୫୦ ଲକ୍ଷ ଜବତ ଘଟଣା : ସମୟ ନେଲେ ଚମ୍ପୁଆ ବିଧାୟକ

କେନ୍ଦୁଝର : ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କ ଯୋଡ଼ା ଶାଖା ମ୍ୟାନେଜରଙ୍କ ଗାଡିରୁ ୫୦ ଲକ୍ଷ ଟଙ୍କା ଜବତ ହେବା ଘଟଣାରେ ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କୁ ପକ୍ଷ ରଖିବା ପାଇଁ ପୁଲିସ ନୋଟିସ୍‌ କରିବା ପରେ ୨୦ ଦିନ ସମୟ ନେଇଛନ୍ତି ବିଧାୟକ ଶ୍ରୀ ମହାକୁଡ। ଶାରୀରିକ ଅସୁସ୍ଥତା ଯୋଗୁଁ ତାଙ୍କୁ ସମୟ ଦିଆଯିବା ପାଇଁ ସେ ଚିଠି ଲେଖି ସଦର ଥାନା ପୁଲିସକୁ ଜଣାଇଛନ୍ତି। ସୂଚନାଯୋଗ୍ୟ, ଗତ ୧୨ ତାରିଖ ସଂଧ୍ୟାରେ ଚମ୍ପୁଆ ଥାନା ବାସୁଦେବପୁର ନିକଟରୁ ଏକ କାର (ଓଆର-୦୨ବିଭି-୮୦୦୭)ରୁ ପୁଲିସ ୫୦ ଲକ୍ଷ ଟଙ୍କା ଜବତ କରିବା ସହିତ ଯୋଡା ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କ ମ୍ୟାନେଜର ମାନସ ରାଉତ, ସିକ୍ୟୁରିଟି ଗାର୍ଡ ଲକ୍ଷ୍ମଣ ପ୍ରଧାନ ଏବଂ ଅନ୍ୟ ଜଣେ କର୍ମଚାରୀ ସରୋଜ କୁମାର ବେହେରାଙ୍କୁ ଗିରଫ କରିଥିଲା। ଏହି ମାମଲାରେ ପୁଲିସ ବିଧାୟକଙ୍କୁ ନୋଟିସ୍‌ ଜାରି କରିବା ସହିତ ଆଜି ଉପସ୍ଥିତ ରହି ପକ୍ଷ ରଖିବାକୁ କୁହାଯାଇଥିଲା। ଅନ୍ୟପକ୍ଷରେ ଘଟଣାର ଅଧିକ ତଦନ୍ତ ପାଇଁ ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କରେ ଥିବା ଶ୍ରୀ ମହାକୁଡଙ୍କ ଏକାଧିକ ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରାଯାଇଥିବା ସୂଚନା ମିଳିଛି। ଏହି ଆକାଉଣ୍ଟଗୁଡ଼ିକରେ ୧୬୫ କୋଟି ଟଙ୍କା ଥିବା ଚର୍ଚ୍ଚା ଚାଲିଥିଲେ ବି ଏ ନେଇ ପୁଲିସ ସୂଚନା ଦେବାକୁ ମନା କରି ଦେଇଛି।

ସମ୍ବନ୍ଧିତ ଖବର