କେନ୍ଦୁଝର: ବିଳମ୍ବରେ ହେଉ ପଛେ କେନ୍ଦୁଝର ଡିଏମ୍‌ଏଫ୍‌ ଦୁର୍ନୀତିର ସିଏଜି ଅଡିଟ୍‌ ଆରମ୍ଭ ହୋଇଛି। ଏହି ଅଡିଟ୍‌ ପ୍ରାୟ ଏକ ମାସ ଧରି ଚାଲିବ। ଅଡିଟ୍‌ରୁ ଦୁର୍ନୀତିର ଅନେକ ତଥ୍ୟ୍ୟ ସାମନାକୁ ଆସିବ। ଏବେ ଡିଏମ୍‌ଏଫ୍‌ ପାଣ୍ଠିର ଜମାଅର୍ଥ ଓ ଖର୍ଚ୍ଚ ବିବରଣୀ ସଂଗ୍ରହ ସହିତ ଏ ସଂପର୍କିତ କାଗଜପତ୍ର ଯାଞ୍ଚ ଆରମ୍ଭ ହୋଇଛି। ଅଡିଟ୍‌ ଆରମ୍ଭ ହେବା ପରେ ଏହି ଅର୍ଥକୁ ରାଜା ମହାରାଜା ଭଳି ବିନର୍ବ୍ୟୟ କରିଥିବା କିଛି ପୂର୍ବତନ ଜିଲ୍ଲାପାଳ, ଅଧିକାରୀଙ୍କ ଅକଲ ଗୁଡୁମ୍‌ ହୋଇଯାଇଛି।

Advertisment

ସୂଚନା ଅନୁସାରେ, ୨୦୧୫-୧୬ ମସିହାରୁ ଆରମ୍ଭ ହୋଇଥିବା କେନ୍ଦୁଝର ଡିଏମ୍‌ଏଫ୍‌ର ପରିଚାଳନା ଦାୟିତ୍ବ ଇଆଣ୍ଡ୍‌ୱାଇ ନାମକ ଏକ ସଂସ୍ଥା ବୁଝୁଛି। ଏହି ସଂସ୍ଥା ପରିଚାଳନା କରିବା ଭିତରେ ସ୍ଥାନୀୟ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଜରିଆରେ ଏହାର ଅଡିଟ୍‌ କରାଯାଉଥିଲା। ୨୦୧୫-୧୬ରୁ ୨୦୧୭-୨୦୧୮, ତିନି ଆର୍ଥିକ ବର୍ଷରେ ଚାଟାର୍ଡ ଫାର୍ମ ସାମଲ ଆଣ୍ଡ୍‌ ଆସୋସିଏଟସ୍‌ ଅଡିଟ‌୍ କରିଥିବାବେଳେ ୨୦୧୮-୧୯ରେ ଭୁବନେଶ୍ବରସ୍ଥିତ ଏସ୍‌ସିଏମ୍‌ ଆସୋସିଏଟ୍‌ ଫାର୍ମ ଓ ୨୦୧୯-୨୦ରେ ନାଗ ଆଣ୍ଡ୍‌ ଆସୋସିଏଟସ୍‌ ଫାର୍ମ ଡିଏମ୍‌ଏଫ୍‌ ପାଣ୍ଠିର ଅଡିଟ୍‌ କରିଥିଲେ। ‘ସମ୍ବାଦ’ରେ ଏକାଧିକ ତଥ୍ୟ ସମ୍ବଳିତ ଖବର ପ୍ରକାଶ ପରେ ଡିଏମ୍‌ଏଫ୍‌ ଦୁର୍ନୀତିର ତଦନ୍ତ ଆରମ୍ଭ ହୋଇଛି। 

ଯାଞ୍ଚ ହେଉଛି କାଗଜପତ୍ର, ମାସେ ଯାଏଁ ଚାଲିବ ଅଡିଟ୍‌
ଅକଳରେ ପୂର୍ବତନ ଜିଲ୍ଲାପାଳ, ପ୍ରାଶାସନିକ ଅଧିକାରୀ

ଗତ ଜୁନ୍‌ ମାସରେ ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ପି.କେ.ମହାକୁଡ ଆକାଉଣ୍ଟ୍‌ସ ଜେନେରାଲ (ଅଡିଟ୍‌-୨)ଙ୍କୁ ଏ ସଂପର୍କରେ ଚିଠି ଲେଖି ଜଣାଇଥିଲେ। ଚିଠି ନମ୍ବର ୧୦୯୩୬ରେ ଦର୍ଶାଯାଇଥିଲା କି, ସିଏଜି ଦ୍ବାରା ଡିଏମ୍‌ଏଫ୍‌ ଟ୍ରଷ୍ଟର ଅଡିଟ୍‌ ସହିତ ପ୍ରଧାନମନ୍ତ୍ରୀ ଖଣିଜକ୍ଷେତ୍ର କଲ୍ୟାଣ ଯୋଜନାର କାର୍ଯ୍ୟଦକ୍ଷତା ସଂପର୍କରେ ମଧ୍ୟ ଅଡିଟ୍‌ ହେବ। ଏଥିପାଇଁ ଡିଏମ୍‌ଏଫ୍‌ ଟ୍ରଷ୍ଟର ଅଧ୍ୟକ୍ଷଙ୍କୁ ନେଇ ଏକ ଏଣ୍ଟ୍ରି କନ୍‌ଫରେନ୍ସ ପାଇଁ ଚିଠି କରିଥିଲେ। ସାଧାରଣତଃ ସିଏଜି ଅଡିଟ୍‌ ପୂର୍ବରୁ ଏକ ଏଣ୍ଟ୍ରି କନ୍‌ଫରେନ୍ସ ହୋଇଥାଏ। ଯେଉଁଥିରେ ବିଭାଗୀୟ ମୁଖ୍ୟ ବା ଜିଲ୍ଲାପାଳମାନେ ଯୋଗ ଦେଇ ଅଡିଟ୍‌ ସଂପର୍କିତ ଆଲୋଚନା କରିଥା’ନ୍ତି। ଇତିମଧ୍ୟରେ ଭିଡିଓ କନ୍‌ଫରେନସିଂ ମାଧ୍ୟମରେ ଏହି ଏଣ୍ଟ୍ରି କନ୍‌ଫରେନ୍ସିଂ ସରିଯାଇଥିବାରୁ ଖୁବଶୀଘ୍ର କେନ୍ଦୁଝର ଡିଏମ୍‌ଏଫ୍‌ର ସିଏଜି ଅଡିଟ୍‌ ଆରମ୍ଭ ହେବ ବୋଲି ଅନୁମାନ କରାଯାଉଥିଲା। ଶେଷରେ, ଗତ ୫ ଦିନ ତଳେ ସିଏଜିଙ୍କର ଏକ ଟିମ୍‌ କେନ୍ଦୁଝର ଡିଏମ୍‌ଏଫ୍‌ର ଅଡିଟ୍‌ ଆରମ୍ଭ କରିଛନ୍ତି। ଏ ସଂପର୍କରେ ଡିଏମ୍‌ଏଫ୍‌ ଟଷ୍ଟ୍ରର ସିଇଓ କୁମାର ନାଗଭୂଷଣଙ୍କୁ ପଚାରିବାରୁ ପୂର୍ବରୁ ଏଣ୍ଟ୍ରି କନ୍‌ଫରେନ୍ସ ସରିଥିଲା; ଏବେ ଅଡିଟ୍‌ ଆରମ୍ଭ ହୋଇଛି ବୋଲି କହିଥିଲେ।