କେନ୍ଦୁଝର ଡାକ୍ତରଖାନାରେ ଚିକିତ୍ସା ଏମିତି! ଭୁଲ୍‌ ରକ୍ତ ପାଇଁ ଚାଲିଗଲା ୨ ଜୀବନ

କେନ୍ଦୁଝର : ଭୁଲ୍‌ ଗ୍ରୁପର ରକ୍ତ ଦେବାରୁ ଦୁଇଜଣ ରୋଗୀଙ୍କ ମୃତ୍ୟୁ ହୋଇଛି! ମୃତ ‌ରୋଗୀଙ୍କ ପରିବାର ଲୋକେ ଏହି ଅଭିଯୋଗ ଆଣିବାପରେ ସ୍ବାସ୍ଥ୍ୟସେବାର ଗୁରୁତର ତ୍ରୁଟି ପଦାରେ ପଡ଼ିଛି। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହିଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଥିବାବେଳେ ମୃତକଙ୍କ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

କେନ୍ଦୁଝର ସଦର ବ୍ଲକ୍‌ ରାଇସୁଆଁ ପଞ୍ଚାୟତ ସାହୁସାହିର ସୁନି ସାହୁ (୪୦) କିଛିଦିନ ପୂର୍ବରୁ ଅସୁସ୍ଥ ହେବାରୁ ତାଙ୍କୁ ଗତ ୧୩ ତାରିଖରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସୁନିଙ୍କୁ ରକ୍ତ ଦେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଡାକ୍ତରଙ୍କ ପରାମର୍ଶ ପରେ ତାଙ୍କ ପାଇଁ ରକ୍ତ ଯୋଗାଡ଼ କରାଯାଇଥିଲା। ସୁନିଙ୍କୁ ୨ ୟୁନିଟ୍‌ ‘ବି ପଜିଟିଭ’ ରକ୍ତ ଦିଆଯାଇଥିଲା। ଏହାସତ୍ତ୍ବେ ସେ ଅଧିକରୁ ଅଧିକ ଅସୁସ୍ଥ ହୋଇପଡିଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ମଧ୍ୟ ଡାକ୍ତର ରକ୍ତ ଦେବାକୁ ପରାମର୍ଶ ଦେଇଥିଲେ। ଫଳରେ ତାଙ୍କ ରକ୍ତ ନମୁନା କଟକ ରକ୍ତଭଣ୍ଡାରକୁ ନିଆଯାଇଥିଲା। ସେଠାରେ ପରୀକ୍ଷା ପରେ ଜଣାପଡ଼ିଲା ଯେ ତାଙ୍କର ବ୍ଲଡ ଗ୍ରୁପ ‘ଏବି ପଜିଟିଭ୍‌’। ୨୧ ତାରିଖରେ ସେଠାରେ ୨ ୟୁନିଟ ‘ଏବି ପଜିଟିଭ୍’ ରକ୍ତ ଦିଆଯାଇଥିଲା। ରକ୍ତ ଦେବାପରେ ସେ ଟିକିଏ ସୁସ୍ଥ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ୨୯ ତାରିଖ ମଧ୍ୟାହ୍ନ ୧୨ଟା ପାଖାପାଖି ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସୁନିଙ୍କୁ ଭୁଲ୍‌ ରକ୍ତ ଦେବାରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ବଡ଼ଭାଇ ବାବାଜି ଚରଣ ସାହୁ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ତାଙ୍କର ଏକମ‌ାତ୍ର ଝିଅର ଭରଣପୋଷଣ ପାଇଁ କ୍ଷତିପୂରଣ ପ୍ରଦାନ କରିବାକୁ ସେ ଦାବି କରିଛନ୍ତି। ସୁନି ବିବାହର ୨/୩ ବର୍ଷ ପରେ ଆସି ବାପ ଘରେ ରହୁଥିଲେ। ତାଙ୍କର ଗୋଟିଏ ୧୩ ବର୍ଷର ଝିଅ ଅଛି। ମାମୁଙ୍କ ଆର୍ଥିକ ଅବସ୍ଥା ଖରାପ। ବର୍ତ୍ତମାନ ଝିଅଟି ଅନାଥ ହୋଇଯାଇଛି। ତାଙ୍କୁ ସରକାରୀ ସହାୟତା ଯୋଗଇବା ଦାବି ହେଉଛି।

ସେହିପରି ସଦର ବ୍ଲକ୍‌ କଣ୍ଡରାପଶି ଗ୍ରାମର ଦାମୁ ମୁଣ୍ଡା (୭୦) ମଧ୍ୟ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବାବେଳେ ତାଙ୍କର ରକ୍ତ ଦରକାର ବୋଲି ଡାକ୍ତର କହିଥିଲେ। ଏପ୍ରିଲ ୧ ତାରିଖରେ ତାଙ୍କୁ ରକ୍ତ ଦେବାପାଇଁ ରକ୍ତ ନମୁନା ରକ୍ତ ଭଣ୍ଡାରକୁ ଯାଇଥିଲା। ସେଠାରେ ପରୀକ୍ଷା କରିବା ପରେ ତାଙ୍କ ‘ଏ ପଜିଟିଭ୍’ ଗ୍ରୁପ ବୋଲି ଜଣାପଡ଼ିଥିଲା । ହେଲେ ତାଙ୍କୁ ରକ୍ତ ଭଣ୍ଡାରରୁ ‘ବି ପଜିଟିଭ’ ରକ୍ତ ଦିଆ‌ଯାଇଥିଲା। ଡାକ୍ତରଖାନାରେ ଡ୍ୟୁଟିରେ ଥିବା କର୍ମଚାରୀ ଯାଞ୍ଚ ନକରି ‘ବି ପଜିଟିଭ’ ରକ୍ତ ଦାମୁଙ୍କୁ ଦେଇଥିଲେ। କିଛିସମୟ ପରେ ଦାମୁଙ୍କ ପୁଅ ସେଠାରେ ପହଞ୍ଚି ଦେଖିଲା ବେଳକୁ ତାଙ୍କ ବାପାଙ୍କୁ ଭୁଲ୍‌ ରକ୍ତ ଦିଆଯାଇଛି ବୋଲି କହିବା ପରେ ତାହା ବନ୍ଦ କରାଯାଇଥିଲା। ରକ୍ତ ଲଗାଇଥିବା କର୍ମଚାରୀ ଜଣଙ୍କ ଚତୁରତାର ସହିତ ଅଧା ବ୍ଲଡ୍‌ ପ୍ୟାକେଟକୁ ନେଇ ବ୍ଲଡ ବ୍ୟାଙ୍କ୍‌ରେ ଦେଇଥିଲେ। ପୁଣି ବ୍ଲଡ ବ୍ୟାଙ୍କରୁ ‘ଏ ପଜିଟିଭ୍‌’ ରକ୍ତ ଆଣି ଦିଆଯାଇଥିଲା। ଯାହାଫଳରେ, ତାଙ୍କର ମୃତ୍ୟୁ ହୋଇଯାଇଥିଲା ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଜାତାରାଣୀ ମିଶ୍ର ପଚାରିବାରୁ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର