କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ଗାଡ଼ି ଉପରକୁ ବୋମାମାଡ଼ ଘଟଣା: ୩ ଗିରଫ 

କେନ୍ଦୁଝର: କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ଗାଡ଼ି ଉପରକୁ ବୋମାମାଡ଼ କରାଯିବା ଘଟଣାରେ ୩ଜଣଙ୍କୁ ପୁଲିସ ଗିରଫ କରିଛି। ଏହି ୩ ଅଭିଯୁକ୍ତଙ୍କୁ କେନ୍ଦୁଝର ପୁଲିସ ଗିରଫ କରିଛି।

ସୂଚନାଯୋଗ୍ୟ, ଗତ ରବିବାର ଦିନ ପ୍ରାୟ ୧୨ଟା ବେଳେ ଶ୍ରୀ ମାଝୀ ମଣ୍ଡୁଆସ୍ଥିତ ଶିକ୍ଷା ବିକାଶ ସମିତି କାର୍ଯ୍ୟାଳୟରେ ଆୟୋଜିତ ଭାରତୀୟ ମଜଦୁର ସଂଘର ବୈଠକରେ ଯୋଗଦେଇ ନିଜ ଫର୍ଚୁନର କାର୍ ରେ ଫେରୁଥିଲେ। ମଣ୍ଡୁଆ ଯୋଗାଣ ବିଭାଗ ଗୋଦାମ ରାସ୍ତା ନିକଟ ଜାତୀୟ ରାଜପଥ ପାଖରେ ଦୁଇଜଣ ଅଜଣା ବ୍ୟକ୍ତି ଏକ ମୋଟରସାଇକଲରେ ଆସି ତାଙ୍କ ଗାଡ଼ି ଉପରକୁ ବୋମାମାଡ଼ କରିଥିଲେ। ଗାଡ଼ିରେ ଥିବା ବିଧାୟକ, ପିଏସ୍ଓ, ପିଏ ଓ ଡ୍ରାଇଭର ଓହ୍ଲାଇଯିବା ପରେ ଦୁର୍ବୃତ୍ତମାନେ ପୁଣି ଆଉ ଏକ ବୋମା ଗାଡ଼ି ଉପରକୁ ଫିଙ୍ଗିଥିଲେ। ବୋମାମାଡ଼ କରିବା ପରେ ମୋହନଙ୍କ ପିଏସ୍ଓ ଦୁର୍ବୃତ୍ତଙ୍କ ପିଛା କରିଥିଲେ। କିନ୍ତୁ ଦୁଇ ଦୁର୍ବୃତ୍ତ ନରଣପୁର ଅଭିମୁଖେ ଫେରାର ହୋଇଯାଇଥିଲେ। ଏନେଇ ମୋହନ କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ରାଜ୍ୟ ଯୁବ ବିଜେଡି ଉପସଭାପତି ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ର ଏଭଳି ଷଡଯନ୍ତ୍ର କରିଥାଇ ପାରନ୍ତି ସେ ନିଜ ଅଭିଯୋଗରେ ଦର୍ଶାଇଥିଲେ।

ମୋହନଙ୍କ କହିବା ଅନୁସାରେ, ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଛି। କିଛିଦିନ ତଳେ ଓଏମସିରେ ହୋଇଥିବା ଶ୍ରମିକ ଆନ୍ଦୋଳନରେ ବିଜେଡି କର୍ମୀମାନେ ତାଙ୍କ ଲୋକଙ୍କୁ ଆକ୍ରମଣ କରିଥିଲେ। ଖବର ପାଇବା ପରେ ସେ ଘଟଣାସ୍ଥଳକୁ ଯାଇଥିଲେ। ସେହିପରି କେନ୍ଦୁଝର ସଦର ବ୍ଲକ୍ ରେ ହୋଇଥିବା ଏକ ସଭାରେ ଯୁବ ବିଜେଡି ଉପସଭାପତି ରାଜା ଚକ୍ର ଯୋଗଦେଇ ନିଜ ଭାଷଣରେ ମୋହନ ମାଝୀଙ୍କ ଅଣ୍ଟା ଭାଙ୍ଗିଦେବେ ବୋଲି କହିଥିଲେ। ବୋମାମାଡ଼ ତାଙ୍କ ଇଙ୍ଗିତରେ ହୋଇଥାଇପାରେ ବୋଲି ମୋହନ କହିଥିଲେ।

ସମ୍ବନ୍ଧିତ ଖବର