ସୁବ୍ରତ ସ୍ବାଇଁ
କେନ୍ଦୁଝର: ଡିଏମ୍ଏଫ୍ ଅନୁଦାନ ବ୍ୟୟରେ ହୋଇଛି ଆଖିବୁଜା ଦୁର୍ନୀତି। ସରକାର ଏହାର ତଦନ୍ତ ହେବ ବୋଲି କହିଥିଲେ। ସିଏଜି ଅଡିଟ୍ରେ କିଛି ଅଧିକ ପର୍ଦ୍ଦାଫାସ ହେବ ବୋଲି ଆଶା କରାଯାଉଥିଲା, କିନ୍ତୁ ଏ ପର୍ଯ୍ୟନ୍ତ ଅଡିଟ୍ ହେଲାନାହିଁ। ପରିସ୍ଥିତି ଏମିତି ଯେ ହଜାରହଜାର କୋଟି ଟଙ୍କା ଦୁର୍ନୀତିର ତଦନ୍ତ କେବଳ ଚିଠି, ନିର୍ଦେଶନାମା ମଧ୍ୟରେ ସୀମିତ ରହିଛି। ଡିଏମ୍ଏଫ୍ ଦୁର୍ନୀତିର ଏକାଧିକ ଉଦାହରଣ ଥିଲେ ମଧ୍ୟ ଷ୍ଟିକର୍ମରା ଦୁର୍ନୀତି ଏହାର ଏକ ପ୍ରମୁଖ ଉଦାହରଣ। କେନ୍ଦୁଝର ଜିଲ୍ଲାରେ ରହିଛି ୪୫୨ଟି ଉଚ୍ଚବିଦ୍ୟାଳୟ। ଏହି ବିଦ୍ୟାଳୟକୁ ୫-ଟିରେ ସାମିଲ କରାଯାଇ ଡିଏମ୍ଏଫ୍ ପାଣ୍ଠିରୁ ବିଦ୍ୟାଳୟର କବାଟ ଓ ଝରକାରେ ଷ୍ଟିକରିଂ କରାଯାଇଥିଲା। ଏ ବାବଦରେ ପ୍ରତି ବିଦ୍ୟାଳୟରେ ପ୍ରାୟ ୨.୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ତିନୋଟି ପର୍ଯ୍ୟାୟରେ ଏହା ଭିତରେ ୩୪୦ ବିଦ୍ୟାଳୟର ଝରକା ଓ କବାଟରେ ଷ୍ଟିକରିଂ ହୋଇଛି। ଏଥିପାଇଁ ପ୍ରାୟ ୮ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ବିପୁଳ ଅର୍ଥ ଖର୍ଚ୍ଚ ସତ୍ତ୍ବେ ଏହି କାମ ପାଇଁ ଟେଣ୍ଡର ହୋଇନାହିଁ। ବିନା ଟେଣ୍ଡରରେ ‘ପ୍ରୀତି ପଣ୍ଡା ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ’କୁ ଏହି କାମ ଦିଆଯାଇଥିଲା। ଏ ସଂପର୍କରେ ଏକାଧିକ ଖବର ପ୍ରକାଶ ପାଇବା ପରେ ଯୋଜନା ଓ ସମନ୍ବୟ ବିଭାଗର ଅତିରିକ୍ତ ସଚିବ ପ୍ରଦ୍ୟୁମ୍ନ କୁମାର ମହାକୁଡ଼ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ।
ଆରମ୍ଭ ହୋଇନି ସିଏଜି ଅଡିଟ୍
ଆର୍ଡିସିଙ୍କ ସମୀକ୍ଷା ଫାଇଲ୍ ତଳେ
ଷ୍ଟିକର୍ ଦୁର୍ନୀତିର ତଦନ୍ତ ଅଧା
ଚିଠି ସଂଖ୍ୟା-୧୧୨୩୪/ ତା୩/୮/୨୦୨୪ ଅନୁସାରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି ନିୟମାବଳୀ-୨୦୧୫ ଅନୁସାରେ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିର୍ଦେଶ ଦେଇଥିଲେ ମଧ୍ୟ ଏଥିରେ ବିଶେଷ କିଛି ଅଗ୍ରଗତି ହୋଇନାହିଁ। ଗତ ସେପ୍ଟେମ୍ବର ମାସରେ ଆର୍ଡିସି ଡିଏମ୍ଏଫ୍ ସଂପର୍କିତ ସବୁ ପ୍ରକଳ୍ପର ତଥ୍ୟ ମାଗିବା ସହ ଏହାର ସମୀକ୍ଷା କରିବାକୁ ଚିଠିରେ ଉଲ୍ଲେଖ ଥିଲା। ପ୍ରକଳ୍ପ ବାବଦରେ ସରକାରଙ୍କୁ କ’ଣ ରିପୋର୍ଟ ଦିଆଗଲା, ତାହା ଜଣାପଡ଼ିନାହିଁ। ଯଦି ସରକାରଙ୍କୁ ରିପୋର୍ଟ ଦିଆଯାଇଛି ତେବେ କାହିଁକି ଏଯାଏଁ କାର୍ଯ୍ୟାନୁଷ୍ଠାନ ହେଉନି? ତାକୁ ନେଇ ପ୍ରଶ୍ନ ଉଠିଛି। ହଜାରହଜାର କୋଟି ଟଙ୍କାର କାରବାରକୁ କେବଳ ସ୍ଥାନୀୟ ସ୍ତରରେ ଅଡିଟ୍ କରାଯାଉଥିବାରୁ ସ୍ବଚ୍ଛତା ନେଇ ସନ୍ଦେହ ଥିଲା। ଏଠାରେ ୨୦୧୫-୧୬ ରୁ ଆରମ୍ଭ ହୋଇଥିବା କେନ୍ଦୁଝର ଡିଏମ୍ଏଫ୍ର ପରିଚାଳନା ଦାୟିତ୍ବ ନେଇଥିଲା ଇ ଆଣ୍ଡ ୱାଇ। ପରେ ୨୦୧୫ରୁ ୨୦୧୮ ପର୍ଯ୍ୟନ୍ତ ସାମଲ ଆଣ୍ଡ ଆସୋସିଏଟ୍ସ ଅଡିଟ୍ କରିଥିଲାବେଳେ ୨୦୧୮-୧୯ରେ ଭୁବନେଶ୍ବରସ୍ଥିତ ଏସ୍ସିଏମ୍ ଆସୋସିଏଟ୍ ଫାର୍ମ ଏବଂ ୨୦୧୯-୨୦ରେ ନାଗ୍ ଆଣ୍ଡ ଆସୋସିଏଟ୍ସ୍ ଫାର୍ମ ଡିଏମ୍ଏଫ୍ର ଅଡିଟ୍ କରିଥିଲେ। ଚିଠିରେ ଦର୍ଶାଯାଇଥିଲା ଯେ ଡିଏମ୍ଏଫ୍ ଟ୍ରଷ୍ଟର ଅଡିଟ୍ ସହିତ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନାର କାର୍ଯ୍ୟଦକ୍ଷତା ସଂପର୍କରେ ସିଏଜି ଦ୍ବାରା ଅଡିଟ୍ ହେବ। ଇତିମଧ୍ୟରେ ଏହି ଚିଠିକୁ ଛଅ ମାସରୁ ଅଧିକ ହେଲାଣି। ତଥାପି କେନ୍ଦୁଝରକୁ ଆସି ନାହାନ୍ତି ଅଡିଟ୍ ଟିମ୍। ବିଜେଡି ସରକାର ସମୟରେ ଡିଏମ୍ଏଫ୍ ପାଣ୍ଠିକୁ ଯେଭଳି ହାତପାଣ୍ଠି ଭଳି ବ୍ୟବହାର କରାଯାଉଥିଲା, ଏବେ ବିଜେପି ସରକାର ସମୟରେ ଏହି ଦୁର୍ନୀତିର ପର୍ଦ୍ଦାଫାସ ହେବ ବୋଲି ଆଶା କରାଯାଉଥିଲା। ତେବେ ତଦନ୍ତ କମ୍, ଚିଠି ବେଶିରେ ଏହା ସୀମିତ ରହିଛି ବୋଲି ଚର୍ଚ୍ଚା ହେଉଛି।