କେନ୍ଦୁପତ୍ର ଶ୍ରମିକ ଛଟେଇ ନେଇ ବିବାଦ ବଢ଼ିଲା: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅଣଦେଖା

ଅଭିଯୋଗ ଅସତ୍ୟ, ଶ୍ରମିକଙ୍କୁ ନେଇ ଭୁଲ ଧାରଣା ସୃଷ୍ଟି କରାଯାଉଛି: ପିସିସିଏଫ୍‌

ଭୁବନେଶ୍ବର: କେନ୍ଦୁପତ୍ର ଡିଭିଜନରେ କାର୍ଯ୍ୟରତ ଶ୍ରମିକ କେହି ବି ଛଟେଇ ହେବେନି। କରୋନା ପରିସ୍ଥିତିକୁ ଦେଖି କେନ୍ଦୁପତ୍ର ଚାଷ ପାଇଁ ଜଙ୍ଗଲ ବିଭାଗର ସଂସ୍କାର ପ୍ରସ୍ତାବ ମଧ୍ୟ ସ୍ଥଗିତ ରଖାଯାଇଛି। ଏ ନେଇ ଖୋଦ୍‌ ଓଡ଼ିଶା କେନ୍ଦୁପତ୍ର ସଂସ୍ଥା ପିସିସିଏଫ୍‌ ସ୍ପଷ୍ଟ କଲା ପରେ ବି ଶ୍ରମିକ ଛଟେଇ ନେଇ ଅଭିଯୋଗ ଥମିନି। କେନ୍ଦୁପତ୍ର କର୍ମଚାରୀ ସଂଘ ନେତା ତଥା ପୂର୍ବତନ ବିଜେପି ବିଧାୟକ ପ୍ରଦୀପ ପୁରୋହିତ ଅଭିଯୋଗ କରି କହିଛନ୍ତି, ୩୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି କାର୍ଯ୍ୟରତ ୪୦୦ ଜଣ ସେକସନ୍‌ ଚେକରଙ୍କୁ ଛଟେଇ କରାଯାଇଛି। ଏହାସହିତ କୁଶଳୀ ବର୍ଗର ୪୦୦ ଜଣ ସିଜି ଓ୍ବାଚର୍‌ଙ୍କ ମଜୁରୀ ଟଙ୍କା କାଟି ଦିଆଯାଉଛି। ଏହାକୁ ନେଇ ସେ ପୁଣିଥରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତେବେ ଏହି ଅଭିଯୋଗକୁ ସରକାର ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି। ପିସିସିଏଫ୍‌ ପ୍ରଭାକର ବେହେରା କହିଛନ୍ତି, କୌଣସି ଚେକର୍‌ଙ୍କୁ ଛଟେଇ କରାଯାଇନାହିଁ। ଋତୁକାଳୀନ ଶ୍ରମିକଙ୍କ ନିଯୁକ୍ତି ନେଇ ଭୁଲ ଧାରଣା ସୃଷ୍ଟି କରାଯାଉଛି। କେନ୍ଦୁପତ୍ର ଶ୍ରମିକଙ୍କ କଲ୍ୟାଣ ପାଇଁ ସରକାର ସବୁବେଳେ ଉଦ୍ୟମ କରିଆସିଛନ୍ତି। ୨୦୨୦ କେନ୍ଦୁପତ୍ର ଫସଲ ବର୍ଷ ପାଇଁ ମୋଟ୍‌ ୧୯ଟି ଯାକ ଡିଭିଜନ୍‌ରେ ୧୭ ହଜାର ୩୧୪ ଜଣ ଋତୁକାଳୀନ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିବା ସେ କହିଛନ୍ତି।

ଶ୍ରୀ ପୁରୋହିତ ଅଭିଯୋଗ କରି କହିଥିଲେ, ଦୀର୍ଘ ବର୍ଷରୁ କାର୍ଯ୍ୟରତ ୨୦୦୦ ଜଣ ମୁନସୀ, ଚପରାସୀ ଓ ଋତୁକାଳୀନ କର୍ମଚାରୀଙ୍କୁ ଛଟେଇ କରିବା ପାଇଁ ପିସିସିଏଫ୍‌ ଗତ ମାର୍ଚ୍ଚ ମାସରେ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଛଟେଇ ବନ୍ଦ ହେବା ସହ କର୍ମଚାରୀଙ୍କ ଦରମା ବୃଦ୍ଧି ଓ କେନ୍ଦୁପତ୍ର ତୋଳାଳୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ସାମାଜିକ ମଙ୍ଗଳ ପାଣ୍ଠି ବଳବତ୍ତର ରହିଲା। ଏଥିପାଇଁ କର୍ମଚାରୀ ସଂଘର ବୈଠକ ବସି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଛି। ଏବେ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅଣଦେଖା କରାଯାଇଛି।

ଏ ସମ୍ପର୍କରେ ପ୍ରତିକ୍ରିୟା଼ ପ୍ରକାଶ କରି ଓଡ଼ିଶା କେନ୍ଦୁପତ୍ର ସଂସ୍ଥା ପିସିସିଏଫ୍‌ ଶ୍ରୀ ବେହେରା କହିଥିଲେ, କେନ୍ଦୁପତ୍ର ଫସଲ ଉତ୍ପାଦନ ଋତୁରେ ସ୍ଥାୟୀ ଓ ଅସ୍ଥାୟୀ ଭାବେ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥାଏ। କର୍ମଚାରୀ ସଂଘ ନେତା ଶ୍ରୀ ପୁରୋହିତ ଯେଉଁ ସେକ୍‌ସନ୍‌ ଚେକର୍‌ଙ୍କ କଥା କହୁଛନ୍ତି, ବାସ୍ତବରେ ସେମାନେ ହେଉଛନ୍ତି ସର୍କଲ୍‌ ଚେକର୍‌। କୌଣସି ବି ସର୍କଲ୍‌ ଚେକର୍‌ଙ୍କୁ ଛଟେଇ କରାଯାଇନାହିଁ। ଏହାସହିତ ସେ କହିଥିଲେ, କେନ୍ଦୁପତ୍ର ଗୋଦାମ ଘର ଜଗିବା ପାଇଁ ସ୍ଥାୟୀ ଓ ଅସ୍ଥାୟୀ ଭାବେ ଦୁଇ ପ୍ରକାର ଓ୍ବାଚର୍‌ ନିଯୁକ୍ତ ହୋଇଥାନ୍ତି। ଅସ୍ଥାୟୀ ଓ୍ବାଚରଙ୍କୁ ସେହିବର୍ଷର କେନ୍ଦୁପତ୍ର ଅମଳକୁ ଦେଖି ନିୟୋଜିତ କରାଯାଇଥାଏ। ଅମଳ ଋତୁ ସରିବା ପରେ ସେମାନଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଥାଏ। ଏହା ସରକାରୀ ନିୟମ। ୪୦୦ ଓ୍ବାଚରଙ୍କର ମଜୁରୀରୁ ଅର୍ଥ କାଟି ରିକଭରି କରାଯାଉଥିବା ନେଇ ଶ୍ରୀ ପୁରୋହିତ ଯାହା ଅଭିଯୋଗ କରିଛନ୍ତି, ତାହା ସତ୍ୟ ଉପରେ ଆଧାରିତ ନୁହେଁ। କେଉଁ ନିର୍ଦିଷ୍ଟ ଡିଭିଜନ୍‌ର ଓ୍ବାଚରଙ୍କ ମଜୁରୀ କଟାଯାଉଛି, ସେ ସମ୍ପର୍କରେ ତଥ୍ୟ ଦେଇଥିଲେ ଭଲ ହୋଇଥାନ୍ତା। ତେବେ ୩ ବର୍ଷ ତଳେ ପଦ୍ମପୁର ଡିଭିଜନର କିଛି ସ୍ଥାୟୀ ଓ୍ବାଚରଙ୍କୁ ଅଧିକ ଦିନର ମଜୁରୀ ପ୍ରଦାନ କରାଯାଇଥିଲା। ସେହି ଅର୍ଥ ଭରଣା ପାଇଁ ସେମାନଙ୍କ ମଜୁରୀରୁ ଅଳ୍ପ କିଛି ଟଙ୍କା କାଟି ବାକି ଅର୍ଥ ପ୍ରଦାନ କରାଯାଇଛି ବୋଲି ପିସିସିଏଫ୍‌ କହିଥିଲେ।

ବିଭାଗୀୟ ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ସମୁଦାୟ ଡିଭିଜନ୍‌ରେ ମୋଟ୍‌ ୪୭୪ଜଣ ଅସ୍ଥାୟୀ ୱାଚରଙ୍କୁ ନିଯୁକ୍ତ କରାଯାଇଛି। ଏମାନଙ୍କ ବ୍ୟତୀତ ୧୦୮ ଜଣ ହେଡ୍‌ ଚେକର୍‌, ୪୩୮ ଜଣ ସର୍କଲ୍‌ ଚେକର୍‌, ୫୬୦ ଜଣ ବାଇଣ୍ଡିଂ ଚେକର୍‌, ୧,୯୫୨ ଜଣ ଚେକର୍‌, ୭,୩୧୮ ଜଣ ମୁନସୀ, ୫,୭୬୫ ଜଣ ମୁନସୀ, ୬୪୪ ଜଣ ସ୍ଥାୟୀ ଓ୍ବାଚର୍‌, ୨୩ ଜଣ ଡ୍ରାଇଭର ଓ ୨୫ ଜଣ ଅଫିସ୍‌ ଆସିଷ୍ଟାଣ୍ଟ୍‌ଙ୍କୁ ନିଯୁକ୍ତି ଦିଆଯାଇଛି। ନିଯୁକ୍ତ ହୋଇଥିବା କର୍ମଚାରୀଙ୍କ ଜିଲ୍ଲାଓ୍ବାରୀ ତାଲିକା ଦେଖିଲେ ଅନୁଗୁଳ ଡିଭିଜନ୍‌ ପାଇଁ ହେଡ୍‌ ଚେକର୍‌, ସର୍କଲ୍‌ ଚେକର୍‌, ବାଇଣ୍ଡିଂ ଚେକର୍‌, ଚେକର୍‌, ମୁନସୀ, ଚପରାସୀ, ସ୍ଥାୟୀ ଓ୍ବାଚର୍‌, ଅସ୍ଥାୟୀ ଓ୍ବାଚର୍‌, ଡ୍ରାଇଭର୍‌ ଓ ଅଫିସ୍‌ ଆସିଷ୍ଟାଣ୍ଟ୍‌ ମିଶି ୧ ହଜାର ୯୨ ଜଣଙ୍କୁ ନିଯୁକ୍ତି ମିଳିଛି। ସେହିପରି ଆଠମଲ୍ଲିକ୍‌ ଡିଭିଜନ୍‌ ପାଇଁ ୮୯୫ ଜଣ, କେନ୍ଦୁଝର ପାଇଁ ୮୭୨, ବୌଦ୍ଧ ପାଇଁ ୯୭୦, ଫୁଲବାଣୀ ପାଇଁ ୯୪୬, ସମ୍ବଲପୁର ପାଇଁ ୭୫୫, ରେଢ଼ାଖୋଲ ପାଇଁ ୭୩୪, କୁଚିଣ୍ଡା ପାଇଁ ୭୫୦, ଝାରସୁଗୁଡ଼ା ପାଇଁ ୬୩୪, ଦେବଗଡ଼ ପାଇଁ ୭୩୭, ରାଉରକେଲା ପାଇଁ ୮୭୯, ବଲାଙ୍ଗୀର ପାଇଁ ୮୮୬, ପଦ୍ମପୁର ପାଇଁ ୧,୨୦୫, ପାଟଣାଗଡ଼ ପାଇଁ ୧,୧୧୨, ଟିଟିଲାଗଡ଼ ପାଇଁ ୯୭୩, ଭବାନୀପାଟଣା ପାଇଁ ୯୦୪, ଖରିଆର ପାଇଁ ୮୧୨, ଜୟପୁର ପାଇଁ ୧,୨୦୮ ଓ ନବରଙ୍ଗପୁର ପାଇଁ ୯୫୦ ଜଣ ଋତୁକାଳୀନ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର