ନୂଆପଡ଼ା : ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଖରିଆର ଡିଭିଜନ ଶାଖା ତରଫରୁ ରାଜ୍ୟ ସମ୍ପାଦକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ୧୪ ଦଫା ଦାବି ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଅଗସ୍ତି ପ୍ରଧାନଙ୍କୁ ପ୍ରଦାନ କରାଯାଇଛି। ଦାବି ଗୁଡ଼ିକର ତୁରନ୍ତ ସମାଧାନ କରାନଗଲେ କେନ୍ଦୁପତ୍ର ତୋଳାଳିମାନେ ଆଗକୁ ଆଇନ ଅମାନ୍ୟ ଆନ୍ଦୋଳନ କରିବାକୁ ଚେତନାବୀ ଦେଇଛନ୍ତି।
ଆଜି ସକାଳେ ଜିଲ୍ଲାର ୩୨୩ ଫଡ଼ି ଗ୍ରାମର ପ୍ରାୟ ୧୦ ହଜାରରୁ ଅଧିକ କେନ୍ଦୁପତ୍ର ତୋଳାଳି ଓ ସିଜିନାଲ ଷ୍ଟାଫ ନୂଆପଡ଼ା ପୁଲିସ୍ ପଡ଼ିଆରେ ଏକାଠି ହୋଇଥିଲେ। ଏହି ଅବସରରେ ଅନୁଷ୍ଠିତ ସଭାରେ ସାଂସଦ ବସନ୍ତ ପଣ୍ଡା ମୁଖ୍ୟଅତିଥି ଓ ସଂଘର ବରିଷ୍ଠ ନେତା ପାଇକମାଲର ହେଡ୍ଚେକର କୋକିଳ ସାହୁ ସମ୍ମାନିତ ଅତିଥି ଭାବେ ​ଯୋଗଦେଇ ଶ୍ରମିକଙ୍କ ସମସ୍ୟା ଉପରେ ଆଲୋଚନା କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ସାଂସଦ ଶ୍ରୀ ପଣ୍ଡା ସଂଘ ତରଫରୁ ଏକ ପ୍ରତିନିଧି ଦଳକୁ ନୂଆଦିଲ୍ଲୀକୁ ଆମନ୍ତ୍ରଣ କରିଥିଲେ। ଜିଏସ୍ଟି ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରେ କେନ୍ଦୁପତ୍ର ତୋଳାଳି ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ପହଞ୍ଚିଥିଲେ।
ସେଠାରେ ବୋନସ, ଝିଅ ବାହାଘର ସହାୟତା, ଶିକ୍ଷା ସହାୟତା, ଚିକିତ୍ସା ସହାୟତା, ସିଜିନାଲ ଷ୍ଟାଫଙ୍କ ଦରମା ବୃଦ୍ଧି, ସର୍ବନିମ୍ନ ମଜୁରି ବୃଦ୍ଧି ଆଦି ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ବିକ୍ଷୋଭ ସମାବେଶରେ ଶ୍ରମିକ ନେତା ଭକ୍ତବନ୍ଧୁ ଧରୁଆ, ପଦ୍ମପୁର ଡିଭିଜନର କୋକିଳ ସାହୁ, ଋଷଭ ପ୍ରଧାନ, ଚୂଡ଼ାମଣି ପାଣିଗ୍ରାହୀ, ଖଡ଼ିଆଳ ଡିଭିଜନର ଅବଦୁଲ ରସିଦ, ଡୋରେଶ୍ୱର ପଟେଲ, ସୁରେଶ ବେହେରା, ଭାସ୍କର ପ୍ରଧାନ, ପଦ୍ମନ ମାଝୀ, ବାବୁଲାଲ ପଟେଲ, ଈଶ୍ୱର ଶବର, କୈଳାସ ସାହୁ, ସନ୍ତୋଷ ସାହୁ, ଗୌତମ ବରିହା, ସୁବନ୍ତ ଶବର, ରୁଦ୍ର ନାଗ, ନଟବର ନାଗ, କୃଷ୍ଣବଲ୍ଲଭ ବାରିକ, ମଙ୍ଗଳସାଇ ବଗର୍ତ୍ତି, ଦମନ ନାୟକ ପ୍ରମୁଖ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/Untitled-2.jpg)