ନିରବି ଗଲା କେନ୍ଦୁଝରର ସ୍ବର: ଆଉ ନାହାନ୍ତି ୱିଙ୍ଗ୍‌ କମାଣ୍ଡର କିରଣଶଙ୍କର

କେନ୍ଦୁଝର: ନିରବି ଗଲା କେନ୍ଦୁଝରର ସ୍ବର। କେନ୍ଦୁଝର ନାଗରିକ ମଞ୍ଚର ସଭାପତି ତଥ‌ା ୱିଙ୍ଗ୍‌ କମାଣ୍ଡର କିରଣ ଶଙ୍କର ସାହୁ ଆଉ ନାହାନ୍ତି। ୮୩ ବର୍ଷ ବୟସରେ ଆଜି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ସନ୍ଧ୍ୟା ୭ଟାବେଳେ ଚିକିତ୍ସା‌ଧୀନ ଅବସ୍ଥାରେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି। ୧୯୪୦ ସେପ୍ଟେମ୍ବର ୧୧ ତାରିଖରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ବୃନ୍ଦାବନ ସାହୁଙ୍କ ଦ୍ବିତୀୟ ପୁତ୍ର ଭାବେ ଜନ୍ମିତ କିରଣ ବାରିପଦାରେ ବିଦ୍ୟାଳୟ ଶିକ୍ଷା ସମାପ୍ତ କରି ରେଭେନ୍ସା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ପଢ଼ିଥିଲେ। ଏହାପରେ ସେ ଖଡ଼ଗପୁର ଆଇଆଇଟିରୁ ମେକାନିକାଲ ଇଞ୍ଜିନିୟରିଂରେ ବିଟେକ୍‌ ପାସ୍‌ କରି ଭାରତୀୟ ବାୟୁସେନା‌ରେ ଯୋଗ ଦେଇଥିଲେ। ବାୟୁସେନାରେ କାର୍ଯ୍ୟରତ ଥିବାବେଳେ ସେ ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସରୁ ଏରୋନଟିକାଲ୍‌ ଇଞ୍ଜିନିୟରିଂରେ ଏମ୍‌ଟେକ୍‌ ଶିକ୍ଷା ଗ୍ରହଣ କରିଥିଲେ। ସେହିପରି ଡିଫେନ୍ସ ଷ୍ଟାଫ୍‌ କଲେଜରୁ ଏମ୍‌ବିଏ ଡିଗ୍ରି ହାସଲ କରିଥିଲେ।

୧୯୬୨ ଚୀନ୍‌-ଭାରତ ଯୁଦ୍ଧ‌ରେ ଭାରତୀୟ ଯବାନଙ୍କ ଲଢ଼େଇରେ ଅନୁପ୍ରାଣିତ ହୋଇ ସେ ସେ ଆଇଆଇଟିରୁ ଶିକ୍ଷାଲାଭ କରିବା ସତ୍ତ୍ବେ ବାୟୁସେନାରେ ୧୯୬୩ ଡିସେମ୍ବର ୧୩ ତାରିଖରେ ଯୋଗଦେଇ ବହୁ ଗୁରୁତ୍ବପୂର୍ଣ୍ଣ ପଦପଦବିରେ ରହିଥିଲେ। ସେ ୧୯୮୯ ମେ ୯ ତାରିଖରେ ୱିଙ୍ଗ୍‌ କମାଣ୍ଡର ଭାବେ ଅବସର ଗ୍ରହଣ କରିଥିଲେ। ଅବସର ପରେ ନିଜର କର୍ମଭୂମି ଭାବେ କେନ୍ଦୁଝରକୁ ବାଛି ନେଇଥିଲେ। ‌୧୯୯୦ ମସିହାରୁ କେନ୍ଦୁଝର ସହରସ୍ଥିତ ଅରଡ଼େଇ ନଦୀକୂଳ ବାଁପାରସ୍ଥିତ ବାସଭବନରେ ରହିଆସୁଥିବା କିରଣ କେନ୍ଦୁଝରର ମାଟି, ପାଣି, ପବନକୁ ବେଶ ଭଲ ପାଉଥିଲେ।

କେନ୍ଦୁଝର ଜିଲ୍ଲାର ବିକାଶ ପାଇଁ ତାଙ୍କ ଅବଦାନକୁ ସ୍ବୀକୃତି ଜଣାଇ ଉତ୍ତରଓଡ଼ିଶା ବିଶ୍ବବିଦ୍ୟାଳୟ ତାଙ୍କୁ ଭୂମିପୁତ୍ର ସମ୍ମାନରେ ସମ୍ମାନିତ କରିଥିଲା। ସେ କେନ୍ଦୁଝର ଜିଲ୍ଲାର ବିକାଶ ପାଇଁ ଅହରହ ଲଢ଼େଇ ଜାରି ରଖିଥିଲେ। କେନ୍ଦୁଝର ଜିଲ୍ଲାରେ ଷ୍ଟିଲ୍‌ପ୍ଲାଣ୍ଟ ପ୍ରତିଷ୍ଠା ଠାରୁ ଆରମ୍ଭ କରି ବୈତରଣୀ ନଦୀର ସୁରକ୍ଷା ପାଇଁ ସ୍ବର ଉତ୍ତୋଳନ କରିଆସୁଥିଲେ। କେନ୍ଦୁଝର ଜିଲ୍ଲାର ଆଦିବାସୀଙ୍କ ଜୀବନ ଜୀବିକା ସୁରକ୍ଷା ଦିଗରେ ସେ ସବୁବେଳେ ପ୍ରଶାସନ ସହ ଲଢ଼େଇ ଜାରି ରଖିଥିଲେ। କେନ୍ଦୁଝର ନାଗରିକ ମଞ୍ଚର ସଭାପତି ପଦରେ ରହି ସେ ଜିଲ୍ଲାରେ ଜାତୀୟ ରାଜପଥ ନିର୍ମାଣଠାରୁ ଆରମ୍ଭ କରି ଡିଏମ୍‌ଏଫ୍‌ ପାଣ୍ଠିର ସଦୁପଯୋଗ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ। ଶେଷଥର ପାଇଁ ୪୯ ନମ୍ବର ଜାତୀୟ ରାଜପଥର ତ୍ରୁଟିପୂର୍ଣ୍ଣ ବାଇପାସ୍‌ ନିର୍ମାଣକୁ ବିରୋଧ କରି ସେ ବିଭିନ୍ନ ଫୋରମ‌ର ଦ୍ବାରସ୍ଥ ହୋଇଥିଲେ। ତ୍ରୁଟିପୂର୍ଣ୍ଣ ବାଇପାସ୍‌ ଦ୍ବାରା କେନ୍ଦୁଝରବାସୀଙ୍କ କିଭଳି ଧନଜୀବନ ହାନି ହେବ ସେ ସମ୍ପର୍କରେ ଉଲ୍ଲେଖ କରି ରାଜ୍ୟ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହେବା ପରେ ନଭେମ୍ବର ୨୪ ତାରିଖରେ ମାନବାଧିକାର କମିସନଙ୍କ ଏକ ଟିମ୍‌ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଏହି ଟିମ୍‌ ସହିତ କିରଣ ମଧ୍ୟ ଉପସ୍ଥିତ ଥିଲେ।

ଏହାପରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ପତ୍ନୀ ତଥା ୱିଙ୍ଗ କମାଣ୍ଡର ଡାକ୍ତର ଜୟଶ୍ରୀ ସାହୁଙ୍କ ତତ୍ତ୍ବାବଧାନରେ ସେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଫୁସ୍‌ଫୁସ୍‌ ଜନିତ ରୋଗରେ ସେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଆଜି ସନ୍ଧ୍ୟାରେ ତାଙ୍କର ପରଲୋକ ଘଟିଛି। ପଛରେ ସେ ପତ୍ନୀ ଜୟଶ୍ରୀ, ପୁଅ ରାହୁଲ ଓ ଝିଅ ଅନୁରାଧାଙ୍କୁ ଛାଡ଼ି ଯାଇଛନ୍ତି। ତାଙ୍କର ପୁଅଝିଅ ବିବାହ କରିବା ପରେ ବିଭିନ୍ନ ଉଚ୍ଚ ପଦବିରେ ଅବସ୍ଥାପିତ ଅଛନ୍ତି। ତାଙ୍କ ପରଲୋକ ଖବର ପାଇ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ଜାତୀୟ ଅନୁସୂଚିତ ଜନଜାତି କମିସନ ସଦସ୍ୟ ତଥା ପୂର୍ବତନ ସାଂସଦ ଅନନ୍ତ ଚରଣ ନାଏକ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର