା କୁହାଯାଇଥିଲା। ପରିଶ୍ରମର ଫଳ ଶୂନ ବୋଲି ଜାଣିବା ପରେ ତୋଳାଳିମାନେ ପତ୍ର ରାସ୍ତା ଉପରେ ଫପାଡ଼ି ପ୍ରତିବାଦ କରିଥିଲେ। ‌ତୋଳାଳିମା‌ନେ ପ୍ରଶ୍ନ କରିଛନ୍ତି ଯେ, ପତ୍ର ତୋଳି ଆଣିବା ପାଇଁ କୁହାଯାଇଥିଲା। କିନ୍ତୁ ସଂଗ୍ରହ ପରେ କାହିଁକି ଗ୍ରହଣ କରାଯାଉ ନାହିଁ। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ପୂର୍ବତନ ସରପଞ୍ଚ ଦେବୀ ସିଂ ମାଝୀ ଦାବି କରିଛନ୍ତି।