କେନ୍ଦୁଡଙ୍ଗରି ଗାଁ ଯୁବକଙ୍କ ଶବ ଉଦ୍ଧାର ଘଟଣା: ହତ୍ୟା ଅଭିଯୋଗ ପରେ ୩ କୋର୍ଟଚାଲାଣ

ନିର୍ଦ୍ଦୋଷଙ୍କୁ ଗିରଫ ଅଭିଯୋଗରେ ମୃତକଙ୍କ ପରିବାର ପକ୍ଷରୁ ଧାରଣା

କୋକସରା: କୋକସରା ବ୍ଲକ ଆମପାଣି ଥାନା କେନ୍ଦୁଡଙ୍ଗରି ଗାଁ ନିକଟ ଏକ ଗଛରୁ ଯୁବକଙ୍କ ଶବ ଉଦ୍ଧାର ଘଟଣା ଭିନ୍ନ ମୋଡ଼ ନେଇଛି। ପରିବାର ଲୋକ ହତ୍ୟା ଅଭିଯୋଗ ଆଣିବା ପରେ ପୁଲିସ୍ ବୁଧବାର ୩ ଜଣ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଏହା ପରେ ଗିରଫ ବ୍ୟକ୍ତିମାନେ ଘଟଣାରେ ସଂପୃକ୍ତ ନଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକେ। ଏଥିସହ ସେମାନେ ଘଟଣାର ଉପଯୁକ୍ତ ତଦନ୍ତ କରି ପ୍ରକୃତ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଥାନା ଆଗରେ ଧାରଣା ଦେଇଛନ୍ତି।

ସୂଚନା ମତେ ଗତ ୩ ତାରିଖ ପୁଲିସ୍ ଝୁଲନ୍ତା ଅବସ୍ଥାରେ କେନ୍ଦୁଡଙ୍ଗରି ଗାଁର ଦ୍ବାରିକା ଦାସ (୨୨)ଙ୍କ ଶବ ଉଦ୍ଧାର କରିଥିଲା। ଯୁବକଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିବା ପରେ ୪ ଜଣିଆ ସାଇଣ୍ଟିଫିକ୍‌ ଟିମ୍‌ ଆସି ତଦନ୍ତ କରିଥିଲେ। ବୁଧବାର ହତ୍ୟା ଅଭିଯୋଗରେ ପୁଲିସ୍ ଧର୍ମଗଡ଼ ବ୍ଲକ ପର୍ଲା ଗ୍ରାମର ପ୍ରଦୀପ ଦାସ (୩୯), କେନ୍ଦୁଡଙ୍ଗରି ଗ୍ରାମର ଯତୀନ ଦାସ (୩୯) ଓ ମହେନ୍ଦ୍ର ନାଏକ (୩୦)କୁ ଗିରଫ କରିଥିଲା। ହତ୍ୟା କରିଥିବା ସ୍ୱୀକାର କରିବା ପରେ ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ପୁଲିସ୍ ସୂଚନା ଦେଇଛି। ଅନ୍ୟପକ୍ଷରେ ମୃତକଙ୍କ ପରିବାର ଲୋକ ଘଟଣାର ନିରପେକ୍ଷ ତଦନ୍ତ ହୋଇନଥିବା ଏବଂ ପୁଲିସ୍ ନିର୍ଦୋଷଙ୍କୁ କୋର୍ଟଚାଲାଣ କରିଥିବା ପ୍ରକାଶ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିସହ ହତ୍ୟାରେ ସଂପୃକ୍ତ ପ୍ରକୃତ ଅଭିଯୁକ୍ତଙ୍କୁ ଖସାଇ‌ ଦେବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ କରି ଆମପାଣି ଥାନା ସମ୍ମୁଖରେ ମୃତକଙ୍କ ପରିବାର ଓ ମହିଳାମାନେ ଧାରଣା ଦେଇଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ଥାନା ସମ୍ମୁଖରେ ଧାରଣ ଜାରି ରହିଛି।

ସମ୍ବନ୍ଧିତ ଖବର