ସୁବ୍ରତ ସ୍ବାଇଁ

କେନ୍ଦୁଝର: ଚର୍ଚ୍ଚାରେ କେନ୍ଦୁଝର ଲୋକସଭା ଆସନ। କାହାକୁ ବିଜେଡି ଏଥର ଟିକେଟ୍‌ ଦେବ, ସେ ନେଇ ଦଳ ଓ ବିରୋଧୀ ସମସ୍ତେ ଅଙ୍କକଷା ଚଳାଇଛନ୍ତି। ଏଇଥିପାଇଁ ଯେ ଏଠାରେ ବିଜେଡି କାହାରିକୁ ଦ୍ବିତୀୟଥର ପାଇଁ ପ୍ରତିଦ୍ବନ୍ଦ୍ବିତା କରିବାର ସୁଯୋଗ ଦେଇନାହିଁ। ଏଣୁ ଏଥର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ପୁଣିଥରେ ପ୍ରାର୍ଥୀ ହେବେ ନା ନୂଆ ପ୍ରାର୍ଥୀଙ୍କୁ ବିଜେଡି ସାମ୍‌ନାକୁ ଆଣିବ, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। କେନ୍ଦୁଝର ଜିଲ୍ଲାର ୬ଟି ବିଧାନସଭା ନିର୍ବାଚନମଣ୍ଡଳୀ ଓ ମୟୂରଭଞ୍ଜର କରଞ୍ଜିଆ ନିର୍ବାଚନମଣ୍ଡଳୀକୁ ନେଇ କେନ୍ଦୁଝର ସଂସଦୀୟ କ୍ଷେତ୍ର ଗଠିତ। ପ୍ରତି ନିର୍ବାଚନରେ କେନ୍ଦୁଝର ଜିଲ୍ଲାରୁ ସବୁ ଦଳ ସାଂସଦ ପ୍ରାର୍ଥୀ ଦେଇଥାନ୍ତି। ୧୯୫୭ରେ ଗଠିତ ହୋଇଥିବା ଏହି ଲୋକସଭା ନିର୍ବାଚନମଣ୍ଡଳୀ ମୂଳରୁ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି। ୨୦୦୯ରୁ ବିଜେଡି ଏହି ଆସନକୁ ନିଜ କବ୍‌ଜାରେ ରଖିଛି। ହ୍ୟାଟ୍ରିକ୍‌ ବିଜୟ ସତ୍ତ୍ବେ ପ୍ରତିଥର ଦଳ ପ୍ରାର୍ଥୀ ବଦଳାଉଛି। ୨୦୦୯ରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ ଯାଶୋବନ୍ତ ନାରାୟଣ ସିଂ ଲାଗୁରୀଙ୍କୁ ବିଜେଡି ଟିକେଟ୍‌ ଦେଇଥିଲା। ବିଜେପିର ଅନନ୍ତ ନାୟକଙ୍କ ଠାରୁ ଅଧିକ ୧ ଲକ୍ଷ ୨୬ ହଜାର ୪୮୪ ଭୋଟ ପାଇ ଶ୍ରୀ ଲାଗୁରୀ ବିଜୟୀ ହୋଇଥିଲେ। ୨୦୧୪ ନିର୍ବାଚନରେ ବିଜେଡି ଶକୁନ୍ତଳା ଲାଗୁରୀଙ୍କୁ ପ୍ରାର୍ଥୀ କଲା।

Advertisment

ଏହି ନିର୍ବାଚନରେ ଶକୁନ୍ତଳା ୧ ଲକ୍ଷ ୫୭ ହଜାର ୩୧୭ ଭୋଟ ବ୍ୟବଧାନରେ ବିଜୟୀ ହେଲେ। ୨୦୧୯ ନିର୍ବାଚନରେ ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ସୁପାରିସରେ ଚନ୍ଦ୍ରାଣୀଙ୍କୁ ପ୍ରାର୍ଥୀ କଲା ବିଜେଡି। ଚନ୍ଦ୍ରାଣୀ ପୂର୍ବାପେକ୍ଷା କମ୍‌ ଅର୍ଥାତ୍‌ ୬୬ ହଜାର ୨୦୩ଟି ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ୨୦୨୪ ପାଇଁ ଦଳ ନୂଆ ଚେହେରା ଖୋଜିଲାଣି। ଗୋଟିଏ ବର୍ଗ କହୁଛନ୍ତି, ଜିଲ୍ଲା ବିଜେଡି ସଭାପତି ମାଧବ ସର୍ଦ୍ଦାର ପ୍ରାର୍ଥୀ ହେବା ସମ୍ଭାବନା ଅଧିକ। ସେପଟେ ତେଲକୋଇ ନିର୍ବାଚନମଣ୍ଡଳୀରୁ ଧନୁର୍ଜୟ ସିଦୁ ବିଧାୟକ ପ୍ରାର୍ଥୀ ହେବାକୁ ଆଗ୍ରହୀ ଅଛନ୍ତି। ତୃଣମୂଳସ୍ତରରେ ବିରୋଧ ଯୋଗୁଁ ହୁଏତ ତାଙ୍କୁ ବିଜେଡି ସାଂସଦ ପ୍ରାର୍ଥୀ କରି ସନ୍ତୁଷ୍ଟ କରିପାରେ। ପୂର୍ବତନ ପୌରାଧ୍ୟକ୍ଷା ମୀନା ମାଝୀ ଓ ପୂର୍ବତନ ଚମ୍ପୁଆ ବ୍ଲକ୍‌ ଅଧ୍ୟକ୍ଷା ତଥା ବର୍ତ୍ତମାନ ଜିଲ୍ଲାପରିଷଦ ସଭ୍ୟା ଥିବା ରମଣୀ ନାଏକଙ୍କ ନାମକୁ ନେଇ ବି ଚର୍ଚ୍ଚା‌ ହେଉଛି। ଏ ସମ୍ପର୍କରେ ଜିଲ୍ଲା ବିଜେଡି ସଭାପତି ଶ୍ରୀ ସର୍ଦ୍ଦାର କହିଛନ୍ତି, ପ୍ରାର୍ଥିତ୍ବ ସମ୍ପର୍କରେ ଦଳର ଶୀର୍ଷ ନେତୃତ୍ବ ହିଁ ନିଷ୍ପତ୍ତି ଗ୍ରହଣ କରିବେ।