କେନ୍ଦୁଝର ଜିଲ୍ଲାପାଳ ଏନ୍‌ଜିଟିରେ ହାଜର

ମଦନପୁର କାଜୁ ଜଙ୍ଗଲରୁ ମୋରମ୍‌ ଚାଲାଣ ଘଟଣା

କେନ୍ଦୁଝର/ ଆନନ୍ଦପୁର: ଜାତୀୟ ଜନଜାତି ଆୟୋଗଙ୍କ ଛାଟ ପରେ କେନ୍ଦୁଝର ଜିଲ୍ଲା ପ୍ରଶାସନକୁ ଲାଗିଛି ଏନ୍‌ଜିଟି ଛାଟ। କେନ୍ଦୁଝର ଜିଲ୍ଲା ଘସିପୁରା ତହସିଲ ଅନ୍ତର୍ଗତ ମଦନପୁର କାଜୁ ଜଙ୍ଗଲରୁ ବେଆଇନ ଭାବେ ମାଙ୍କଡ଼ାପଥର ଓ ମୋରମ ଚାଲାଣ ଘଟଣାରେ ଆଜି କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକ୍‌ରେ ଓ ଘସିପୁରା ତହସିଲଦାର ବାବୁଲ ପେରେଇ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ (ଏନ୍‌ଜିଟି)ରେ ହାଜର ହୋଇଛନ୍ତି। ଉଭୟ କୋଲକାତାସ୍ଥିତ ଏନ୍‌ଜିଟି କାର୍ଯ୍ୟାଳୟରେ ପହଞ୍ଚି ନିଜର ପକ୍ଷ ରଖିଛନ୍ତି।

ମଦନପୁର ମୌଜାର ୪୦ ଏକର ପରିମିତ କାଜୁ ଜଙ୍ଗଲରୁ ବେଆଇନ ମାଙ୍କଡା ପଥର ଓ ମୋରମ ଚାଲାଣ ନେଇ ୨୦୧୯ ଫେବ୍ରୁଆରିରେ ସ୍ଥାନୀୟ ଅଧିବାସୀ ସୁଧାଂଶୁ ଶେଖର କୁଅଁର ଓ ସମ୍ବିତ କୁମାର କୁଅଁର ଜାତୀୟ ସବୁଜ ପ୍ରାଧିକରଣ(ଏନ୍‌ଜିଟି)ଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ଅଭିଯୋଗ ଆଧାରରେ ଏନ୍‌ଜିଟି ତଦନ୍ତ ନିମନ୍ତେ ଏକ ଯୁଗ୍ମ କମିଟି ଗଠନ କରିଥିଲେ । ତଦନ୍ତ କମିଟି ରିପୋର୍ଟ ଆଧାରରେ ୭ କୋଟି ୩୦ ଲକ୍ଷ ଟଙ୍କା ପରିବେଶ କ୍ଷତି ଭରଣା କରିବାକୁ ଧାର୍ଯ୍ୟ ହୋଇଥିଲା। ତେବେ ଧାର୍ଯ୍ୟ ଜରିମାନା ଆଦାୟ ହୋଇନଥିବା ବେଳେ କୌଣସି ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇନାହିଁ ।

ଏ ନେଇ ଗତ ମାର୍ଚ୍ଚ ୨୨ ତାରିଖ‌ରେ ଶୁଣାଣିରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ପଥର ମାଫିଆଙ୍କ ବି‌ରୋଧରେ କୋହଳ ମନୋଭାବକୁ ପୋଷଣ କରୁଥିବାରୁ ଏନ୍‌ଜିଟି ଏହାକୁ ନ‌ାପସନ୍ଦ କରିଥିଲେ। ତୁରନ୍ତ ସେମାନଙ୍କଠାରୁ କ୍ଷତିପୂରଣ ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ, ଏପ୍ରିଲ ୨୯ରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଜିଲ୍ଲାପାଳ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏନ୍‌ଜିଟିର ସମନ ଅନୁସାରେ କେନ୍ଦୁଝର ଜିଲ୍ଲାପାଳ ଓ ଘସିପୁରା ତହସିଲଦାର ବ୍ୟକ୍ତିଗତ ହାଜର ହୋଇ ପକ୍ଷ ରଖିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୫ ତାରିଖରେ ରଖାଯାଇଛି ।

ସମ୍ବନ୍ଧିତ ଖବର