ଅଘୋଷିତ ମଣ୍ଡି ବନ୍ଦ, ଟାର୍ଗେଟ ମିଳିଲାନି କି ଧାନ କିଣିଲାନି

କେନ୍ଦୁଝର : ଚାଷୀଙ୍କୁ ଆଉଥରେ ପୁଣି ଠକିଛନ୍ତି ସରକାର। ଚାଷୀଙ୍କ ପାଖରେ ଧାନ ଥିଲେ ବି ସରକାର ଆଉ ଟାର୍ଗେଟ ଦେଲେନି କି ମଣ୍ଡିରେ ଧାନକିଣା ହୋଇପାରିଲା ନାହିଁ। ଯେଉଁଥିପାଇଁ ମସଗ୍ର ଜିଲ୍ଲାରେ ଅଘୋଷିତ ଭାବେ ଏକାଧିକ ମଣ୍ଡି ବନ୍ଦ ‌ହୋଇଯାଇଛି।

ପୂର୍ବରୁ ଏକାଧିକଥର ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଧାନ କିଣିବା ପାଇଁ ଯେଉଁ ଟାର୍ଗେଟ ମଗା ଯାଉଥିଲା, ତାହା ମିଳୁ ନ ଥିଲା। ଫଳରେ ମଣ୍ଡିରେ ଚାଷୀଙ୍କଠାରୁ ୨୦ ପ୍ରତିଶତ କମ୍‌ ଧାନ କିଣାଯାଉଥିଲା। ଅବଶିଷ୍ଟ ଧାନ ଚାଷୀମାନେ ଅସହାୟ ଅବସ୍ଥାରେ ଅତ୍ୟନ୍ତ କମ୍‌ ମୂଲ୍ୟରେ ଦଲାଲଙ୍କୁ ବିକିବାକୁ ବାଧ୍ୟ ହୋଇଥିଲେ। ଏଭଳି ପ୍ରକ୍ରିୟା କିଛି ଦିନ ଚାଲିବା ପରେ ଏବେ ସରକାର ଆଉ ଟାର୍ଗେଟ ଦେଉନାହାନ୍ତି। ଏମିତିକି ଗତ ୪ ଦିନ ତଳେ ଅର୍ଥାତ ୧୮ ତାରିଖରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ କେନ୍ଦୁଝର ଜିଲ୍ଲା ପାଇଁ ୩ ଲକ୍ଷ କୁଇଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ମଗାଯାଇଥିଲା। ମାତ୍ର ତାହା ଆଜିପର୍ଯ୍ୟନ୍ତ ନଆସିବାରୁ ଜିଲ୍ଲାରେ ସଂଖ୍ୟାଧିକ ମଣ୍ଡିରେ ଆଜିଠାରୁ ଧାନକିଣା ବନ୍ଦ ହୋଇଯାଇଛି। ଚାଷୀମାନଙ୍କ ପାଖରେ ଟୋକନ ଥିବା ସତ୍ତ୍ବେ ସେମାନେ ମଣ୍ଡି‌ରେ ଧାନ ବିକ୍ରି କରି ପାରିଲେ ନାହିଁ କି ଟାର୍ଗେଟ ନ ଥିବାରୁ ମଣ୍ଡି ଧାନ କିଣିଲା ନାହିଁ। ଏଠାରେ ତେଲକୋଇ ମଣ୍ଡିର ଉଦାହରଣ ଦିଆଯାଉ। ତେଲକୋଇ ମଣ୍ଡିରେ ୨୪ ତାରିଖରେ ଧାନ ବିକ୍ର କରିବା ପାଇଁ ୪୨ ଜଣ ଚାଷୀଙ୍କର ସିରିଏଲ୍‌ ଆସିଥିଲା। ସେମାନେ ଗତ ଦୁଇଦିନ ପୂର୍ବରୁ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଆଜି ତେଲକୋଇ ମଣ୍ଡିରେ ଟାର୍ଗେଟ ଆସି ନ ଥିବାରୁ ସେମାନଙ୍କ ଟୋକନ ଲାପସ୍‌ ହୋଇଗଲା।

ଗତ ଜାନୁଆରି ୨୭ ତାରିଖରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ପ୍ରମୁଖ ଶାସନ ସଚିବଙ୍କୁ ଚିଠି ଲେଖାଯାଇ ୭ ଲକ୍ଷ ୩୪ ହଜାର କୁଇଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ଦେବାକୁ ଅନୁରୋଧ କରାଯାଇଥିଲା। ମାତ୍ର ଏହାପରେ ଦୁଇଟି ପର୍ଯ୍ୟାୟରେ ଯେଉଁ ଟାର୍ଗେଟ ଆସିଲା ତାହା ସମୁଦ୍ରକୁ ଶ‌ଙ୍ଖେ ଭଳି। ପ୍ରଥମେ ଫେବ୍ରୁଆରି ୭ ତାରିଖରେ ୭୯ ହଜାର ୪୧୦ କୁଇଣ୍ଟାଲର ଟାର୍ଗେଟ ଆସିଥିବା ବେଳେ ୧୪ ତାରିଖରେ ୮୦ ହଜାର ୮୮୦ କୁଇଣ୍ଟାଲର ଟାର୍ଗେଟ ଥିଲା।

ଏ ସଂପର୍କରେ ଯୋଗାଣ ଅଧିକାର ହାଡିବନ୍ଧୁ ସେଠୀଙ୍କୁ ପଚାରିବାରୁ ସେ କହିଥିଲେ, ଗତ ୧୮ ତାରିଖରେ ୩ ଲକ୍ଷ କୁଇଣ୍ଟାଲ ଧାନ କିଣିବାକୁ ପାଇଁ ଟାର୍ଗେଟ ମଗାଯାଇଥିଲା। ତାହା ଆଜିସୁଦ୍ଧା ମିଳିଲା ନାର୍ହି। ତେଣୁ ଯେଉଁ ମଣ୍ଡିରେ ଟାର୍ଗେଟ ନ ଥିବ ସେମାନେ ଧାନ କିଣି ପାରିବେ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର