ହରିଚନ୍ଦନପୁର: କେନ୍ଦୁଝର-ଖୋର୍ଦ୍ଧାରୋଡ ଭୟା ଭୁବନେଶ୍ବର ସ୍ବତନ୍ତ୍ର ଟ୍ରେନ୍ରେ ପ୍ରବଳ ଭିଡ଼ ହେଉଛି। କରୋନା ପରେ ଟ୍ରେନ୍ର ବଗି ସଂଖ୍ୟା କମାଇ ଦିଆଯାଇଥିବାରୁ ଯାତ୍ରୀମାନେ ସିଟ୍ ନପାଇ ଠିଆ ହୋଇ ଯାତ୍ରା କରୁଛନ୍ତି। ଅନ୍ୟପକ୍ଷରେ ସ୍ବତନ୍ତ୍ର ଟ୍ରେନ୍ ଆଳରେ ଯାତ୍ରୀଙ୍କ ଠାରୁ ଦୁଇଗୁଣ ଅଧିକ ଭଡ଼ା ଆଦାୟ କରାଯାଉଛି। ଏହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି।
ଦୈତାରୀ-ବାଂଶପାଣି ରେଳପଥରେ ରେଳବାଇ କେନ୍ଦୁଝର ଜିଲ୍ଲାରୁ ଲୁହାପଥର ପରିବହନ କରି କୋଟିକୋଟି ଟଙ୍କା ଆୟ କରୁଛି। କିନ୍ତୁ ସେହି ତୁଳନାରେ କେନ୍ଦୁଝରକୁ ଅଧିକ ଟ୍ରେନ୍ ଚଳାଚଳ ପାଇଁ ବ୍ୟବସ୍ଥା କରୁନାହିଁ। କେନ୍ଦୁଝର ଜିଲ୍ଲାରୁ ରାଜଧାନୀ ଭୁବନେଶ୍ବର ଦୈନିକ ଦୁଇଟି ଟ୍ରେନ୍ ଚଳାଚଳ କରୁଛି। ଗୋଟିଏ ହେଉଛି କେନ୍ଦୁଝର-ଖୋର୍ଦ୍ଧାରୋଡ ସ୍ବତନ୍ତ୍ର ଟ୍ରେନ୍ ଓ ଅନ୍ୟଟି ହେଉଛି ବଡ଼ବିଲ-ପୁରୀ ଏକ୍ସପ୍ରେସ୍। କେନ୍ଦୁଝର-ଖୋର୍ଦ୍ଧାରୋଡ ସ୍ବତନ୍ତ୍ର ଟ୍ରେନ୍ ସକାଳେ କେନ୍ଦୁଝରରୁ ବାହାରି ଖୋର୍ଦ୍ଧାରୋଡ ଯାଉଥିବା ବେଳେ ଅପରାହ୍ଣରେ ଖୋର୍ଦ୍ଧାରୋଡରୁ ବାହାରି ରାତିରେ କେନ୍ଦୁଝରରେ ପହଞ୍ଚୁଛି। ରାଜଧାନୀ ଭୁବନେଶ୍ବର ଓ କଟକରେ ବିଭିନ୍ନ କାର୍ଯ୍ୟାଳୟ, ଡାକ୍ତରଖାନାରେ କାମ ଥିବା ଲୋକେ ଏହି ଟ୍ରେନ୍ ଉପରେ ନିର୍ଭର କରିଥାନ୍ତି। ଏହାଛଡ଼ା ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ମଧ୍ୟ ଏଥିରେ ଯାତୟାତ କରୁଛନ୍ତି। କରୋନା ମହାମାରୀ ପୂର୍ବରୁ ଏହି ଟ୍ରେନ୍ଟି ଭୁବନେଶ୍ବର ପର୍ଯ୍ୟନ୍ତ ଯାଉଥିଲା।
ଟ୍ରେନ୍ରେ ୧୨ଟି ବଗି ରହୁଥିଲା। କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁରରୁ ଭୁବନେଶ୍ବରକୁ ଯାତ୍ରୀ ଭଡ଼ା ଥିଲା ମାତ୍ର ୩୫ ଟଙ୍କା। କରୋନା ପରେ ଏହି ଟ୍ରେନ୍କୁ ଖୋର୍ଦ୍ଧାରୋଡ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଗଲା। କିନ୍ତୁ ବଗି ସଂଖ୍ୟା କମାଇ ୮ଟି କରିଦିଆଗଲା। ବଗି ସଂଖ୍ୟା ହ୍ରାସ ପାଇବା ପରେ ଲୋକେ ଖୁନ୍ଦାଖୁନ୍ଦି ହୋଇ ଯାତ୍ରା କରୁଛନ୍ତି। ଅଧିକାଂଶ ସିଟ୍ ନପାଇ ଠିଆ ହେଉଛନ୍ତି। ୧୬୦ କିମି ଦୂର ଠିଆ ହୋଇ ଯାତ୍ରା କରିବା କଷ୍ଟକର ହେଉଛି ବୋଲି ଯାତ୍ରୀମାନେ କହିଛନ୍ତି। ସେହିପରି କରୋନା ପରେ ସ୍ବତନ୍ତ୍ର ଟ୍ରେନ୍ ନାମରେ ଯାତ୍ରୀ ଭଡ଼ାକୁ ଦୁଇଗୁଣ କରାଯାଇଛି। ଯାତ୍ରୀ ଭଡ଼ା ବୃଦ୍ଧି କରାଯାଇଥିଲେ ମଧ୍ୟ ଟ୍ରେନ୍ର ପରିମଳ ପ୍ରତି ଦୃଷ୍ଟି ଦିଆଯାଉନି। ନିୟମିତ ବଗିଗୁଡ଼ିକୁ ସଫା କରାଯାଉ ନଥିବା ବେଳେ ଶୌଚାଳୟରୁ ଦୁର୍ଗନ୍ଧ ବାହାରୁଥିବାରୁ ଯାତ୍ରୀମାନେ ଅତିଷ୍ଠ ହୋଇପଡ଼ୁଛନ୍ତି।
ସେହିପରି ପୁରୀ-ବଡ଼ବିଲ ଭୟା କେନ୍ଦୁଝର ଏକ୍ସପ୍ରେସରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଏହି ଟ୍ରେନ୍ରେ କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଦୈନିକ ଶହଶହ ଶ୍ରଦ୍ଧାଳୁ ଘଟଗାଁ ମା’ ତାରିଣୀଙ୍କ ଦର୍ଶନ ପାଇଁ ଆସୁଛନ୍ତି। ସିଟ୍ ନ ପାଇ ଲୋକେ ଠିଆ ହୋଇ ଯାତ୍ରା କରୁଥିବା ଦେଖିବାକୁ ମିଳୁଛି। ଉଭୟ ଟ୍ରେନ୍ରେ ଅଧିକ ସଂଖ୍ୟାରେ ବଗି ସଂଯୋଗ କରିବା ଏବଂ କେନ୍ଦୁଝର-ଖୋର୍ଦ୍ଧାରୋଡ ସ୍ବତନ୍ତ୍ର ଟ୍ରେନ୍ରେ ଯାତ୍ରୀ ଭଡ଼ା ହ୍ରାସ କରିବାକୁ ସାଧାରଣରେ ଦାବି ହେଉଛି।