ପଦ୍ମଶ୍ରୀ ଫେରାଇବିନି, ଚର୍ଚ୍ଚାରେ ପୂର୍ଣ୍ଣଛେଦ ଟାଣିଲେ ଦୈତାରୀ

କେନ୍ଦୁଝର : କେନ୍ଦୁଝର ମାଂଝୀ ଦୈତାରୀ ନାଏକ ପଦ୍ମଶ୍ରୀ ପୁରସ୍କାର ଫେରାଇବାକୁ ନେଇ ହୋଇଥିବା ହଟଚମଟ ଉପରେ ପ୍ରତିକ୍ରିୟା ରଖିଛନ୍ତି। କୌଣସି ପରିସ୍ଥିତିରେ ପଦ୍ମଶ୍ରୀ ପୁରସ୍କାର ଫେରାଇବେ ନାହିଁ ବୋଲି ସେ କହିଛନ୍ତି। ଏଭଳିକି ସେ ଏ ବିଷୟରେ କାହା ଆଗରେ କିଛି କହିନଥିବା କହିଛନ୍ତି। ସେ ଆହୁରି କହିଛନ୍ତି ଯେ କେତେଜଣ ତାଙ୍କ ପାଖକୁ ଆସି ଦୁଃଖଦୁର୍ଦଶା ବିଷୟରେ ପଚାରି ବୁଝିଥିଲେ। ପଦ୍ମଶ୍ରୀ ପାଇଲା ପରେ ଆର୍ଥିକ ସ୍ଥିତିରେ କ’ଣ ପରିବର୍ତ୍ତନ ହୋଇଛି ବୋଲି ପଚାରିଥିଲେ। ଏ ପଦକ ପୁରସ୍କାର ଥାଇ କି ଲାଭ ହେଲା, ତାକୁ ନେଇ ଚାଟିବୁୁ କି ବୋଲି ସେମାନେ ପ୍ରଶ୍ନ କରିଥିଲେ ବୋଲି ଦୈତାରୀ ବିଭିନ୍ନ ଗଣମାଧ୍ୟମକୁ କହିଛନ୍ତି। ପଦ୍ମଶ୍ରୀ ଫେରାଇବା ନେଇ ସେ କାହା ଆଗରେ କିଛି କହିନଥିବା ସ୍ପଷ୍ଟ ଭାବେ କହିଛନ୍ତି।

ଏଠାରେ ସୂଚାଇ ଦିଆଯାଇପାରେ ଯେ ଦୀର୍ଘ ବର୍ଷ ଧରି ନିଜ ପରିଶ୍ରମରେ କେନାଲ ଖୋଳି ନିଜ ଗାଁକୁ ବୈତରଣୀ ପାଣି ଆଣି ଶସ୍ୟ ଶ୍ୟାମଳା କରିଥିଲେ ଦୈତାରୀ ନାଏକ। ଏହା ଲୋକଲୋଚନକୁ ଆସିବା ପରେ କେନ୍ଦ୍ର ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ। ମାତ୍ର ପଦ୍ମଶ୍ରୀ ଉପାଧିଧାରୀ ଦୈତାରୀଙ୍କର ମୌଳିକ ସମସ୍ୟା ସୁଧୁରିନାହିଁ। କେନ୍ଦୁଝରର ମାନଝୀ ବା ମାଉଣ୍ଟେନ ମ୍ୟାନ ଭାବେ ପରିଚିତ ଦୈତାରୀଙ୍କ ଗାଁ ହେଉଛି ବାଂଶପାଳ ବ୍ଲକର ତଳ ବୈତରଣୀ। ଏହି ଗାଁରେ ସବୁବେଳେ ଜଳସେଚନ ସମସ୍ୟା ରହିଥିବାରୁ ସେ ବୈତରଣୀ ପାଣିକୁ କରତକଟା ନାଳ ପାଖରୁ ଏକ କେନାଲ ଖୋଳି ନିଜ ଗାଁ ଜମିକୁ ପାଣି ଆଣିବାରେ ସମର୍ଥ ହୋଇଥିଲା। ‌ଏ ସଂପର୍କରେ ‘ସମ୍ବାଦ’ରେ ପ୍ରଥମେ ଗତ ବର୍ଷ ଜୁନ ୧୮ ତାରିଖରେ ‘କେନ୍ଦୁଝରର ମାନଝୀ: ପାହାଡ କାଟି କେନାଲ ଖୋଳିଲେ’ ଶୀର୍ଷକରେ ଏକ ସ୍ବତନ୍ତ୍ର ଖବର ପ୍ରକାଶ ପାଇବା ପରେ ସମଗ୍ର ଦେଶରେ ଏହା ଚର୍ଚ୍ଚା ସୃଷ୍ଟି କରିଥି‌ଲା।

ଏଥିନେଇ ଗତ ମାର୍ଚ୍ଚ ୧୬ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। ଦୈତାରୀଙ୍କ କହିବା ଅନୁସାରେ, ତାଙ୍କର ଘର ଖଣ୍ଡେ ନାହିଁ। ପୁଅ ପାଖରେ ରହୁଥିଲେ ବି ତାଙ୍କୁ ତିନି ବର୍ଷ ତଳେ ଇନ୍ଦିରା ଆବାସ ଗୃହ ଖଣ୍ଡେ ମିଳିଥିଲା। ଇନ୍ଦିରା ଆବାସ ପାଇଁ ଯେତିକି ଟଙ୍କା ମିଳିଥିଲା ତାହା କାନ୍ଥ ଉଠିଲା ସିନା ଛାତ ପଡ଼ି ପାରିଲା ନାହିଁ। ଏଭଳି ପରିସ୍ଥିତିରେ ସେ ନିଜର ଜଣେ ପୁଅଙ୍କ ପାଖରେ ରହୁଛନ୍ତି।

ପଦ୍ମଶ୍ରୀ ଦୈତାରୀ ନାଏକ କହିଛନ୍ତି, ପଦ୍ମଶ୍ରୀ ପାଇବା ପୂର୍ବରୁ ମୂଲ ମଜୁରି ଲାଗି ଚଳୁଥିଲି। କିନ୍ତୁ ପଦ୍ମଶ୍ରୀ ପୁରସ୍କାର ପାଇବା ପରେ ସେ ଆଉ ଏହି କାମ କରିବାର ସୁଯୋଗ ପାଉନାହାନ୍ତି। ଚାଷବାସ କରିବା ସହ ଆମ୍ବଶଢ଼ା ଓ ଖଲି ପତ୍ର, ଶାଳ ମଞ୍ଜି ବିକି ଜୀବିକା ଉପାର୍ଜନ କରୁଛି।

ଏ ସଂପର୍କରେ ଜିଲ୍ଲପାଳ ଆଶିଷ ଠାକ୍‌ରେଙ୍କୁ ପଚାରିଥିଲୁ। ସେ କହିଥିଲେ, ଜଣେ ସରକାରୀ ଅଧିକାରୀ ସ୍ବତନ୍ତ୍ର ଭାବେ ଦୈତାରୀଙ୍କ ଘରକୁ ଯାଇ ତାଙ୍କର ସମସ୍ୟା ବୁଝିବେ। ପ୍ରଶାସନ ପକ୍ଷରୁ ତାଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର