କେନ୍ଦୁଝର : ବିଚାରପତିଙ୍କୁ ପୁଲିସର ଦୁର୍ବ୍ୟବହାର!

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ପୁଲିସର କଳଙ୍କିତ ଚେହେରା ପ୍ରତିଦିନ ସାମ୍‌ନାକୁ ଆସିବାରେ ଲାଗିଛି। ଏବେ ଜଣେ ବିଚାରବିଭାଗୀୟ ମାଜିଷ୍ଟ୍ରେଟଙ୍କୁ ଜଣେ ବିବାଦୀୟ ପୁଲିସ ସବ୍‌ଇନ୍ସପେକ୍ଟରଙ୍କ ଦୁର୍ବ୍ୟବହାର କରିଥିବା ନେଇ ଚର୍ଚ୍ଚା ଚାଲିଛି। ଏହି ଘଟଣାରେ ଯଦିଓ ଥାନାରେ ଏତଲା ଦିଆଯାଇନାହିଁ ତେବେ ମାମଲା ସମାଧାନ ମଧ୍ୟ ହୋଇନାହିଁ। ଏହି ପ୍ରସଙ୍ଗ ଓଡ଼ିଶା ହାଇକୋର୍ଟ ପର୍ଯ୍ୟନ୍ତ ଯାଇପାରେ ବୋଲି ଆଲୋଚନା ହେଉଛି। ଆଇନଜୀବୀମାନେ ଏ ବିଷୟରେ ଅବଗତ ଥିବା ଆଲୋଚନା ହୋଇଛି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସ‌ାରେ, ବୁଧବାର ସନ୍ଧ୍ୟା ୬ଟା ୩୦ ମିନିଟ ସମୟରେ କେନ୍ଦୁଝର ମାଇନିଂ ରୋଡ୍‌ରେ ଏହି ଘଟଣା ଘଟିଥିଲା। କେନ୍ଦୁଝର ଟାଉନ ଥାନାର ସଂପୃକ୍ତ ବିବାଦୀୟ ସବଇନ୍ସପେକ୍ଟର ଜିଲ୍ଲା ଜଜ୍‌ କୋର୍ଟରେ କାର୍ଯ୍ୟରତ ଜନୈକ କନିଷ୍ଠ ବିଚାରପତିଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏ ସଂପର୍କରେ କନିଷ୍ଠ ବିଚାରପତି ତାଙ୍କ ଉପରିସ୍ଥଙ୍କୁ ଜଣାଇବା ପରେ ଘଟଣାର ଛାନ୍‌ଭିନ୍‌ ଆରମ୍ଭ ହୋଇଥିଲା। ରାତିରେ ଏହି ଘଟଣା କେନ୍ଦୁଝର ସହରରେ ଚର୍ଚ୍ଚାର ବିଷୟ ହୋଇଥିଲା। ଗୁରୁବାର ସକାଳ ୯ଟାରୁ ଅପରାହ୍‌ଣ ଗୋଟାଏ ପର୍ଯ୍ୟନ୍ତ ଏହି ସବଇନ୍ସପେକ୍ଟରଙ୍କୁ କେନ୍ଦୁଝର ଜିଲ୍ଲା ଜଜ୍‌ କୋର୍ଟ ପରିସରରେ ଦେଖିବାକୁ ମିଳିଥିଲା। ସେ ଅତ୍ୟନ୍ତ ମ୍ରିୟମାଣ ହୋଇ ଭୁଲ ମାଗିବା ପର୍ଯ୍ୟନ୍ତ କଥା ଯାଇଥିଲା। ତଥାପି ଏହାର ସମାଧାନ ହୋଇନଥିଲା। ଟାଉନ ଥାନାର ଏହି ଏସ୍‌ଆଇ ଜଣକ ପୂର୍ବରୁ ଅନେକ ଘଟଣାରେ ବିବାଦୀୟ ହୋଇଛନ୍ତି।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ବଉଳା ଫାଣ୍ଡି ଅଞ୍ଚଳରେ ଜଣେ ମହିଳା ସରପଞ୍ଚଙ୍କୁ ପୁଲିସ ଅଧିକାରୀ ମାଡ଼ ମାରିବା ଘଟଣାକୁ ନେଇ ଦୁଇଦିନ ହେଲାଣି ପରିସ୍ଥିତି ସରଗରମ ରହିଛି। ସେହିପରି ପୂର୍ବରୁ ପାଟଣା ଥାନା ଆଇଆଇସି ଥାନାରେ ଥାର୍ଡଡିଗ୍ରି ଦେଇ ନିଲମ୍ବିତ ହୋଇଛନ୍ତି। ଏବେ ଜଣେ ବିଚାରପତିଙ୍କୁ ପୁଲିସ ଦୁର୍ବ୍ୟବହାର କରିବା ଘଟଣା ଚର୍ଚ୍ଚାକୁ ଆସିଛି।

ସମ୍ବନ୍ଧିତ ଖବର