କଟକ/କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଡିଏମ୍ଏଫ୍ ଅନୁଦାନ ଖର୍ଚ୍ଚରେ ବ୍ୟାପକ ଅନିୟମିତତା ଅଭିଯୋଗର ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ଡିଷ୍ଟ୍ରିକ୍ଟ ମିନେରାଲ୍ ଫାଉଣ୍ଡେସନ୍ ନିୟମାବଳୀ ୨୦୧୫ ଅନୁସାରେ ଗଠିତ ରାଜ୍ୟସ୍ତରୀୟ କମିଟି(ଏସ୍ଏଲ୍ସି) ହାଇକୋର୍ଟରେ ଦାଖଲ ଆବେଦନ ଓ ପ୍ରତିଜବାବରେ ଉଲ୍ଲେଖ ଅଭିଯୋଗର ଯାଞ୍ଚ କରିବ। ଅଭିଯୋଗ ସଂପର୍କରେ ଅନୁଧ୍ୟାନ କରି ଏସ୍ଏଲ୍ସି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।
ଅତିରିକ୍ତ ସରକାରୀ ଓକିଲ ହାଇକୋର୍ଟରେ ଦାଖଲ ଆବେଦନ ଓ ନଥିପତ୍ରରେ ଉଲ୍ଲେଖ ତଥ୍ୟ ଏସ୍ଏଲ୍ସି ଆବାହକଙ୍କୁ ଉପଲବ୍ଧ କରାଇବେ। ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ୍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଭକାନ୍ତ ନାୟକଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୬କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଏହି ସମୟ ମଧ୍ୟରେ ଅଭିଯୋଗ ଉପରେ ଏସ୍ଏଲ୍ସି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ହାଇକୋର୍ଟ କହିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ କେନ୍ଦୁଝର ଜିଲ୍ଲାରେ ଡିଏମ୍ଏଫ୍ ଅନୁଦାନ ଖର୍ଚ୍ଚରେ ବ୍ୟାପକ ଅନିୟମିତତା ନେଇ ହାଇକୋର୍ଟରେ ଏହି ଆବେଦନ ଦାୟର କରାଯାଇଥିଲା। ଜିଲ୍ଲା ଖଣିଜ ପାଣ୍ଠି ଖର୍ଚ୍ଚରେ କେନ୍ଦୁଝରରେ ଚାଲିଥିବା ବିଭିନ୍ନ କଲ୍ୟାଣମୂଳକ ପ୍ରକଳ୍ପର କ’ଣ ସ୍ଥିତି ରହିଛି ସେନେଇ ଜବାବ ଦାଖଲ ପାଇଁ କେନ୍ଦୁଝର ଜିଲ୍ଲାପାଳ ତଥା ଡିଏମ୍ଏଫ୍ ଟ୍ରଷ୍ଟ ଅଧ୍ୟକ୍ଷଙ୍କୁ ହାଇକୋର୍ଟ କହିଥିଲେ। କେନ୍ଦୁଝର ଜିଲ୍ଲାପାଳ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରିଥିଲେ। ଏହାପରେ ଆବେଦନକାରୀ ପ୍ରତିଜବାବ ଦାଖଲ କରିଥିଲେ।
ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ କେନ୍ଦୁଝରରେ ଜିଲ୍ଲା ଖଣିଜ ପାଣ୍ଠି ଟଙ୍କା ଖର୍ଚ୍ଚ ବେଳେ ମାଇନ୍ସ ଆଣ୍ଡ ମିନେରାଲ୍ସ ଡେଭଲପ୍ମେଣ୍ଟ ଆଣ୍ଡ ରେଗୁଲେସନ୍ ଆଇନ ୧୯୫୭ ଓ ୨୦୧୫ର ନିୟମାବଳୀର ବ୍ୟାପକ ଉଲ୍ଲଂଘନ ହୋଇଥିବା ସ୍ପଷ୍ଟ ହୋଇଛି ବୋଲି ଆବେଦନକାରୀ ଦର୍ଶାଇଥିଲେ। ଖଣିଜ ଦ୍ରବ୍ୟ ଉତ୍ତୋଳନ ଦ୍ବାରା ପ୍ରଭାବିତ ଅଞ୍ଚଳବାସୀଙ୍କ କଲ୍ୟାଣ ପାଇଁ ଏହି ପାଣ୍ଠି ବିନିଯୋଗ ହେବା କଥା। କିନ୍ତୁ ଆଇନ ଉଲ୍ଲଂଘନ କରି ଏହି ପାଣ୍ଠି ଖର୍ଚ୍ଚ କରାଯାଉଛି। ଏଭଳି ଭାବେ ଜିଲ୍ଲା ଖଣିଜ ପାଣ୍ଠି ଅର୍ଥ ବ୍ୟାପକ ଦୁର୍ନୀତି କରାଯାଉଛି ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ୨୦୧୫ର ନିୟମାବଳୀ ୧୮(ଖ) ଅନୁସାରେ ଡିଏମ୍ଏଫ୍ ଟ୍ରଷ୍ଟର କାର୍ଯ୍ୟ ତଦାରଖ ତଥା ସମୀକ୍ଷା କରିବା ପାଇଁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ କମିଟି(ଏସ୍ଏଲ୍ସି) ଗଠନ ହେବା କଥା। ଏସ୍ଏଲ୍ସିର କ୍ଷମତା ରହିଛି ଡିଏମ୍ଏଫ୍ ଟ୍ରଷ୍ଟ ନିକଟରୁ ପାଣ୍ଠି ବିନିଯୋଗ ନେଇ ରିପୋର୍ଟ ତଲବ କରିପାରିବ। ଏଥି ସହିତ ଆଇନ ଓ ନିୟମରେ ଥିବା ବ୍ୟବସ୍ଥା ପାଳନ ପାଇଁ ଏସ୍ଏଲ୍ସି ମଧ୍ୟ ଡିଏମ୍ଏଫ୍ ଟ୍ରଷ୍ଟକୁ ନିର୍ଦ୍ଦେଶନାମା ଓ ପରାମର୍ଶ ଦେଇପାରିବ ବୋଲି ହାଇକୋର୍ଟରେ ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ଏହାପରେ ହାଇକୋର୍ଟ ଆବେଦନକାରୀଙ୍କ ଅଭିଯୋଗର ଅନୁଧ୍ୟାନ କରି ପଦକ୍ଷେପ ଗ୍ରହଣ କରିବାକୁ ଏସ୍ଏଲ୍ସିକୁ ନିର୍ଦ୍ଦେଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/vkCpaHR9yfzabUUZQV9H.jpg)