ଲେଫ୍ରିପଡ଼ା : ସଂପ୍ରତି ଅଞ୍ଚଳରେ ଦ୍ରୁତଜଙ୍ଗଲ କ୍ଷୟ ତଥା ଶିଳ୍ପାୟନ ସାଙ୍ଗକୁ ଅବାଧ ଜବରଦଖଲ ଦ୍ବାରା ଜଙ୍ଗଲ, ପତ୍ରାଜଙ୍ଗଲ, ଗ୍ରାମ୍ୟଜଙ୍ଗଲ ଆଦି ଜମିରେ ଜନବସତି ସ୍ଥାପନ ଆଦି ସମସ୍ୟା ଯୋଗୁ ଲେଫ୍ରିପଡ଼ା ଅଞ୍ଚଳରେ ଦିନ ଦିନକୁ କେନ୍ଦୁପତ୍ର ଉତ୍ପାଦନ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି। କ୍ରମାଗତ ଜଙ୍ଗଲ କ୍ଷୟ ସହିତ ଗୋଚ୍ଛାକଟାରେ ମଧ୍ୟ ବ୍ୟାପକ ତ୍ରୁଟି ରହିଥିବା ଯୋଗୁ କେନ୍ଦୁଗଛ ହ୍ରାସ ପାଇବା ଦେଖିବାକୁ ମିଳିଛି। ଯାହାକି ରାଜ୍ୟ ସରକାରଙ୍କ ରାଜକୋଷକୁ ପ୍ରଭାବିତ କରିବା ସହିତ ଅଞ୍ଚଳର ହଜାର ହଜାର ଶ୍ରମିକଙ୍କ ଜୀବନଜୀବିକା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।

Advertisment

publive-image glibs.in

କେନ୍ଦୁପତ୍ରକୁ ପଶ୍ଚିମ ଓଡ଼ିଶାର ‘ସବୁଜ ସୁନା’ ଭାବେ ଅଭିହିତ କରାଯାଉଥିବା ବେଳେ କେନ୍ଦୁପତ୍ର ସଂଗ୍ରହ କାର୍ଯ୍ୟ‌ରେ ଏ ଅଞ୍ଚଳର ଅଧିକାଂଶ ଶ୍ରମିକ ନିୟୋଜିତ ହୋଇଥାନ୍ତି। ଗୋଚ୍ଛାକଟାଠାରୁ ଆରମ୍ଭ କରି ପତ୍ରତୋଳା ଏବଂ ପତ୍ରବନ୍ଧା କ୍ଷେତ୍ରରେ ୬ ମାସର ରୋଜଗାର କରିଥାନ୍ତି। ତେବେ କେନ୍ଦୁପତ୍ର ଡିଭିଜନର କର୍ମଚାରୀ କିମ୍ବା ରାଜ୍ୟ ସରକାର ଏ ଅଞ୍ଚଳର ବଣ, ପାହାଡ଼, ଜଙ୍ଗଲ, କ୍ଷେତବାଡ଼ି ପ୍ରଭୃତିରେ ଥିବା କେନ୍ଦୁଗଛଗୁଡ଼ିକର ଯତ୍ନ ଓ ସୁରକ୍ଷା ଦିଗରେ ଧ୍ୟାନ ଦେଉନଥିବାରୁ କ୍ରମଶଃ କେନ୍ଦୁଗଛ ଲୋପ ପାଇବସୁଛି। ଲୋକେ କେନ୍ଦୁଗଛଗୁଡ଼ିକୁ ଜାଳେଣି କାଠ ଭାବେ କାଟି ନେଉଥିବା ଦେଖିବାକୁ ମିଳୁଥିବା ବେଳେ କେନ୍ଦୁପତ୍ର ରେଞ୍ଜଗୁଡ଼ିକ ଦ୍ୱାରା ଗୋଛାକଟା ହେବା ସମୟରେ ଖାମଖିଆଲି ଭାବେ ଗୋଛାକଟାଳିମାନେ ଗଛମୂଳ କାଟୁଥିବାରୁ ବହୁସଂଖ୍ୟାରେ ଗଛ ମରିଯାଉଛି। ଏହାଛଡ଼ା କେନ୍ଦୁଗଛ ଥିବା ବହୁ ଅଞ୍ଚଳ କ୍ରମଶଃ ସଫା କରାଯାଇ ବସତି ସାଙ୍ଗକୁ ଅନେକ ଶିଲ୍ପାଞ୍ଚଳ ଗଢ଼ି ଉଠୁଥିବାରୁ କେନ୍ଦୁପତ୍ର ଉତ୍ପାଦନ ହ୍ରାସପାଇଛି। ଫଳରେ ବହୁସ୍ଥାନରେ କେନ୍ଦୁପତ୍ର ଫଡ଼ି ବନ୍ଦ ହୋଇଗଲାଣି।

publive-image vijaymat.com

କେନ୍ଦୁପତ୍ରରୁ ରାଜ୍ୟ ସରକାର ଶହଶହ କୋଟି ଟଙ୍କା ରାଜସ୍ୱ ପାଉଥିବା ବେଳେ ପଞ୍ଚାୟତ ଓ ବ୍ଲକ୍‌ଗୁଡ଼ିକ ମଧ୍ୟ ମୋଟା ଅଂଶ ପାଇଥାନ୍ତି। ଯାହାକି ଗ୍ରାମାଞ୍ଚଳରେ ଉନ୍ନୟନ କ୍ଷେତ୍ରରେ ବିନିଯୋଗ ହୋଇଥାଏ। ଏହାଛଡ଼ା ଏକ ବିଶାଳ ଶ୍ରମିକଗୋଷ୍ଠୀ କେନ୍ଦୁପତ୍ର ସଂଗ୍ରହ କ୍ଷେତ୍ରରେ କାର୍ଯ୍ୟକରି ଜୀବିକା ନିର୍ବାହ କରିଆସୁଥିବାରୁ କେନ୍ଦୁପତ୍ର ହ୍ରାସ ଯୋଗୁ ସେମାନଙ୍କ ଜୀବନଜୀବିକା ପ୍ରତି ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। କେନ୍ଦୁପତ୍ର ଡିଭିଜନ ଓ ରାଜ୍ୟ ସରକାର କେନ୍ଦୁପତ୍ରରୁ ମୋଟା ରାଜସ୍ୱ ପାଉଥିଲେ ସୁଦ୍ଧା କେନ୍ଦୁଗଛର ସୁରକ୍ଷା କିମ୍ବା କେନ୍ଦୁଚାରା ରୋପଣ ଏବଂ ଜଙ୍ଗଲ ଅଞ୍ଚଳର ଉନ୍ନୟନ କ୍ଷେତ୍ରରେ ଧ୍ୟାନ ଦେଉନଥିବା ପରିତାପର ବିଷୟ। ଏଣୁ ଏ ଅଞ୍ଚଳରେ ବିକଳ୍ପ ଯୋଜନା ପ୍ରଚଳନ କରି ଏହି ପତ୍ରର ଉତ୍ପାଦନ ବୃଦ୍ଧି କରିବା ଦିଗରେ ରାଜ୍ୟ ସରକାର ଯତ୍ନବାନ ହେବା ବିଧେୟ।