କଳାହାଣ୍ଡି ଜିଲ୍ଲାରେ କେନ୍ଦୁପତ୍ର ଫଡ଼ି ମରାମତିରେ ବ୍ୟାପକ ହରିଲୁଟ, ୩୩୩ଟି ଫଡ଼ି ମରାମତି ପାଇଁ ୭୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ସବୁଜ ହୀରାର ଦୁର୍ନୀତି ଗୋଟିଏ ପରେ ଗୋଟିଏ ଗୁମର ଫିଟିବାରେ ଲାଗିଛି । କଳାହାଣ୍ଡି ଜିଲ୍ଲାରେ ୩୩୩ ଟି କେନ୍ଦୁପତ୍ର ଫଡ଼ି ଘର ପାଇଁ ୭୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । କାଗଜ କଲମରେ ମିଥ୍ୟାବିଲ କରି ଲକ୍ଷ ଲକ୍ଷ ଟଙ୍କା ବାଟମାରଣା କରିବା ଘଟଣା ସାଧାରଣରେ ଚାଞ୍ଚଲ୍ୟ ପ୍ରକାଶ ପାଇଛି।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାରେ ଭବାନୀପାଟଣା କେନ୍ଦୁଲିପ ଡିଭିଜନ ଅଧୀନରେ ଭବାନୀପାଟଣା, ଲଡୁଗାଁ, କେସିଙ୍ଗା, ମଦନପୁର ରାମପୁର, ନର୍ଲା ଓ କେଗାଁ ସମେତ ୬ଟି ରେଞ୍ଜ ରହିଛି । ଏହି ୬ଟି ରେଞ୍ଜ ଅଧୀନରେ ୩୩୩ଟି ଫଡ଼ି ଘର ନିର୍ମାଣ ହୋଇଛି । ଏଥିରେ ୫ କୋଟି ୭୪ ଲକ୍ଷ କେରି କେନ୍ଦୁପତ୍ର ରଖା ଯାଇଛି। ଏହି ୩୩୩ଟି କେନ୍ଦୁପତ୍ର ଫଡ଼ିଘର ମରାମତି ପାଇଁ ଗତ ଏପ୍ରିଲ ମାସ ପ୍ରଥମ ସପ୍ତାହରେ ବିଭାଗ ପକ୍ଷରୁ ୭୭ ଲକ୍ଷ ଟଙ୍କା ଅନୁଦାନ ଆସିଥିଲା । ଲକଡାଉନ ଯୋଗୁଁ ଫଡ଼ିଘର ନିର୍ମାଣ ପାଇଁ ଶ୍ରମିକ ମିଳିନଥିବା ଦେଖିବାକୁ ମିଳିଥିଲା । ଲକଡାଉନ ଖୋଲିବା ପରେ ବର୍ତ୍ତମାନ ଜୁନ ମାସରେ କେନ୍ଦୁପତ୍ର ସଂଗ୍ରହ କରାଯାଇ ଫଡ଼ିମାନଙ୍କୁ ଆସିଥିଲା । ସମୟ ଅଭାବ ଯୋଗୁଁ ଫଡ଼ିଘର ମରାମତି ହୋଇପାରିନଥିଲା । କେନ୍ଦୁପତ୍ର ବିଭାଗ ପକ୍ଷରୁ କାଗଜ କଲମରେ ମିଥ୍ୟା ବିଲ କରି ଫଡ଼ିଘର ମରାମତି ଅର୍ଥର ବ୍ୟାପକ ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି । ଫଳରେ ଫଡ଼ିଘର ଦୁର୍ନୀତି ଗୁମର ଚାଞ୍ଚଲ୍ୟ ତଥ୍ୟ ସାଧାରଣ ରେ ଚର୍ଚ୍ଚାର ଖୋରାକ ଯୋଗାଇଛି ।

କେନ୍ଦୁପତ୍ର ଗୋଛାକଟା, ପତ୍ର ସଂଗ୍ରହ, ବନ୍ଧେଇ ଦୁର୍ନୀତି ସାଙ୍ଗକୁ ବର୍ଷାରେ ଫଡ଼ିଘର ଜଳିଯିବା ଭଳି ଦୁର୍ନୀତି ବିଭାଗର ଅସଲମୁଖା ଖୋଲି ଦେଇଛି । କିଛି ଫଡ଼ିଘରରେ କାଁ ଭାଁ ମରାମତି କରି ବିଭାଗୀୟ କର୍ମଚାରୀମାନଙ୍କ ଲକ୍ଷାଧିକ ଟଙ୍କା ହଡ଼ପ ଘଟଣା ସାଧାରଣରେ ଭୃକୁଞ୍ଚନ ଦେଖା ଦେଇଛି । ଏହି ଘଟଣାର ଭିଜିଲାନ୍ସ ତଦନ୍ତ କରାଗଲେ ଫଡ଼ିଘର ଦୁର୍ନୀତିର ଗୁମୁର ଫିଟିବ ବୋଲି ସାଧାରଣରେ ଦାବୀ ହୋଇଛି । କେନ୍ଦୁଲିପ ଡିଭିଜନର ଫରେଷ୍ଟଗାର୍ଡ ଠାରୁ ଆରମ୍ଭ କରି ଡିଭିଜନର ଅଧିକାରୀ ପର୍ଯ୍ୟନ୍ତ ଫଡ଼ିଘର ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ ହୋଇଛି । ପ୍ରତିବର୍ଷ ମରାମତି ନାମରେ ଆସୁଥିବା ଅନୁଦାନ ହରିଲୁଟ କରି କର୍ମଚାରୀମାନେ ମାଲାମାଲ ହେଉଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଆସୁଥିବା ଏହି ଅନୁଦାନକୁ ସଠିକ ବିନିଯୋଗ ନ କରି କାଗଜ କଲମରେ ଦର୍ଶାଉଥିବା ସଙ୍ଗିନ ଅଭିଯୋଗ ଆସିଛି । ଏନେଇ କେନ୍ଦୁପତ୍ର ଡିଏଫଓ ମଳୟ ଦାସଙ୍କୁ ପଚାରିବାରୁ ଗତ ଏପ୍ରିଲ ପ୍ରଥମ ସପ୍ତାହରେ ୩୩୩ଟି ଫଡ଼ିଘର ମରାମତି ପାଇଁ ପ୍ରାୟ ୭୭ ଲକ୍ଷ ଟଙ୍କା ଅନୁଦାନ ଆସିଥିଲା । ଏହି ଟଙ୍କାରେ ଫଡ଼ିଘର ମରାମତି କରାଯାଇଛି । ଫଡ଼ିଘର ମରାମତି ଦୁର୍ନୀତିକୁ ସେ ଅସ୍ବୀକାର କରିଥିଲେ ।

ସମ୍ବନ୍ଧିତ ଖବର