ବଢ଼ୁଛି କେନ୍ଦୁଝର ବଡ଼ିର ଚାହିଦା, କେବେ ମିଳିବ ଜିଆଇ ଟ୍ୟାଗ୍‌

କେନ୍ଦୁଝର : ପଖାଳ ସାଙ୍ଗକୁ କେନ୍ଦୁଝରର ପ୍ରସିଦ୍ଧ ଫୁଲବଡ଼ି ଓଡ଼ିଆଙ୍କ ପ୍ରଥମ ପସନ୍ଦ। ବର୍ତ୍ତମାନ ଏହାର ଚାହିଦା ସାରା ଦେଶରେ ବଢ଼ିବାରେ ଲାଗିଛି। ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା ମେଳା, ମହୋତ୍ସବର ଷ୍ଟଲ୍‌ରେ କେନ୍ଦୁଝର ବଡ଼ି ଦେଖିବାକୁ ମିଳୁଛି। ତେବେ ଏହାକୁ କେବେ ଜିଆଇ ଟ୍ୟାଗ୍‌ ମିଳିବ ତାକୁ ନେଇ ପ୍ରଶ୍ନ ଉଠିଛି।

କେନ୍ଦୁଝର ଏକ ଆଦିବାସୀ ବହୁଳ ଗଡ଼ଜାତ ଅଞ୍ଚଳ ଥିଲା। ଲୋକଙ୍କ ଆର୍ଥିକ ଅବସ୍ଥା ଏତେ ସ୍ବଚ୍ଛଳ ନଥିଲା। ‌ଏଠାକାର ଲୋକଙ୍କ ମୁଖ୍ୟ ଖାଦ୍ୟ ଥିଲା ପଖାଳ। ବର୍ଷତମାମ ପଖାଳ ସହ ଲଗେଇ ଖାଇବା ପାଇଁ ମହିଳାମାନେ ଘରେ ବଡ଼ି ତିଆରି କରି ରଖୁଥିଲେ। ସମୟକ୍ରମେ କେନ୍ଦୁଝର ବାହାରେ ମଧ୍ୟ ଏହି ବଡ଼ିର ଚାହିଦା ବଢ଼ିବାରେ ଲାଗିଲା। କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମହିଳାମାନେ ବଡ଼ି ତିଆରି କରି ସ୍ଥାନୀୟ ବଜାରରେ ବିକ୍ରି କରୁଥିଲେ। ଏଥିରେ ସେମାନେ ସ୍ବଳ୍ପ ଲାଭ ପାଉଥିଲେ। ପରେପରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଓର୍‌ମାସ୍‌ ସହାୟତାରେ ବିଭିନ୍ନ ମେଳା, ମହୋତ୍ସବର ଷ୍ଟଲ୍‌ ଖୋଲି ଏହି ବଡ଼ି ବିକ୍ରି କରିବା ଆରମ୍ଭ କଲେ। ଓରମାସ୍ ପକ୍ଷରୁ ବଡ଼ି ତିଆରି ପାଇଁ ମହିଳାଙ୍କୁ ସ୍ୱଳ୍ପ ସୁଧରେ ଋଣ, ବିଭିନ୍ନ ଯନ୍ତ୍ରପାତ, ବଡ଼ି ଶୁଖାଇବା ପାଇଁ ମେସିନ୍‌, ପ୍ୟାକିଂ ମେସିନ୍‌, ଓଜନମାପ ମେସିନ୍‌, ଗ୍ରାଇଣ୍ଡର ପ୍ରଦାନ କରାଗଲା। ମହିଳାମାନେ ବର୍ତ୍ତମାନ ବଡ଼ି ପ୍ରସ୍ତୁତ କରି ଆତ୍ମନିର୍ଭରଶୀଳ ହୋଇଛନ୍ତି। କିନ୍ତୁ ଐତିହାସିକ ତଥ୍ୟ ଦେବାରେ ବିଳମ୍ବ ହେବା କାରଣରୁ କେନ୍ଦୁଝର ବଡ଼ିକୁ ଜିଆଇ ଟ୍ୟାଗ୍‌ ମିଳିବାରେ ବିଳମ୍ବ ହେଉଥିବା ଜଣାପଡ଼ିଛି।

କେନ୍ଦୁଝର ସଦର ବ୍ଲକ୍‌ ଡିମ୍ବୋ ପଞ୍ଚାୟତର ୧୫ଟି ସ୍ୱୟଂ ସହାୟକ ଗୋଷ୍ଠୀ ୨୦୦ ମହିଳାଙ୍କୁ ନେଇ ଶ୍ରୀ ମା’ ଉତ୍ପାଦକ ଗୋଷ୍ଠୀ ଏବଂ ଗୋବର୍ଦ୍ଧନର ୧୧ଟି ସ୍ୱୟଂ ସହାୟକ ଗୋଷ୍ଠୀର ୧୦୬ ମହିଳାଙ୍କୁ ନେଇ ଶୁଭଶ୍ରୀ ନାମକ ଉତ୍ପାଦକ ଗୋଷ୍ଠୀ ଗଠନ କରାଯାଇଛି। ଉଭୟ ଗୋଷ୍ଠୀ ବଡ଼ି ତିଆରି କରୁଛନ୍ତି। ଜଣେ ମହିଳା ଦିନକୁ ୨ରୁ ୩ କେଜି ହିସାବରେ ମାସକୁ ପ୍ରାୟ ୭୦/୭୫ କେଜି ପର୍ଯ୍ୟନ୍ତ ବଡ଼ି ତିଆରି କରୁଛନ୍ତି। ଏଥିରୁ ସେମାନେ ମାସିକ ୫ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି। ଓର୍‌ମାସ୍‌ ପକ୍ଷରୁ ବଡ଼ି ବିକ୍ରି ପାଇଁ ବଜାର ବ୍ୟବସ୍ଥା କରାଯାଇଛି। କେନ୍ଦୁଝରରେ ପ୍ରସ୍ତୁତ ହେଉଥିବା ବଡ଼ି ଓଡ଼ିଶାର ବିଭିନ୍ନ ଜିଲ୍ଲା ସମେତ ବେଙ୍ଗାଲୁରୁ, ନୂଆଦିଲ୍ଲୀ ସମେତ ଦେଶର ବଡ଼ବଡ଼ ସହରକୁ ଯାଉଛି। ଦେଶର କୋଣ ଅନୁକୋଣରେ ଆୟୋଜିତ ହେଉଥିବା ମେଳା, ମହୋତ୍ସବରେ କେନ୍ଦୁଝର ବଡ଼ିର ଷ୍ଟଲ୍‌ ଦେଖିବାକୁ ମିଳୁଛି।

କେନ୍ଦୁଝର ବଡ଼ି ସ୍ବାଦିଷ୍ଟ ହେବାର ପ୍ରମୁଖ କାରଣ ହେଉଛି ଏଥିରେ ବ୍ୟବହୃତ ହେଉଥିବା ପେଜୁଆ ବିରି। ପେଜୁଆ ବିରି ସାଧାରଣତଃ ପାହାଡ଼ିଆ ଅଞ୍ଚଳରେ ଚାଷ ହୋଇଥାଏ। ଏଥିରୁ ପ୍ରସ୍ତୁତ ଫୁଲବଡ଼ି, କଖାରୁବଡ଼ି, ମଞ୍ଜିବଡ଼ି ଓ ବାଦାମବଡ଼ି ସ୍ୱତନ୍ତ୍ର ଆଦର ରହିଛି। ଜିଲ୍ଲାରେ ବହୁ ମହିଳା ଅଛନ୍ତି ଯେଉଁମାନେ କାମଧନ୍ଦା ପାଉନାହାନ୍ତି। ସେମାନଙ୍କୁ ଏହି ବଡ଼ି ତିଆରି ତାଲିମ ଦେବା ଏବଂ ସେମାନଙ୍କ ଦ୍ବାରା ବଡ଼ିକୁ ବିକ୍ରି କରିବାର ବ୍ୟବସ୍ଥା କରାଗଲେ ସମ୍ପୃକ୍ତ ମହିଳାମାନେ ସ୍ବାବଲମ୍ବୀ ହୋଇପାରନ୍ତେ ବୋଲି ଅନେକ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର