କେନ୍ଦୁଝର : ଶାସକ ବିଜେଡି ଦଳର ଜିଲ୍ଲା ସଭାପତି ହେଉଛି ଏକ ବଡ଼ ପଦବି। ମାତ୍ର ବାସ୍ତବରେ ଏହି ପଦବି ସବୁବେଳେ ରବର ଷ୍ଟାମ୍ପ ପାଲଟିଯାଉଛି। ବିଶେଷ କରି କେନ୍ଦୁଝର ଜିଲ୍ଲାରେ ଅତୀତରୁ ବର୍ତ୍ତମାନ ପର୍ଯ୍ୟନ୍ତ ସଭାପତି ପଦବିରେ ବସୁଥିବା ବ୍ୟକ୍ତି ରବର ଷ୍ଟାମ୍ପ ହୋଇ ରହିଯାଉଥିବା ଅନେକ ଉଦାହରଣରୁ ସ୍ପଷ୍ଟ।

Advertisment

କେନ୍ଦୁଝର ବିଜେଡି ଜିଲ୍ଲା ସଭପତି ଭାବେ ସର୍ବାଧିକ ସମୟ ଥିଲେ ଅଲେଖ ଚନ୍ଦ୍ର ସିଂହ। ଏକଦା ବିଜେଡି ଚାଣକ୍ୟ କୁହାଯାଉଥିବା ପ୍ୟାରୀମୋହନ ମହାପାତ୍ରଙ୍କ ସେଥିଲେ ଅତ୍ୟନ୍ତ ଖାସ୍। ଅଲେଖ ଦିଲ୍ଲୀରେ ଚାକିରି କରୁଥିଲେ। ଚାକିରିରୁ ଅବସର ନେବା ପରେ କେନ୍ଦୁଝର ଫେରି ଆସିଥିଲେ। ବିଜେଡି ଦଳୀୟ ସଂଗଠନ ଏବଂ ତୃଣମୂଳସ୍ତରରେ କାର୍ଯ୍ୟ କରି ନଥିବା ଅଲେଖଙ୍କୁ ଅଚାନକ ବିଜେଡି ଜିଲ୍ଲା ସଭାପତି ପଦବି ଦିଆଯାଇଥିଲା। କୌଣସି ସାଂଗଠନିକ ଦକ୍ଷତା ନ ଥିବା ସତ୍ତ୍ବେ ସେ ଦୁଇଦୁଇ ଥର ଏହି ପଦବିରେ ରହିବାର ସୌଭଗ୍ୟ ଅର୍ଜନ କରିଥିଲେ। ପ୍ରଥମେ ୨୦୧୦ରୁ ୨୦୧୩ ଏବଂ ପରେ ୨୦୧୩ରୁ ୨୦୧୬ ମସିହା ପର୍ଯ୍ୟନ୍ତ ସେ ଦଳର ସଭାପତି ଥିଲେ। କିନ୍ତୁ ସାଂଗଠନିକ କାର୍ଯ୍ୟକ୍ରମ କିମ୍ବା ସଭାସମିତି‌ରେ ଅଲେଖଙ୍କୁ ଦେଖିବାକୁ ମିଳୁ ନଥିଲା। ସେ ବିଜେଡି ଜିଲ୍ଲା ସଭାପତି ଥିଲେ ମଧ୍ୟ କ୍ଷମତାଶାଳୀ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ନିର୍ଦେଶରେ ଦଳୀୟ ସଂଗଠନ କାର୍ଯ୍ୟ କରୁଥିଲା। କୌଣସି ନିଷ୍ପତ୍ତିରେ ଅଲେଖଙ୍କ ପରାମର୍ଶ ନିଆଯାଉ ନ ଥିଲା।

୨୦୧୬ ମସିହାରେ ସାଂଗଠନିକ କ୍ଷେତ୍ରରେ ଦକ୍ଷ ଥିବା ଆଶିଷ ଚକ୍ରବର୍ତ୍ତୀଙ୍କୁ ଜିଲ୍ଲା ବିଜେଡି ସଭାପତି କରାଯାଇଥିଲା। ଏହି ସମୟରେ ବିଜେଡି ସଂଗଠନ ଚଳଚଞ୍ଚଳ ହୋଇଥିଲା। ହେଲେ ତତ୍‌କାଳୀନ ପର୍ଯ୍ୟବେକ୍ଷକ ବିମ୍ବାଧର କୁଅଁରଙ୍କ ସହିତ ଆଶିଷଙ୍କ ତୁତୁ ମେଁମେଁ ଯୋଗୁଁ ପରବର୍ତ୍ତି ସମୟରେ ସାଂଗଠନିକ ଶକ୍ତି ଦୁର୍ବଳ ହୋଇଗଲା। ସେତେବେଳେ ପର୍ଯ୍ୟବେକ୍ଷକ ବିମ୍ବାଧରଙ୍କ ନେତୃତ୍ବରେ ଏକାଧିକ ବିଧାୟକ ମଧ୍ୟ ତୃତୀୟ ମହଲାର ଦ୍ବାରସ୍ଥ ହେବା ପର୍ଯ୍ୟନ୍ତ କଥା ଯାଇଥିଲା। ଆଶିଷଙ୍କ ପରେ ବରିଷ୍ଠ ବିଜେଡି ନେତା ବିମ୍ବାଧର ବିଶ୍ବାଳଙ୍କୁ ଦଳ ସଭାପତି ଦାୟିତ୍ବ ଦେଇଥିଲା। କିନ୍ତୁ ସେ ମଧ୍ୟ ଏତେ ପ୍ରଭାବଶାଳୀ ହୋଇପାରି ନଥିଲେ।

publive-image

୨୦୧୯ ସାଧାରଣ ନିର୍ବାଚନ ପରେ ପୁଣି ଜିଲ୍ଲା ସଭାପତି ପରିବର୍ତ୍ତନ ହେଲେ। ଆଶିଷ ମାଧବ ସର୍ଦ୍ଦାରଙ୍କୁ ଏହି ପଦବିରେ ଥଇଥାନ କରାଗଲା। ମାଧବ ଦଳର ନେତୃତ୍ବ ନେବା ପରେ ପରିସ୍ଥିତିରେ କିଛି ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଥିଲା। ମାତ୍ର ତାହା ‌ହେଲା ନାହିଁ। ସଭାପତି ପଦ କିଭଳି ରବର ଷ୍ଟାମ୍ପ ପରିଣତ ହୋଇଛି ତାହା ଅଳ୍ପ କେତୋଟି ଉଦାହରଣ ଦେଲେ ସ୍ପଷ୍ଟ ହେବ। ପଞ୍ଚାୟତ ନିର୍ବାଚନରେ ସାଧାରଣତଃ ଜିଲ୍ଲା ସଭାପତିଙ୍କ ସପୁାରିସକ୍ରମେ ପ୍ରାର୍ଥୀ ଚୟନ କରାଯାଏ ବୋଲି ସମସ୍ତଙ୍କ ଧାରଣା। ମାତ୍ର କେନ୍ଦୁଝର ଜିଲ୍ଲା ବିଜେଡି ସଭାପତିଙ୍କ ସୁପାରିସରେ କେହି ଜଣେ ବି ପ୍ରାର୍ଥୀ ହୋଇନାହାନ୍ତି। ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ରାଜ୍ୟ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଦାୟିତ୍ବ ନେବା ପରଠାରୁ ଜିଲ୍ଲା ସଭାପତି ପଦବି ଯେମିତି ସମ୍ପୂର୍ଣ୍ଣ ଗୌଣ ‌ହୋଇଯାଇଛି।

ଜିଲ୍ଲାର ୨୩ ନମ୍ବର ଜିଲ୍ଲାପରିଷଦ ଜୋନ୍‌ରୁ ପ୍ରାର୍ଥୀ ହେବାପାଇଁ ଅନୁପ କୁମାର ସାହୁଙ୍କ ନାମ ସୁପାରିସ କରାଯାଇଥିଲା। ଜିଲ୍ଲା ସଭାପତି ମାଧବ ସର୍ଦ୍ଦାରଙ୍କ ସହ ବିଜେଡିର ଅଘୋଷିତ ନେତା ସନାତନ ‌ମହାକୁଡ଼ ମିଶି ଅନୁପଙ୍କ ସପକ୍ଷରେ ଜୋର୍‌ଦାର ଲବି କରିଥିଲେ। ମାତ୍ର ତାହା କାମ କରିନଥିଲା। ଶେଷ ମୁହୂର୍ତ୍ତରେ ଅରୁଣ ବାରିକ ଏହି ଜୋନ୍‌ରୁ ପ୍ରାର୍ଥୀ ହୋଇଥିଲେ। ଅରୁଣଙ୍କ ସପକ୍ଷରେ ବିଜେଡିର ପୂର୍ବତନ ସଭାପତି ଆଶିଷ ଚକ୍ରବର୍ତ୍ତୀ ଏବଂ ଯୁବ ବିଜେଡି ରାଜ୍ୟ ଉପସଭାପତି ସୌମ୍ୟଶଙ୍କର ଚକ୍ର ଲବି କରିଥିଲେ। ଜିଲ୍ଲା ସଭାପତିଙ୍କ ଉପରେ ଏହି ଦୁଇନେତାଙ୍କ ଲବି ଭାରି ପଡ଼ିଲା। ୪ ନମ୍ବର ଜୋନ୍‌ରେ ସୁମତି ଘଣା ନାମ୍ନୀ ଜଣେ ସ୍ବୟଂ ସହାୟକ ଗୋଷ୍ଠୀର ଛାମୁଆ ନେତ୍ରୀଙ୍କୁ ପ୍ରାର୍ଥୀ କରିବାକୁ ସୁପାରିସ୍ କରିଥିଲେ ମାଧବ ସର୍ଦ୍ଦାର। କିନ୍ତୁ ତାଙ୍କ କଥା ରହିଲା ନାହିଁ। ଏଠାରେ ବିଜେଡି ପ୍ରାର୍ଥୀ ହେଲେ ଲୀଳାବତୀ ମହାନ୍ତ।

ସେହିପରି ୫ ନମ୍ବର ଜୋନ୍‌ରେ ବିଜେଡି ସଭାପତି ସୁକ୍ରାମଣି ମାରାଣ୍ଡିଙ୍କ ନାମ ସୁପାରିସ କରଥିଲେ। କିନ୍ତୁ ଏଠାରୁ ରଥ ମୁଣ୍ଡା ପ୍ରାର୍ଥୀ ହେଲେ। ଖାଲି ପ୍ରାର୍ଥୀ ଚୟନ କ୍ଷେତ୍ର‌େରେ ନୁହେଁ, ନିର୍ବାଚନ ପରିଚାଳନା କ୍ଷେତ୍ରରେ ମଧ୍ୟ ଠିକ୍‌ ସେମିତି ସମାନ ନୀତି ଦେଖିବାକୁ ମିଳିଛି। ଚମ୍ପୁଆ ନିର୍ବାଚନମଣ୍ଡଳୀରେ ସନାତନ ମହାକୁଡ଼ ଏବଂ କୁଶ ଆପଟ୍ଟ ସହ ବିଧାୟିକା ମୀନାକ୍ଷୀ ମହାନ୍ତଙ୍କ କଥ‌ାରେ ଦଳୀୟ ସଂଗଠନ ଚାଲୁଛି। ପାଟଣାରେ ବିଧାୟକ ଜଗନ୍ନାଥ ନାୟକ ଏବଂ ତେଲକୋଇ‌ରେ ମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ବିବଚେନା କରାଯାଉଛି। ସେହିପରି ସଦର ନିର୍ବାଚନମଣ୍ଡଳୀରେ ଆଶିଷ ଚକ୍ରବର୍ତ୍ତୀ ଏବଂ ଯୁବ ବିଜେଡି ଉପସଭାପତି ସୌମ୍ୟଶଙ୍କର ଚକ୍ର ନିର୍ବାଚନ ପରିଚାଳନା କରୁଥିବା ବେଳେ ଘସିପୁରା ଏବଂ ଆନନ୍ଦପୁର ନିର୍ବାଚନମଣ୍ଡଳୀ ସମ୍ପର୍କରେ କିଛି ମୁଣ୍ଡ ଖେଳାନ୍ତି ନାହିଁ ଜିଲ୍ଲା ସଭାପତି। ମୋଟାମୋଟି ଭାବେ ବିଜେଡିର ଜିଲ୍ଲା ସଭାପତି ପଦଟି ଉପରକୁ ‌ଯେମିତି କ୍ଷମତାଶାଳୀ ଦିଶୁଛି ବାସ୍ତବରେ ସେମିତି ନୁ‌ହେଁ ବୋଲି ଚର୍ଚ୍ଚା ହେଉଛି।