ନବରଙ୍ଗପୁର: ରାୟଗଡ଼ା, କଳାହାଣ୍ଡି ଓ କୋରାପୁଟ ଜିଲ୍ଲା ସହ ସାମାଜିକ ଓ ଅର୍ଥନୈତିକ ସଂପର୍କକୁ ଅଧିକ ମଜଭୁତ କରିବାକୁ ହୋଇଥିଲା ପରିକଳ୍ପନା। ତେଣୁ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟରେ ପୋଲ ନିର୍ମାଣ କରିବାକୁ ସରକାର ଯୋଜନା କରି ଘୋଷଣା କଲେ। ଏଥିପାଇଁ ୩ବର୍ଷ ତଳେ ୧୫୦କୋଟି ମଧ୍ୟ ମଞ୍ଜୁର କରିଥିଲେ। କିନ୍ତୁ କେଉଁ କାରଣରୁ ପୋଲ ନିର୍ମାଣରେ ବିଳମ୍ବ ହେଉଛି ଏଯାଏ ସ୍ପଷ୍ଟ ହୋଇପାରୁନି। ଅନ୍ୟପଟେ ବିଳମ୍ବ ଯୋଗୁ ବିଚ୍ଛିନ୍ନାଞ୍ଚଳବାସୀ ବିପଦପୂର୍ଣ୍ଣ ଭାବେ ଡଙ୍ଗାରେ ଯାତାୟାତ କରୁଛନ୍ତି।

Advertisment

ଇନ୍ଦ୍ରାବତୀ ଜଳଭଣ୍ଡାର ଯୋଗୁଁ କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର ପ୍ରାୟ ୬ହଜାର ପରିବାର ବିସ୍ଥାପିତ ହୋଇଥିଲେ। ଜଳଭଣ୍ଡାର ଅପରପାର୍ଶ୍ୱରେ ରହିଯାଇଥିଲା ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ପଞ୍ଚାୟତର ଟାଙ୍ଗିଣିପୁଟ, ବାଗରା, ଗୁରୁମାଇଗୁଡ଼ା, ତଳଙ୍ଗ, ଝଲାଗୁଡା ଆଦି ୫ଖଣ୍ଡ ଗାଁ। ପାଣି ଯେଉଁ ନୂଆ ସୀମାରେଖା ଟାଣିଲା ତାହା ଲୋକଙ୍କୁ ବିକାଶ ଠାରୁ ଦୂରେଇ ରଖିଲା। ପ୍ରତିଦିନ ଜୀବନ ତଥା ଜୀବିକା ପାଇଁ ଲୋକ ଖାତିଗୁଡ଼ା ଓ ତେନ୍ତୁଳିଖୁଣ୍ଟିକୁ ଦେଶୀ ଡଙ୍ଗାରେ ଜଳଯାତ୍ରା କରୁଛନ୍ତି। କେବଳ ନବରଙ୍ଗପୁର ଜିଲ୍ଲାର ଉପରୋକ୍ତ ୫ଖଣ୍ଡ ଗାଁ ନୁହଁନ୍ତି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଦୁଆରଶୁଣି ପଞ୍ଚାୟତ ଏବଂ କଳାହାଣ୍ଡି ଜିଲ୍ଲାର ଅନେକ ଗ୍ରାମବାସୀ ସମାନ ଦଶା ଭୋଗୁଛନ୍ତି। ଅଧିକାଂଶ କାମ ପାଇଁ ତେନ୍ତୁଳିଖୁଣ୍ଟି ଉପରେ ନିର୍ଭରଶୀଳ। ଏଥିପାଇଁ କେନ୍ଦୁଗୁଡ଼ା ଘାଟ ସେମାନଙ୍କ ଯୋଗାଯୋଗର ପ୍ରମୁଖ ମାଧ୍ୟମ ପାଲଟିଛି।

ନବରଙ୍ଗପୁରରୁ ରାୟଗଡ଼ା ୭୦କିମି, ଖାତିଗୁଡ଼ାରୁ ରାୟଗଡ଼ା ୧୦୫ କିମି କମିବ

ଭୌଗୋଳିକ ଅବସ୍ଥିତିକୁ ଦୃଷ୍ଟିରେ ମଞ୍ଚଗାଁ ପଞ୍ଚାୟତର କେନ୍ଦୁଗୁଡ଼ା ଘାଟରେ ପୋଲ ନିର୍ମାଣ ପାଇଁ ପୂର୍ବ ସରକାର ନିଷ୍ପତ୍ତି ନେଇଥିଲେ। କାରଣ ଏଠାରେ ପୋଲ ନିର୍ମାଣ ହେଲେ ନବରଙ୍ଗପୁର ଜିଲ୍ଲା ସମେତ କଳାହାଣ୍ଡି ଓ କୋରାପୁଟ ଜିଲ୍ଲାବାସୀ ସିଧାସଳଖ ଉପକୃତ ହେବେ। ଆଉ ଏକ ପ୍ରମୁଖ କାରଣ ହେଲା ନବରଙ୍ଗପୁର ଠାରୁ ରାୟଗଡ଼ା ଜିଲ୍ଲାକୁ ବର୍ତ୍ତମାନ ଦୂରତା ପାଖାପାଖି ୨୦୦ କିଲୋମିଟର। ପୋଲ ନିର୍ମାଣ ହେଲେ ନବରଙ୍ଗପୁରରୁ ରାୟଗଡ଼ା ପ୍ରାୟ ୭୦କିମି ଏବଂ ଖାତିଗୁଡ଼ାରୁ ରାୟଗଡ଼ାକୁ ଦୂରତା ପ୍ରାୟ ୧୦୫ କିଲୋମିଟର କମିଯିବ। ଖାତିଗୁଡ଼ା-ରାୟଗଡ଼ା ମଧ୍ୟରେ ଦୂରତା ମାତ୍ର ୮୦କିଲୋମିଟର ହୋଇଯିବ। ଯାହାଫଳରେ ତିନି ଜିଲ୍ଲା ମଧ୍ୟରେ ନୂଆ ସଂପର୍କ ସ୍ଥାପନ ସହ ଅର୍ଥନୀତିକୁ ନୂଆ ରାସ୍ତା ଦେଖାଇବ ବୋଲି କୁହାଯାଉଛି। ପୂର୍ବ ସରକାରଙ୍କ ନିଷ୍ପତ୍ତି ଅନୁସାରେ ପୂର୍ତ୍ତ ବିଭାଗ ପୋଲ ନିମନ୍ତେ ସର୍ଭେ କରିଥିଲା। ଚିହ୍ନଟ ସ୍ଥାନରେ ଜଳଭଣ୍ଡାର ଗଭୀରତା ୪୦ ମିଟରରୁ ଊର୍ଦ୍ଧ୍ବ ରହିଛି। ପୋଲର ଦୁଇଟି ସଂଯୋଗସ୍ଥଳ ମଧ୍ୟରେ ଦୂରତା ୫୦୦ମିଟର ହେବ ବୋଲି ଜଣାପଡ଼ିଛି। ପୋଲ ସହ ଉଭୟପାର୍ଶ୍ବ ଆପ୍ରୋଚ୍‌ ରୋଡ୍‌ ବାବଦରେ ପ୍ରାୟ ୧୬୦କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ବିଡ଼ମ୍ବନା ହେଲା ଘୋଷଣା ଓ ସର୍ଭେ ପରେ ଆଉ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଯାହା ଲୋକଙ୍କୁ ନିରାଶ କରିଥିବା ବେଳେ ଅନେକ ଆଶଙ୍କା ଓ ସଂଶୟରେ ରହିଛନ୍ତି।