ଆଲୋକୀକରଣ ଦୁର୍ନୀତି: ମାର୍‌ମାର୍‌ ଭଣ୍ଡାରିଆକୁ ମାର୍‌; ଅନ୍ନଦାଙ୍କୁ ପୁଣି କଟକରୁ ଉଠାଇଲା ପୁଲିସ

ଜେଲ୍‌ ଭୟ ଦେଖାଇ ଦୁର୍ନୀତି ଚାପିବାକୁ ଉଦ୍ୟମ

ଲୋକାୟୁକ୍ତକୁ ଗଲା ମାମଲା, ଠକିଥିବା ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୂନ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପୌରାଞ୍ଚଳ ଆଲୋକୀକରଣ ଦୁର୍ନୀତିକୁ ନେଇ ଏବେ ଚର୍ଚ୍ଚା। କେନ୍ଦୁଝର ସହିତ ରାଜ୍ୟର ଆଉ କେତେକ ସ୍ଥାନରେ ସମାନ ଢଙ୍ଗର ଦୁର୍ନୀତି ସାମ୍‌ନାକୁ ଆସିବାରେ ଲାଗିଛି। ଏହାଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ଓଲଟି ଠିକାସଂସ୍ଥାର ଜଣେ ସାଧାରଣ କର୍ମଚାରୀଙ୍କୁ ଟାର୍ଗେଟ କରାଯାଇଛି। ଗଣମାଧ୍ୟମକୁ ସୂଚନା ଦେଇଥିବା ସନ୍ଦେହ କରି ତାଙ୍କୁ ଆଇନ ଜାଲରେ ଛନ୍ଦିବାକୁ ଉଦ୍ୟମ ହୋଇଛି। କେନ୍ଦୁଝରଗଡ଼ ପୌରପାଳିକା ନିର୍ବାହୀ ଅଧିକାରୀଙ୍କ ଅଭିଯୋଗ କ୍ରମେ ଆଜି କେନ୍ଦୁଝର ଟାଉନ ଥାନା ପୁଲିସ ଆସ୍ଥା ଇଲେକ୍ଟିକାଲ ଠିକା ସଂସ୍ଥାର ପୂର୍ବତନ ସୁପରଭାଇଜର ଅନ୍ନଦା ମହାପାତ୍ରଙ୍କୁ କଟକରୁ ଉଠାଇ ଆଣିଛି। ଏହିଭଳି ଘଟଣା ପରେ ଜେଲ୍‌ ଭୟ ଦେଖାଇ ଦୁର୍ନୀତିକୁ ଚାପିଦେବା ପାଇଁ ଉଦ୍ୟମ ହେଉଥିବା ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ, ଏହି ଦୁର୍ନୀତି ଏବେ ଲୋକାୟୁକ୍ତରେ ପହଞ୍ଚିଛି। ଆଇନଜୀବୀ ହିମାଂଶୁ ନାୟକ ଆଜି ଲୋକାୟୁକ୍ତଙ୍କ ପାଖରେ ସତ୍ୟପାଠ ଜରିଆରେ ମାମଲା ଦାଏର କରିଛନ୍ତି।

ଗତ ୨୫ ତାରିଖରେ ପୁଲିସ କେନ୍ଦୁଝରସ୍ଥିତ ତାଙ୍କ ଘରୁ ଅନ୍ନଦାଙ୍କୁ ଉଠାଇ ନେଇଥିଲା। ଏହାପରେ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଚିକିତ୍ସା ପାଇଁ ଛାଡ଼ି ଦେଇଥିଲେ । ତେବେ ଆଜି ତାଙ୍କୁ ପୁଲିସ ପୁଣି କଟକରୁ କେନ୍ଦୁଝର ଆଣିଥିଲେ। ହେଲେ କେନ୍ଦୁଝରରେ ପହଞ୍ଚିବା ଭିତରେ ଶ୍ରୀ ମହାପାତ୍ର ଅସୁସ୍ଥ ହୋଇପଡ଼ିବାରୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ଦୋଷୀ ଅଧିକାରୀ ଏବଂ ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ମାର ମାର ଭଣ୍ଡାରିଆକୁ ମାର ନ୍ୟାୟରେ ଅନ୍ନଦାଙ୍କ ପଛରେ ପୁଲିସ ପଡ଼ିଛି ବୋଲି ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ଜୋର୍‌ ଧରିଛି।

କେନ୍ଦୁଝରଗଡ଼ ପୌରପାଳିକା ସମେତ ଆନନ୍ଦପୁର, ଯୋଡ଼ା ଭଳି ସମସ୍ତ ପୌରସଂସ୍ଥା‌ରେ ପ୍ରାୟ ୧୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଆଲୋକୀକରଣ ଦୁର୍ନୀତି ହୋଇଛି।

Dailyhunt

ଏହି ସବୁ ପୌରପାଳିକାରେ ଠିକା ସଂସ୍ଥା ‘ ଆସ୍ଥା ଇଲେକ୍ଟ୍ରିକାଲ’ ନୂଆ ଏଲ୍‌ଇଡି ଲାଇଟ୍‌ ଲଗାଇବା କାର୍ଯ୍ୟରେ ନିୟୋଜିତ ଥିଲା। ଏହି ଦୁର୍ନୀତି ସଂପର୍କରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ଗଣମାଧ୍ୟମକୁ ସୂଚନା ଦେଉଥିବା ସନ୍ଦେହରେ ଆସ୍ଥା ଇଲେକ୍ଟ୍ରିକାଲର ମୁଖ୍ୟ କମଲ ମିତ୍ତଲ ଟେଲିଫୋନ ଯୋଗେ ଏହାର ପୂର୍ବତନ କର୍ମଚାରୀ ଅନ୍ନଦା ମହାପାତ୍ରଙ୍କୁ ଧମକ ଦେଇଥିଲେ। କହିଥିଲେ, ଆଲୋକୀକରଣ ନେଇ ଯାହାବି ଅନିୟମିତତା ହୋଇଛି, ତାହା କେବଳ ତୁମେ ଜାଣିଥିଲ। ଏବେ ଖବରକାଗଜର ସାମ୍ବାଦିକ କେମିତି ଜାଣିଲେ? ତୁମ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯିବ, କେବେ ବି ଭୁଲି ପାରିବ ନାହିଁ କହି ଧମକାଇଥିଲେ। କମଲ ମିତ୍ତଲ ଧମକ ଦେବାର ଚାରି ଦିନ ପରେ କେନ୍ଦୁଝରଗଡ଼ ପୌରପାଳିକାର ନିର୍ବାହୀ ଅଧିକାରୀ ମଧୁସ୍ମିତା ସାମନ୍ତରାୟ କେନ୍ଦୁଝର ଟାଉନ ଥାନାରେ ଏକ ଅଭିଯାଗ କରିଥିଲେ। ଫଳରେ ଅନ୍ନଦା ମହାପାତ୍ରଙ୍କ ନାମରେ ମାମଲା ରୁଜୁ ହୋଇଛି। ଏହି ମାମଲାକୁ ଆଧାର କରି ଗତ ୨୫ ତାରିଖରେ ଶ୍ରୀ ମହାପାତ୍ରଙ୍କୁ ଟାଉନ ଥାନା ପୁଲିସ ଉଠାଇ ଆଣିଥିଲେ ବି ଅସୁସ୍ଥତା କାରଣରୁ ଛାଡ଼ିଦେଇଥିଲା। ତେବେ ଆଜି କଟକରୁ ତାଙ୍କୁ ପୁଣି ପୁଲିସ ଉଠାଇ ଆଣିଛି। ଅନ୍ନଦାଙ୍କ ଉପରେ ଏଭଳି ଚାପ ପକାଯିବାକୁ ନେଇ ପ୍ରଶାସନର ପାରିବାପଣିଆ ଉପରେ ଅଙ୍ଗୁଳି ଉଠିଛି। ଠକିଥିବା ଠିକାସଂସ୍ଥା ବି‌ରୋଧରେ ମାମଲା ନକରି ଜଣେ ପୂର୍ବତନ କର୍ମଚାରୀଙ୍କ ପଛରେ ପୁଲିସ ପଡ଼ିବା ଘଟଣାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି।

ଏହିଭଳି ଏକ ଚର୍ଚ୍ଚା ଭିତରେ ଆଲୋକୀକରଣ ଦୁର୍ନୀତି ମାମଲା ଆଜି ଲୋକାୟୁକ୍ତଙ୍କ ନିକଟରେ ପହଞ୍ଚିଛି। ଆଇନଜୀବୀ ହିମାଂଶୁ ନାୟକ ଆଜି ଲୋକାୟୁକ୍ତଙ୍କ ପାଖରେ ସତ୍ୟପାଠ ଜରିଆରେ ମାମଲା ଦାଏର କରିଛନ୍ତି। ଆଇନଜୀବୀ ଶ୍ରୀ ନାୟକ ତାଙ୍କ ପିଟିସନରେ ଦର୍ଶାଯାଇଛନ୍ତି ଯେ ପୌରାଞ୍ଚଳଗୁଡିକରେ ଏନ୍‌ର୍ଜି ଏଫିସିଏନ୍ସି ସର୍ଭିସେ୍‌ ଲିମେଟଡ(ଇଇଏସ୍‌ଏଲ) ପକ୍ଷରୁ ଆଲୋକୀକରଣ କାର୍ଯ୍ୟ କରାଯାଉଥିବ‌େ ବେଳେ ଏହି କାର୍ଯ୍ୟକୁ ଇଇଏସ୍‌ଏଲ୍‌ ଆସ୍ଥା ଇଲେକ୍ଟ୍ରିକାଲକୁ ଠିକା ଦେଇଥିଲା। ମାତ୍ର ବାସ୍ତବ କଥା ହେଉଛି, ଯେଉଁ ହିସାବରେ ବିଭିନ୍ନ ପୌରାଞ୍ଚଳରେ ଏଲଇଡି ଲାଇଟ୍‌ ଲାଗିବା କଥା, ତାହା ଲାଗିନାହିଁ। ଏମିତିକି ପୌରପାଳିକାର ନିର୍ବାହୀ ଅଧିକାରୀମାନେ ରାଜ୍ୟ ସରକାରଙ୍କ ପୌର ପ୍ରଶାସନର ନିର୍ଦ୍ଦେଶକଙ୍କୁ ଯେଉଁ ଆସେଟ କ୍ରିଏସନ ରିପୋର୍ଟ ଦେଇଛନ୍ତି, ସେହି ରିପୋର୍ଟ ଅନୁସାରେ ମଧ୍ୟ ଏଲଇଡି ଲାଇଟ୍‌ ଲାଗିନାହିଁ କି ଖୁଣ୍ଟରେ ଆର୍ଥିଂ ହେଇନାହିଁ। ଏହି ଆଲୋକୀକରଣ କାର୍ଯ୍ୟରେ ଏକ ବଡ଼ଧରଣର ଦୁର୍ନୀତି ହୋଇଥିବା ନେଇ ‌ ଅଭିଯୋଗ କରିଛନ୍ତି। କେନ୍ଦୁଝରଗଡ ପୌରପାଳିକାର ନିର୍ବାହୀ ଅଧିକାରୀ ମଧୁସ୍ମିତା ସାମନ୍ତରାୟ, ଆନନ୍ଦପୁର ପୌରପାଳିକାର ନିର୍ବାହୀ ଅଧିକାରୀ ବିପିନ କୁମାର ପ୍ରଧାନ, ଯୋଡା ପୌର ପାଳିକାର ନିର୍ବାହୀ ଅଧିକାରୀ ବିଚିତ୍ରାନନ୍ଦ ନାୟକ, ଚମ୍ପୁଆ ଏନ୍‌ଏସିର ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାଙ୍କ ସହିତ ଆସ୍ଥା ଇଲେକ୍ଟ୍ରିକାଲର ପରିଚାଳନା ନିର୍ଦ୍ଦେଶକ ଏବଂ ଇଇଏସ୍‌ଏଲର ନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରିଛନ୍ତି। ଏଥିସହିତ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ଏଜେନ୍ସି ପ୍ରକଳ୍ପ ନିର୍ଦ୍ଦେଶକ ଘାସିରାମ ମୁର୍ମୁ, ଜିଲ୍ଲାପାଳ ଆଶିଷ୍‌ ଠାକ୍‌ରେ ଏବଂ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି ମାଥି ଭାଥନନଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି।

Keonjhargah Municipality

ଉଲ୍ଳେଖଯୋଗ୍ୟ ଯେ  ଓଡ଼ିଶାର ଅନ୍ୟ ପୌରାଞ୍ଚଳ ପରି କେନ୍ଦୁଝର ଜିଲ୍ଲାର କେନ୍ଦୁଝରଗଡ ପୌରପାଳିକାରେ ଅତ୍ୟାଧୁନିକ ଏଲ୍‌ଇଡି ଲାଇଟ୍‌ ଲାଗିବା ପାଇଁ ବ୍ୟବସ୍ଥା ହୋଇଥିଲା। ଏଥିପାଇଁ ରାଜ୍ୟ ସରକାରଙ୍କର ‘ସୁଡା’ବା‌ ଷ୍ଟେଟ୍‌ ଅର୍ବାନ ଡେଭଲପମେଣ୍ଟ ଏଜେନ୍ସି ପକ୍ଷରୁ କେନ୍ଦୁଝର ଗଡ଼ ପୌରପାଳିକା ସହିତ ଗତ ୨୦୧୭ ମସିହା ଅଗଷ୍ଟ ୩୦ ତାରିଖରେ  ଏନର୍ଜି ଏଫି‌ସିଏନ୍ସି ସର୍ଭିସ ଲିମିଟେଡ ବା ଏସେଲ (EESL) ଚୁକ୍ତିନାମା କରିଥିଲା। ଏହାପରେ ଏସେଲ (EESL) ଉକ୍ତ କାମକୁ  ଆସ୍ଥା ଇଲେକ୍ଟ୍ରିକାଲ ନାମକ ହରିୟାଣାର ଏକ ଠିକା ସଂସ୍ଥାକୁ ଗତ ୨୦୧୮ ମସିହା ଡିସେମ୍ବର ୧୮ ତାରିଖରେ ସବଲେଟ୍‌ରେ ଦେଇଥିଲା। ତେବେ ଏହି କାମରେ ବ୍ୟାପକ ଦୁର୍ନୀତି ହୋଇଥିବା ‘ସମ୍ବାଦ’ର ଅନୁସନ୍ଧାନରୁ ଜଣାପଡ଼ିଥିଲା। ଲଗାତର ଖବର ପ୍ରକାଶନ ପରେ ତଦନ୍ତ ଆରମ୍ଭ‌ ହୋଇଥିବା ବେଳେ ଏବେ ଏହାକୁ ନେଇ ଆଇନଜୀବୀ ଶ୍ରୀ ନାୟକ ଲୋକାୟୁକ୍ତଙ୍କ ଦ୍ବାରସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର