କେନ୍ଦୁପତ୍ର କିଣା ମୂଲ୍ୟ ୨୦% ବୃଦ୍ଧି କଲେ ସରକାର

ନୂଆ ନିଷ୍ପତ୍ତି ଜୁନ୍‌ ପହିଲାରୁ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

୨୦୧୯ ପାଇଁ ତୋଳାଳିଙ୍କୁ ୨୫% ବୋନସ୍‌ ପ୍ରଦାନ ନେଇ ଘୋଷଣା
ସାମୟିକ କର୍ମଚାରୀଙ୍କୁ ମଜୁରୀରେ ମିଳିବ ୫% ପ୍ରୋତ୍ସାହନ
ପାଣି ବୋତଲ କିଣିବା ପାଇଁ ୨ ଶହ ଟଙ୍କା ଲେଖାଏଁ ପ୍ରଦାନ କରାଯିବ

ଭୁବନେଶ୍ବର : କେନ୍ଦୁପତ୍ର କିଣା ମୂଲ୍ୟରେ ରାଜ୍ୟ ସରକାର ୨୦% ବୃଦ୍ଧି କରିଛନ୍ତି। କରୋନା ମହାମାରୀ ଯୋଗୁଁ ଆର୍ଥିକ ଦୁଃସ୍ଥିତିରେ ଥିବା କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଓ ଶ୍ରମିକମାନଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁପତ୍ରର ଦର ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହି ଦର ବୃଦ୍ଧି ଆସନ୍ତା ପହିଲା ତାରିଖରୁ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ୨୦୧୯ ଶସ୍ୟ ବର୍ଷ ପାଇଁ କେନ୍ଦୁପତ୍ର ତୋଳାଳିଙ୍କୁ ୨୫% ବୋନସ୍‌ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ପ୍ରାୟ ୮ ଲକ୍ଷ ୩୫ ହଜାର କେନ୍ଦୁପତ୍ର କର୍ମଚାରୀଙ୍କୁ ଆର୍ଥିକ ସାହାଯ୍ୟ ବାବଦରେ ୮୭ କୋଟି ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ସାମୟିକ କେନ୍ଦୁପତ୍ର କର୍ମଚାରୀମାନଙ୍କୁ ସେମାନଙ୍କ ପ୍ରାପ୍ୟ ମଜୁରୀର ୫% ହାରରେ ପ୍ରୋତ୍ସାହନ ଦିଆଯିବ। ପ୍ରତ୍ୟେକ କେନ୍ଦୁପତ୍ର ତୋଳାଳିଙ୍କୁ ପାଣି ବୋତଲ କିଣିବା ପାଇଁ ୨ ଶହ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

Down To Earth

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଜାରି କରିଥିବା ପ୍ରେସ୍‌ ବିବୃତି ଅନୁଯାୟୀ, ୨୦୨୦ କେନ୍ଦୁପତ୍ର ଶସ୍ୟ ବର୍ଷରେ ପ୍ରୋସେସ୍‌ ଅଞ୍ଚଳ ନିମିତ୍ତ ଏକ କେରି (୨୦ଟି ପତ୍ର)ର ମୂଲ୍ୟ ୧ ଟଙ୍କାରୁ ୧ ଟଙ୍କା ୨୦ ପଇସା ବୃଦ୍ଧି କରାଯାଇଛି। ସେହିପରି ଫାଲ୍‌ ଅଞ୍ଚଳରେ ଏକ କେରି (୪୦ଟି ପତ୍ର)ର ମୂଲ୍ୟ ୨ ଟଙ୍କାରୁ ୨ ଟଙ୍କା ୪୦ ପଇସା ବୃଦ୍ଧି କରାଯାଇଛି। ଏହାଦ୍ବାରା ଚଳିତ ବର୍ଷ ୮ ଲକ୍ଷ ତୋଳାଳି ପ୍ରାୟ ୩୨ କୋଟି ଟଙ୍କା ଅଧିକ ପାଇବେ। ସେହିପରି ଗତ ଶସ୍ୟ ବର୍ଷ ପାଇଁ କେନ୍ଦୁପତ୍ର ବିକ୍ରି ଲାଭାଂଶରୁ ୭ ଲକ୍ଷ ୮୯ ହଜାର ତୋଳାଳିମାନଙ୍କୁ ବୋନସ୍‌ ପ୍ରଦାନ ବାବଦରେ ୨୭ କୋଟି ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ପ୍ରାୟ ୧୭ ହଜାର ୩୪୫ ବନ୍ଧାଳି ସେମାନଙ୍କ ମଜୁରୀ ସହିତ ୫% ଅତିରିକ୍ତ ପ୍ରୋତ୍ସାହନ ରାଶି ପାଇବେ। ଏ ବାବଦରେ ୧ କୋଟି ୨୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ସେହିପରି ୧୭ ହଜାର ୪୪୪ ଜଣ ସାମୟିକ କର୍ମଚାରୀମାନଙ୍କୁ ଅତିରିକ୍ତ ପ୍ରୋତ୍ସାହନ ବାବଦରେ ୨ କୋଟି ୮୨ ଲକ୍ଷ ଟଙ୍କା ପ୍ରଦାନ କରାଯିବ। କେନ୍ଦୁପତ୍ର ତୋଳାଳିମାନଙ୍କ ପାଇଁ ପାଣି ବୋତଲ କିଣା ବାବଦରେ ୧୫ କୋଟି ୭୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ହିତାଧିକାରୀମାନଙ୍କ ପ୍ରାପ୍ୟ ରାଶି ବ୍ୟାଙ୍କ ଜରିଆରେ ସିଧାସଳଖ ସେମାନଙ୍କ ଜମାଖାତାରେ ପଇଠ କରାଯିବ। ୨୦୨୦ ମାର୍ଚ୍ଚ ଓ ଏପ୍ରିଲ ମାସରେ ରାଜ୍ୟରେ କେନ୍ଦୁପତ୍ର କାର୍ଯ୍ୟକ୍ରମରେ ୧୦ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରାଯାଇଛି। ସାମୟିକ କେନ୍ଦୁପତ୍ର କର୍ମଚାରୀଙ୍କୁ ଗ୍ରାଚ୍ୟୁୟିଟି ଛାଡ଼ି ସେମାନଙ୍କ ଇପିଏଫ୍‌ ଦେୟ ବାବଦରେ ଅଧିକ ୮ କୋଟି ଟଙ୍କା ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର