ବିଧବା ମହିଳାଙ୍କ ଦୋକାନ ଭାଙ୍ଗିଲା କେନ୍ଦୁଝରଗଡ଼ ପୌର ପ୍ରଶାସନ

କେନ୍ଦୁଝର : କେନ୍ଦୁଝରଗଡ ପୌରପାଳିକାର ଡେଲି ମାର୍କେଟରେ ଦୀର୍ଘ ୪୦ ବର୍ଷରୁ ଅଧିକ ସମୟ ହେଲାଣି ଜଣେ ବିଧବା ମହିଳା ବାଢୁଣୀ ଦୋକାନ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ। ଆଜି ସେହି ମହିଳାଙ୍କ ଦୋକାନକୁ ପୌରପାଳିକା ଭାଙ୍ଗି ଦେଇଛି।

ଡେଲି ମାର୍କେଟରେ ସ୍ବର୍ଗତ ରବୀନ୍ଦ୍ର କୁମାର ପତି ଘର କରି ରହୁଥିଲେ। ତାଙ୍କ ବାପା ସେଠାରେ ଏକ ବାଢୁଣୀ ଦୋକାନ କରି ପରିବାର ଚଳାଉ ଥିଲେ। ବାପାଙ୍କ ପରେ ପୁଅ ମଧ୍ୟ ସେହି ଦୋକାନକୁ ଚଳାଉଥିଲା। ହେଲେ ରବୀନ୍ଦ୍ରଙ୍କର ପାଖାପାଖି ୨୦ ବର୍ଷ ପୂର୍ବେ ମୃତ୍ୟୁ ହୋଇଯାଇଥିଲା। ତାଙ୍କର ୨ଟି ଛୋଟ ଝିଅ ଥିଲେ। ପରିବାର ପୋଷିବା ପାଇଁ ବାଧ୍ୟ ହୋଇ ବିଧବା ସୁମିତ୍ରା ପତି ସେହି ଦୋକାନ ଚଳାଇ ଥିଲେ। ଆଜି ସେହି ଦୋକାନକୁ ପୌରପାଳିକା ଭାଙ୍ଗି ସେଠାରେ ଭେଣ୍ଡିଂ ଜୋନ ତିଆରି କରିଛି। ସେଠାରେ ୩ଟି ଦୋକାନ ତିଆରି କରାଯାଇଥିବା ବେଳେ ଗୋଟିଏ ହେମନ୍ତ କୁମାର ବେହେରା ଓ ଆଉ ଗୋଟିଏ ନନ୍ଦ କିଶୋର ‌ସାହୁଙ୍କୁ ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟଟି ଆଉ ଜଣେ ବ୍ୟକ୍ତିଙ୍କୁ ପ୍ରଦାନ କରିବା ପାଇଁ ପୌରପାଳିକାର କିଛି କର୍ମଚାରୀ ଚକ୍ରାନ୍ତ କରିଥିବା ସୁମିତ୍ରା ଅଭିଯୋଗ କରିଛନ୍ତି। ୪୦ ବର୍ଷରୁ ଅଧିକ ସମୟ ହେଲାଣି ସେଠାରେ ଦୋକାନ କରିଛନ୍ତି। ତାଙ୍କୁ ଭେଣ୍ଡିଂ ଜୋନ ପ୍ରଦାନରେ ପ୍ରାଥମିକତା ଦିଆଯିବାକୁ ଥିଲେ ହେଁ ତାଙ୍କ ପ୍ରତି ଅବହେଳା କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ଯଦି ପ୍ରଶାସନ କିଛି ବ୍ୟବସ୍ଥା ନକରେ ସେ ଜୀବନ ହାରିଦେବେ ବୋଲି ଚେତାବନୀ ଶୁଣାଇଛନ୍ତି।

ସୁମିତ୍ରାଙ୍କ ଦୋକାନ ଉଚ୍ଛେଦ ସମୟରେ କେନ୍ଦୁଝରଗଡ଼ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ମଧୁସ୍ମିତା ସାମନ୍ତରାୟ, ସଦର ତହସିଲଦାର ଆଶିଷ ମହାପାତ୍ର, ଟାଉନ ଥାନା ଅଧିକାରୀ ପ୍ରମୋଦିନୀ ସାହୁଙ୍କ ସମେତ ବହୁ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର