ଆଖି ଆଗରେ ଜଳିଲା ବାପାଙ୍କ ଜୁଇ, ମୁଖାଗ୍ନି ଦେଇପାରିଲାନି ପୁଅ

ରାମଚନ୍ଦ୍ରପୁର : ପୁଅର ଆଖି ଆଗରେ ଜଳିଲା ବାପାଙ୍କର ଜୁଇ। ସେ ପାଖକୁ ଯାଇପାରିଲାନାହିଁ କି ଛୁଇଁ ପାରିଲାନାହିଁ। ମୁଖାଗ୍ନି ଦେବା ତ ପଛ କଥା। ପୁଅର ଦୋଷ ହେଉଛି ସେ ରୋଜଗାର କରିବାକୁ ଚେନ୍ନାଇ ଯାଇଥିଲା। ସେଠାରୁ ଫେରିଲା ପରେ ୫ ଦିନ ହେବ ସ୍ଥାନୀୟ ସଙ୍ଗରୋଧ କେନ୍ଦ୍ରରେ ରହିଛି। ଏହି କାରଣରୁ ସାହିପଡ଼ିଶା ତାଙ୍କୁ ମୁଖାଗ୍ନି ଦେବାକୁ ବାରଣ କଲେ। କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକର ମଛାଳୋ ଗ୍ରାମରେ ଏପରି ଦୁଃଖଦ ଓ ଅଭାବନୀୟ ଘଟଣା ଘଟିଛି। ପ୍ରବାସରେ ଲକ୍‌ଡାଉନର ଯନ୍ତ୍ରଣା ଏବଂ ଗାଁରେ ପହଞ୍ଚିବା ପରେ ସଙ୍ଗରୋଧର କଷ୍ଟଠାରୁ ବାପାଙ୍କୁ ମୁଖାଗ୍ନି ଦେଇ ନପାରିବା ତାଙ୍କ ଜୀବନର ସବୁଠାରୁ ବଡ଼ ଦୁଃଖ ହୋଇ ରହିବ ବୋଲି କହିଛନ୍ତି ୨୯ ବର୍ଷୀୟ ପୁଅ ବିଜୟ ଖିଲାର।

ପାଠପଢ଼ା ସରିବା ପରେ ବିଜୟ ଦୁଇବର୍ଷ ହେଲା ଚେନ୍ନାଇକୁ ଚାଲିଯାଇଥିଲେ। ସେଠାରେ ଏକ ଘରୋଇ କମ୍ପାନିରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଲକ୍‌ଡାଉନ୍‌ ପରେ କାମ ବନ୍ଦ ହୋଇଗଲା। ଘରେ ରୋଗଶଯ୍ୟାରେ ଥିବା ବୃଦ୍ଧ ବାପା ଆକୁଳି ଖିଲାର (୬୪)ଙ୍କ ପାଖରେ ପହଞ୍ଚିବା ପାଇଁ ବହୁ ଉଦ୍ୟମ କଲେ। ଶେଷରେ ୫ ଦିନ ତଳେ ଏକ ବସ୍‌ ଯୋଗେ ଆସି ଗାଁରେ ପହଞ୍ଚିଥିଲେ। ମାତ୍ର ଘରକୁ ଯିବାକୁ ଅନୁମତି ମିଳିନଥିଲା। ଅର୍ଥ ଅଭାବ ଓ ଏକମାତ୍ର ପୁଅ ସଙ୍ଗରୋଧ କେନ୍ଦ୍ରରେ ଥିବାରୁ ବାପାଙ୍କୁ ଚିକିତ୍ସା ସୁବିଧା ମିଳିନଥିଲା। ଶେଷରେ ଗତକାଲି ଅପରାହ୍‌ଣରେ ଆକୁଳି ଆଖି ବୁଜିଥିଲେ। ତଥାପି ପୁଅକୁ ଘରକୁ ଯିବାକୁ ଅନୁମତି ମିଳିନଥିଲା। ପରେ ସରପଞ୍ଚ ବିଶ୍ବମ୍ବର ସେଠୀ ଓ ବିଡିଓ ଅସିତକୁମାର ମହାନ୍ତିଙ୍କ ଅନୁମତିକ୍ରମେ ମଶାଣିକୁ ଯିବାକୁ ଅନୁମତି ମିଳିଥିଲା। ସେ କେବଳ ଶେଷଦର୍ଶନ କରିଥିଲେ। ମୁଖାଗ୍ନି ଦେବାକୁ ସାହିପଡ଼ିଶା ଲୋକମାନେ ବିରୋଧ କରିଥିଲେ। ଏ ଘଟଣାକୁ ମଣିଷପଣିଆର ଅଭାବ ବୋଲି ପୂର୍ବତନ ସରପଞ୍ଚ ମନୋଜ କୁମାର ଜେନା, ମାୟାଧର ପଣ୍ତା, ରମେଶ ଜେନା, ଶତ୍ରୁଘନ ବାରିକ କହିଛନ୍ତି। ବିଜୟଙ୍କ ମା’ ଗୋଲାପ ମଞ୍ଜରୀ ଘରେ ଏକା ହୋଇଯାଇଛନ୍ତି।

ସମ୍ବନ୍ଧିତ ଖବର