ବୋନସ ପାଇବେ କେନ୍ଦୁପତ୍ର ତୋଳାଳି, ରାଜ୍ୟ ସରକାର କଲେ ଘୋଷଣା

ଭୁବନେଶ୍ୱର: ରାଜ୍ୟର କେନ୍ଦୁପତ୍ର ତୋଳାଳିମାନେ ବୋନସ ପାଇବେ । ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି । କରୋନା ଭାଇରସ ପାଇଁ ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳିଙ୍କୁ ବୋନସ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାରଙ୍କ ଏହି ଘୋଷଣାରୁ ୭.୮୯ ଲକ୍ଷ କେନ୍ଦୁପତ୍ର ତୋଳାଳି ଉପକୃତ ହେବେ । ଏହି କେନ୍ଦୁପତ୍ର ତୋଳାଳିମାନେ ୨୫ ପ୍ରତିଶତ ବୋନସ ପାଇବେ ।

କେନ୍ଦୁପତ୍ର ତୋତାଳିଙ୍କ ବ୍ୟତୀତ ଅଣଆନୁଷ୍ଠାନିକ କେନ୍ଦୁପତ୍ର ତୋଳାଳିମାନେ ମଧ୍ୟ ରାଜ୍ୟ ସରକାରଙ୍କ ଏହି ଘୋଷଣାରୁ ଉପକୃତ ହେବେ । ରାଜ୍ୟରେ ଏବେ ୧୭ ହଜାର ୪୪୪ ଅଣଆନୁଷ୍ଠାନିକ କେନ୍ଦୁପତ୍ର ତୋଳାଳି କାମ କରୁଛନ୍ତି । ଏମାନେ ୫ ପ୍ରତିଶତ ପ୍ରୋତ୍ସାହନ ପାଇବେ । ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳିମାନଙ୍କୁ ପାଣି ବୋତଳ କିଣିବାକୁ ୨୦୦ ଟଙ୍କା ଲେଖାଏଁ ଦେବେ । ସମସ୍ତ ଆର୍ଥିକ ସହାୟତା ଡିବିଟି ଜରିଆରେ ସିଧାସଳଖ ବ୍ୟାଙ୍କ ଖାତାକୁ ଯିବ ।

ସୂଚନାଯୋଗ୍ୟ, ରାଜ୍ୟରେ ଏବେ କେନ୍ଦୁପତ୍ର ତୋଳାଳିମାନେ ପ୍ରଚଣ୍ଡ ଖରାରେ କେନ୍ଦୁପତ୍ର ସଂଗ୍ରହ କରୁଛନ୍ତି । କେନ୍ଦୁପତ୍ର ତୋଳାଳିମାନେ ସକାଳ ଠାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ନିଜର ପଡ଼ିଆ ଜମି ଓ ଜଙ୍ଗଲରୁ କେନ୍ଦୁପତ୍ର ସଂଗ୍ରହ କରିଥାନ୍ତି । ଏହାକୁ ସରକାରୀ ପତ୍ରଫଡିରେ ବିଡ଼ା ବାନ୍ଧି ସନ୍ଧ୍ୟାରେ ବିକ୍ରି କରିଥାନ୍ତି । ରାଜ୍ୟର ନୂଆପଡ଼ା, କଳାହାଣ୍ଡି, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ, ମୟୂରଭଂଜ, କେନ୍ଦୁଝର, ଗଂଜାମ, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ସୁବର୍ଣ୍ଣପୁର, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଜିଲ୍ଲାରେ କେନ୍ଦୁପତ୍ର ସଂଗ୍ରହ କରାଯାଇଥାଏ ।

ସମ୍ବନ୍ଧିତ ଖବର