ସୀମା ଟପୁଛି ପୁଲିସ୍‌ର ବର୍ବରତା : ଓକିଲଙ୍କ କାନରେ ବନ୍ଧୁକ ଲଗାଇ ଧମକ, କାର୍ଯ୍ୟାନୁଷ୍ଠାନ ଦାବିରେ ଥାନା ଘେରାଉ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ପୁଲିସ ବର୍ବରତାର ଅଭିଯୋଗ ବଢ଼ିବାରେ ଲାଗିଛି। ଆଜି ସନ୍ଧ୍ୟାରେ ଜଣେ ଓକିଲଙ୍କୁ ପୁଲିସ ମାଡ଼ ମାରିଥିବା ନେଇ ଅଭିଯୋଗ ଆସିଛି। ଏଥିନେଇ ମାଡ଼ ଖାଇଥିବା ସଂପୃକ୍ତ ଓକିଲ କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ କରିଛନ୍ତି। କାର୍ଯ୍ୟାନୁଷ୍ଠାନ ଦାବିରେ ରାତି ୯ଟା ପର୍ଯ୍ୟନ୍ତ ପ୍ରାୟ ୪୦ଜଣ ଓକିଲ ଉପସ୍ଥିତ ରହି ଥାନା ଘେରାଉ କରିବା ସହିତ ପ୍ରତିବାଦ କରିଥିଲେ।

କେନ୍ଦୁଝର ଟାଉନ ଥାନାରେ ଦିଆଯାଇଥିବା ଅଭିଯୋଗ ଅନୁସାରେ, ଆଜି ସନ୍ଧ୍ୟା ପ୍ରାୟ ୬ଟା ୩୦ ମିନିଟ୍‌ ସମୟରେ ବରିଷ୍ଠ ଓକିଲ ରତିରଞ୍ଜନ ବେହେରା କୌଣସି ଜରୁରି କାମରେ କୋର୍ଟକୁ ଯାଉଥିଲେ। ଏହି ସମୟରେ କେନ୍ଦୁଝର ଟାଉନ ମଝିରେ ଥିବା ଲାବଣ୍ୟ ଛକରେ ପୁଲିସ ସବ୍‌ ଇନସପେକ୍ଟର ଦୀନବନ୍ଧୁ ନାଏକ ତାଙ୍କୁ ଅଟକାଇଥିଲେ। ସେ ରାସ୍ତା କଡ଼କୁ ଗାଡ଼ି ନେଉଥିବାବେଳେ ସଂପୃକ୍ତ ଏସ୍‌ଆଇ ତାଙ୍କୁ ଚାପୁଡ଼ା ମାରିଥି‌ଲେ। କାହିଁକି ମାରିଲ ବୋଲି ପଚାରିବାରୁ ଅନ୍ୟ ଜଣେ ମହିଳା କନଷ୍ଟେବଳ ଆସି ତାଙ୍କୁ ଜାତିଆଣ ଭାଷା ପ୍ରୟୋଗ କରିବା ସହିତ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ। ଏତିକି ବେଳେ ପ୍ରାୟ ୪ ପାଞ୍ଚ ଜଣ ପୁଲିସ ଆସି ତାଙ୍କୁ ଘେରି ଯାଇଥିଲେ। ତାଙ୍କ କାନରେ ବନ୍ଧୁକ ଲଗାଇ ଚୁପ୍‌ ହୋଇ ଛିଡ଼ାହେବାକୁ ଧମକ ଦେବା ସହ ତାଙ୍କ ପକେଟରେ ଥିବା ୧୫ ଶହ ଟଙ୍କା ମଧ୍ୟ ନେଇ ଯାଇଥିଲେ। ଏହି ଘଟଣା ଜଣାପଡ଼ିବା ପରେ କୋର୍ଟ ପରିସରରେ ଓକିଲଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସେମାନେ ଏହାର ପ୍ରତବାଦ କରିବା ସହିତ କେନ୍ଦୁଝର ଟାଉନ ଥାନାରେ ପହଞ୍ଚିଥିଲେ। ରାତି ପ୍ରାୟ ୯ଟା ପର୍ଯ୍ୟନ୍ତ ଏଠାରେ ୪୦ରୁ ଊର୍ଦ୍ଧ୍ବ ଓକିଲ ଉପସ୍ଥିତ ରହି ପ୍ରତିବାଦ କରିବା ସହିତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ।

କେନ୍ଦୁଝର ଓକିଲ ସଂଘ ମଧ୍ୟବର୍ତ୍ତୀକାଳୀନ କମିଟିର ସଦସ୍ୟ ଆଶିଷ ଚକ୍ରବର୍ତ୍ତୀ କହିଛନ୍ତି, ପୁଲିସ ବାରମ୍ବାର କେନ୍ଦୁଝରବାସୀଙ୍କ ଉପରେ ଅତ୍ୟାଚାର ଚଳାଇଛି। ଆଜି ଜଣେ ବରିଷ୍ଠ ଓକିଲଙ୍କୁ ମାଡ଼ ପ୍ରତିବାଦରେ ଥାନା ଘେରାଉ କରାଯାଇଛି। ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନ ହେବା ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର