ବଲାଙ୍ଗୀର ସବୁଜ ହୀରାରୁ ହରିଲୁଟ

ଗୋଛାକଟା ଟଙ୍କା କିଏ କେତେ ନେଇଛି?
୧୦ କୋଟିର ଦୁର୍ନୀତି ସନ୍ଦେହ
ଆକାଉଣ୍ଟ ପେ ହଡ଼ପରେ ଅସ୍ଥାୟୀ କର୍ମଚାରୀଙ୍କ ହାତ!

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାରେ କରୋନା ମହାମାରୀର ଲକ୍‌ଡାଉନ୍‌ ବହୁ ସରକାରୀ ବାବୁଙ୍କୁ ମାଲାମାଲ କରିଛି। ସରକାରୀ ଅର୍ଥ ଆତ୍ମସାତ ହେଉଥିଲେ ବି ଏଠି ନିରବ ଜିଲ୍ଲା ପ୍ରଶାସନ। ବଲାଙ୍ଗୀର ଜିଲ୍ଲାରେ ଆବାସ ଗୃହ, ପାଇଖାନା, ଚାଉଳ ଦୁର୍ନୀତିରେ ପରେ ଏବେ କେନ୍ଦୁପତ୍ର ବିଭାଗର ଦୁର୍ନୀତି ଚର୍ଚ୍ଚାର ପରିସରରେ ରହିଛି। ସବୁଜ ହୀରାରୁ କୋଟି କୋଟି ଟଙ୍କା ହରିଲୁଟ ହୋଇଛି। ଫଡ଼ି ଘର ମରାମତି ନାଁରେ ସରକାରୀ ବାବୁ କୋଟି କୋଟି ଟଙ୍କା ଖାଇଛନ୍ତି। ଅନ୍ୟପଟେ ଗୋଛାକଟା ଟଙ୍କା କୁଆଡ଼େ ଗଲା ତାହା ଏବେ ଜଣାପଡୁନି। ପ୍ରାୟ ୧୦ କୋଟି ଟଙ୍କାର ଗୋଛାକଟା ନାଁରେ ସରକାରୀ ଅର୍ଥ ହରିଲୁଟ ହୋଇଥିବା ଆ‌ଶଙ୍କା କରାଯାଉଛି। ଅସ୍ଥାୟୀ କର୍ମଚାରୀଙ୍କୁ ହାତ କରି ଗୋଛାକଟା ଟଙ୍କା ହରିଲୁଟ ହୋଇଛି। ଗୋଛାକଟା ଯେତେ ହୋଇଥିବା ଦର୍ଶାଯାଉଛି, କେନ୍ଦୁପତ୍ର ତାହାର ଅଧା ବି ସଂଗ୍ରହ ହୋଇନି। ଲକ୍‌ଡାଉନ୍‌ ବାହାନାରେ ଏବେ ଗୋଛାକଟା ଦୁର୍ନୀତି ଢାଙ୍କିବାକୁ ବିଭାଗ ଚଳାଇଛି କସରତ।

ବଲାଙ୍ଗୀର କେନ୍ଦୁପତ୍ର ସର୍କଲର ପିସି କାରବାରରେ କିଛି ଦିନ ତଳେ ଜେଲ ଯାଇଛନ୍ତି ପାଟଣାଗଡ଼ ଡିଏଫଓ ପ୍ରଣବ ମହାନ୍ତି ଓ ଘସିଏନ ଡେପୁଟି ରେଞ୍ଜର ଚିତ୍ତରଞ୍ଜନ ଦେହୁରୀ। ଡିଏଫଓ ଜଣେ ରେଞ୍ଜରଙ୍କଠାରୁ ୧ଲକ୍ଷ ୬୬ ହଜାର ଟଙ୍କା ପିସି ନେଉଥିଲେ। ଏହାପରେ ‘ସମ୍ବାଦ’ ଗ୍ରାଉଣ୍ଡ ଜିରୋରେ ଅନୁସନ୍ଧାନ କରିବାରେ ଫଡ଼ି ଘର ମରାମତି ଦୁର୍ନୀତି ସାମ୍ନାକୁ ଆସିଥିଲା। ଲିପାପୋଛା, ଚୂନ ତଥା କୌଣସି ମରାମତି ନକରି କେମିତି ଟଙ୍କା ହରିଲୁଟ ହୋଇଛି ସବୁର ଚିତ୍ର ସାମ୍ନାକୁ ଆସିଥିଲା। ଫଡ଼ି ମରାମତିର ଖୋଲତାଡ଼ କରୁ କରୁ ଗୋଛାକଟା ଟଙ୍କା ବି କେନ୍ଦୁପତ୍ର ବିଭାଗର ଅଧିକାରୀ ଚଳୁ କରି ଦେଇଥିବା ଜଣାପଡ଼ିଛି।

ବଲାଙ୍ଗୀର ରେଞ୍ଜ ଅଧୀନରେ ଥିବା ବୈଦିପାଲି ଫଡ଼ି ଘରକୁ ଯାଇ ଅନୁସନ୍ଧାନ କଲାବେଳେ ଜଣାପଡ଼ିଥିଲା ‌ଯେ ବିଗତ ବର୍ଷ ତୁଳନାରେ କେନ୍ଦୁପତ୍ର ସେତେଟା ସଂଗ୍ରହ ହୋଇପାରିନି। ୯ଟି ପରିବାର ବନ୍ଧେଇ କରିବାକୁ ଅଛନ୍ତି। ଫଡ଼ି ଘରେ ମାତ୍ର ୭ ବସ୍ତା କେନ୍ଦୁପତ୍ର ବନ୍ଧେଇ ହୋଇ ରହିଥିଲା। ଫଡ଼ି ଘର ମରାମତି ଫରେଷ୍ଟର ସବୁ ବୁଝାବୁଝି କରନ୍ତି। ସବୁ ବର୍ଷ ମରାମତିର ବ୍ୟବସ୍ଥା ହୋଇଥାଏ। ସେହିପରି ଖର୍ଲିକାନୀ ସେକ୍ସନ ପଥରଚେପା ଫଡ଼ି ଘର ତାଲା ପଡ଼ିଥିଲା। ସ୍ଥାନୀୟ ଲୋକଙ୍କୁ ପଚରାଯିବାରୁ ଭିତରେ ପତ୍ର ରଖାଯାଇଛି ଓ କେହି ଆସୁନଥିବା କହିଥିଲେ। କମ୍‌ ପତ୍ର ସଂଗ୍ରହ ହୋଇଥିବା କହିଥିଲେ। ସେହିପରି ଝାଙ୍କରପାଲି ସେକ୍ସନ ଡୁଡୁକାଶିରା ଫଡ଼ି ଘରକୁ କେନ୍ଦ୍ରୀୟ ଗୋଦାମ କରାଯାଇଛି। କେନ୍ଦ୍ରୀୟ ଗୋଦାମରେ ଯାହା ସବୁ ରହିବା କଥା ସେସବୁ ନାହିଁ। ଗୋଦାମରେ ତାଲା ପଡ଼ିଥିବା ବେଳେ ବାହାରୁ ଦେଖିବାରୁ କୌଣସି ମରାମତି ଠିକ୍‌ରେ ହୋଇନଥିବା ଦେଖାଯାଇଥିଲା। କାନ୍ଥ, ଚଟାଣ ଆଦିର ମରାମତି ଦରକାର ଥିଲେ ବି ସେସବୁ କରାଯାଇନି। ଏପରିକି କେନ୍ଦ୍ରୀୟ ଗୋଦାମ ସେଠାରେ ନାଁକୁ ମାତ୍ର ରହିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ। ମୋଟାମୋଟି ଦେଖିବାକୁ ଗଲେ କେନ୍ଦୁପତ୍ର ସଂଗ୍ରହ ଠିକରେ ହୋଇପାରିନି।

ବିଭାଗ ପକ୍ଷରୁ ପ୍ରଦତ୍ତ ସରକାରୀ ତଥ୍ୟ ଅନୁସାରେ, ଲକ୍‌ଡାଉନ୍‌ ପୂର୍ବରୁ ବଲାଙ୍ଗୀର ସର୍କଲର ୬ଟି ଡିଭିଜନକୁ ୧ଲକ୍ଷ କୁଇଣ୍ଟାଲର ଟାର୍ଗେଟ ଦିଆଯାଇଥିଲା। ହେଲେ ଲକ୍‌ଡାଉନ୍‌ ଯୋଗୁଁ ବିଗତ ବର୍ଷ ତୁଳନାରେ ଏଥର ୫୦ରୁ ୫୫ ପ୍ରତିଶତ ଉତ୍ପାଦନ ହୋଇଛି। ଗୋଛାକଟା ପାଇଁ ଜାନୁଆରି ମାସରେ ବିଭିନ୍ନ ଡିଭିଜନକୁ ଟଙ୍କା ଯାଇଥିଲା। ବଲାଙ୍ଗୀର, ଟିଟିଲାଗଡ଼, ପାଟଣାଗଡ଼ ସମେତ ବଲାଙ୍ଗୀର ସର୍କଲର ସମସ୍ତ ଡିଭିଜନକୁ ଏଥିପାଇଁ ୧୪କୋଟି ଟଙ୍କା ଦିଆଯାଇଥିଲା। ଫେବ୍ରୁଆରି ମାସର ଦ୍ୱିତୀୟ ସପ୍ତାହରୁ ଗୋଛାକଟା ଆରମ୍ଭ ହୋଇଥାଏ। ହେଲେ ମାର୍ଚ୍ଚ ଶେଷ ବେଳକୁ ଲକ୍‌ଡାଉନ୍‌ ହୋଇ ଯାଇଥିଲା। ୨୦ରୁ ୨୫ ଦିନ ଭିତରେ ହିଁ ଗୋଛାକଟା କାମ ସରିଥାଏ। ବିଭାଗ କହିବାନୁସାରେ, ଗୋଛାକଟାର ୧୦ ପ୍ରତିଶତ ଟଙ୍କା ପ୍ରାୟ ଡିଭିଜନ ସବୁ ଫେରାଇଛନ୍ତି। ବାକିତକ ସବୁ ଗୋଛାକଟାରେ ସରିଛି। ହେଲେ ଏଠାରେ ପ୍ରଶ୍ନ ଉଠୁଛି ଯଦି ଗୋଛାକଟା ସରିଥିଲା ତାହେଲେ କେନ୍ଦୁପତ୍ର ସଂଗ୍ରହ ହେଲାନି କିପରି? କେମିତି କେନ୍ଦୁପତ୍ର ଉତ୍ପାଦନ ଜିଲ୍ଲାରେ କମିଲା? ଟଙ୍କା ଅନ୍‌ଲାଇନ୍‌ରେ ଗୋଛାକଟାରେ ନିୟୋଜିତ ଶ୍ରମିକଙ୍କୁ ଦିଆଯାଉଥିବା ବିଭାଗ ସଫେଇ ଦେଉଥିବା ବେଳେ ଅସ୍ଥାୟୀ କର୍ମଚାରୀମାନେ ନିଜ ସଂପର୍କୀୟ, ପାଖପଡ଼ୋଶୀଙ୍କ ନାଁ, ଆକାଉଣ୍ଟ ନମ୍ବର ସବୁ ଦେଇ ଗୋଛାକଟା ଟଙ୍କା ଉପରିସ୍ଥ ଅଧିକାରୀଙ୍କ ସହ ଭାଗବଣ୍ଟା କରିଥିବା ଅଭିଯୋଗ ଉଠୁଛି। ଏ ଦିଗରେ ଯଦି ଉଚ୍ଚସ୍ତରୀୟ ତଦନ୍ତ କରାଯାଏ ତାହେଲେ ବହୁ ଗୁମର ପଦାକୁ ଆସିବ।

ସମ୍ବନ୍ଧିତ ଖବର