କେନ୍ଦୁଝର ଗ୍ରାମ୍ୟ ଉନ୍ନୟନ ବିଭାଗ ଟେଣ୍ଡର ଅନିୟମିତତା : ବାଲାନ୍‌ସ‌ ସିଟ୍‌ ଯାଞ୍ଚ ଆରମ୍ଭ

ସମସ୍ତ ଚାଟାର୍ଡ ଫାର୍ମକୁ ଚିଠି ଲେଖିଲା ବିଭାଗ

କେନ୍ଦୁଝର : କେନ୍ଦୁଝର ଗ୍ରାମ୍ୟ ଉନ୍ନୟନ ବିଭାଗ ଟେଣ୍ଡର ଅନିୟମିତତାରେ ଏକାଧିକ ଠିକାସଂସ୍ଥାର ସମ୍ପୃକ୍ତି ଥିବା ଜଣାପଡ଼ିବା ସହ ‘ସମ୍ବାଦ’‌ରେ ବାରମ୍ବାର ତଥ୍ୟଭିତ୍ତିକ ଖବର ପ୍ରକାଶ ପାଇବା ପରେ ବିଭାଗ ଅଡ଼ୁଆରେ ପଡ଼ିଛି। ଏବେ ୩୬ଟି ପ୍ୟାକେଜ ପାଇଁ ଆବେଦନ କରିଥିବା ସମସ୍ତ ଠିକାସଂସ୍ଥାର ବାଲାନ୍‌ସ‌ ସିଟ୍‌, ଲାଭ କ୍ଷତି ଷ୍ଟେଟ‌ମେଣ୍ଟ ଯାଞ୍ଚ ପାଇଁ ବିଭାଗ ନିଷ୍ପତ୍ତି ନେଇଛି। ଏହିକ୍ରମରେ ସମସ୍ତ ଠିକା ସଂସ୍ଥାର ବାଲାନ୍‌ସ‌ ସିଟ୍‌ ପ୍ରସ୍ତୁତ କରିଥିବା ଚାଟାର୍ଡ ଆକାଉଣ୍ଟାଣ୍ଟ ଫାର୍ମକୁ କେନ୍ଦୁଝର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଚିଠି ଲେଖି ଏହାର ସତ୍ୟାସତ୍ୟ ଜଣାଇବାକୁ ଅନୁରୋଧ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଡିସେମ୍ବର ୭ ତାରିଖରେ ନୋଟିସ ନମ୍ବର-୨୨୪୦ରେ ୩୬ଟି ରାସ୍ତା କାମପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା। ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇଥିବା ଆବେଦନକାରୀଙ୍କ ମଧ୍ୟରୁ ଅଧିକାଂଶ ଜାଲ୍‌ ବାଲାନ୍‌ସ ସିଟ୍‌ ଏବଂ ପ୍ରଫିଟ୍ ଆଣ୍ଡ‌ ଲସ୍‌ ଷ୍ଟେଟ୍‌ମେଣ୍ଟ ଦେଇଥିବା ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଠିକାଦାର ଗଦାଧର ନାୟକ, ସୁରେନ୍ଦ୍ର ଭୂୟାଁ, ରବୀନ୍ଦ୍ର କୁମାର ସାହୁ, ଦେବେନ୍ଦ୍ର ଜେନାଙ୍କ ବିରୋଧରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି। ଏମିତିକି ଏହି ଘଟଣାରେ ଠିକାଦାର ଦେବେନ୍ଦ୍ର ଜେନାଙ୍କୁ କେନ୍ଦୁଝର ଟାଉନ ଥାନା ପୁଲିସ ଗିରଫ କରିଛି।

ଅଧିକାଂଶ ଆବେଦନକାରୀଙ୍କ ବାଲାନ୍‌ସ ‌ସିଟ୍‌, ପ୍ରଫିଟ୍ ଆଣ୍ଡ‌ ଲସ୍‌ ଷ୍ଟେଟ୍‌ମେଣ୍ଟ ଜାଲିଆତି ବୋଲି ଖବର ପ୍ରକାଶ ପାଇବା ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସମସ୍ତଙ୍କ ଠିକାସଂସ୍ଥାର ବା‌ଲାନ୍‌ସ ‌ସିଟ୍ ଏବଂ ପ୍ରଫିଟ୍‌ ଆଣ୍ଡ‌ ଲସ୍‌ ଷ୍ଟେଟ୍‌ମେଣ୍ଟ ଯାଞ୍ଚ ପାଇଁ ନିଷ୍ପତ୍ତି ନେଇଛି। ଏହି କ୍ରମରେ ଚିଠି ନମ୍ବର-୫୦୭ରେ ଈଶ୍ବର ଚନ୍ଦ୍ର ବଡ଼ପଣ୍ଡାଙ୍କ ଦସ୍ତାବିଜ‌ ଅସଲି କି ନକଲି ଜାଣିବାକୁ ଚାଟାର୍ଡ ଆକାଉଣ୍ଟାଣ୍ଟ ଫାର୍ମ ଏସ୍‌ଡିଆର୍‌ ଆଣ୍ଡ ଆସୋସିଏଟ୍‌‌କୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଚିଠି ଲେଖିଛି। ସେହିପରି କମଳାକାନ୍ତ ଥମ୍ବଙ୍କ ବାଲାନ୍‌ସ ‌ସିଟ୍‌, ପ୍ରଫ୍ରିଟ୍‌ ଆଣ୍ଡ ଲସ୍‌ ଷ୍ଟେଟ୍‌ମେଣ୍ଟ ଯାଞ୍ଚ ପାଇଁ ଚାଟାର୍ଡ ଫାର୍ମ ସାହୁଶର୍ମା ଆଣ୍ଡ ଆସୋସିଏସ୍କୁ ଚି‌ଠି ନଂ-୫୦୬ରେ ଅନୁରୋଧ କରିଛି ବିଭାଗ। ଜଗଦୀଶ ବଡ଼ପଣ୍ଡାଙ୍କ ଦସ୍ତାବିଜ‌ ସଂପର୍କରେ ଜାଣିବାକୁ ସାମଲ ଆସୋସିଏଟ୍‌କୁ ଚିଠି ନଂ-୫୦୪, ଶ୍ରୀକାନ୍ତ ଆସୋସିଏଟ୍‌କୁ ଚିଠି ନଂ-୫୦୩, ଘନଶ୍ୟାମ ସାମଲଙ୍କ ଦସ୍ତାବିଜ ସମ୍ପର୍କରେ ଜାଣିବାକୁ ଏସ୍‌ଡିଆର୍‌ ଆଣ୍ଡ ଆସୋସିଏଟ୍‌କୁ ଚିଠି ନଂ-୫୦୨, ପ୍ରତୀକ କନଷ୍ଟ୍ରକ୍ସନର ବାଲାନ୍‌ସ ‌ସିଟ୍‌ ଏବଂ ପ୍ରଫିଟ୍ ଆଣ୍ଡ‌ ଲସ୍‌ ଷ୍ଟେଟ୍‌ମେଣ୍ଟ ଯାଞ୍ଚ କରିବାକୁ ଡାନସ୍‌ପାର୍କ ଆଣ୍ଡ କୋ’କୁ ଚିଠି ନଂ-୪୯୮ ଲେଖିଛି ଗ୍ରାମ୍ୟ ଉନ୍ନୟନ ବିଭାଗ।

ସେହିପରି ଅନ୍ୟ କେତେଜଣ ଠିକଦାର ଓ ଠିକାସଂସ୍ଥାର ବାଲାନ୍‌ସ‌ ସିଟ୍ ଏବଂ ପ୍ରଫିଟ୍‌ ଆଣ୍ଡ ଲସ୍‌ ଷ୍ଟେଟ୍‌ମେଣ୍ଟ ସମ୍ପର୍କରେ ଜାଣିବା ପାଇଁ ସେମାନଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ପାଖକୁ ଚିଠି ଲେଖି ସୂଚନା ଦେବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅନୁରୋଧ କରିଥିବା ଜଣାପଡ଼ିଛି।

ଘସିପୁରା ବ୍ଲକ୍‌ ଅଧ୍ୟକ୍ଷାଙ୍କ ଆକାଉଣ୍ଟକୁ ଯାଇଛି ୨୮ଲକ୍ଷ
ଆନନ୍ଦପୁର : ଦୁର୍ନୀତି, ଅନିୟମିତତା ସହ ପିସି କାରବାର ଅଭିଯୋଗକୁ ନେଇ ଚର୍ଚ୍ଚାରେ ଥିବା କେନ୍ଦୁଝରର ଘସିପୁରା ବ୍ଲକ୍‌ରୁ ଆସିଛି ରୋଚକ ଖବର। ଖୋଦ୍‌ ଘସିପୁରା ବ୍ଲକ୍‌ ଅଧ୍ୟକ୍ଷା ସୁଜାତା ସାହୁଙ୍କ ଆକାଉଣ୍ଟକୁ ଜଣେ ଠିକାଦାରଙ୍କ ଆକାଉଣ୍ଟରୁ ୨୮ ଲକ୍ଷ ଟଙ୍କା ପଠାଯାଇଛି। ଠିକାଦାରଙ୍କ ବ୍ୟାଙ୍କର ଷ୍ଟେଟମେଣ୍ଟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। କୌଣସି ଠିକାକାମ ପାଇଁ ପିସି ବାବଦକୁ ଏହି ଅର୍ଥ ଦିଆଯାଇଥିବା ଚର୍ଚ୍ଚା ହେଉଛି। କାହିଁକି ଏତେଟଙ୍କା ବ୍ଲକ୍‌ ଅଧ୍ୟକ୍ଷଙ୍କ ଆକାଉଣ୍ଟକୁ ପଠାଯାଇଥିଲା ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଅନେକ ଗୁମର ଖୋଲିବ ବୋଲି ମଧ୍ୟ ଆଲୋଚନା ହେଉଛି।

ବ୍ୟାଙ୍କ ଷ୍ଟେଟମେଣ୍ଟରେ ରହିଥିବା ତଥ୍ୟ ଅନୁସାରେ, ଗତ ୨୦୨୦ ଜାନୁଆରି ୧୬ତାରିଖରେ ଘସିପୁରା ବ୍ଲକ୍‌ ତରୁଆଁ ଗ୍ରାମର ଠିକାଦାର ଦୀପକ ବେହେରାଙ୍କ ଜମାଖାତାରୁ ଅଧ୍ୟକ୍ଷା ଶ୍ରୀମତୀ ସାହୁଙ୍କ ଜମାଖାତାକୁ ଚେକ୍ ନମ୍ବର ୩୧୪୫୫ ମାଧ୍ୟମରେ ୨୮ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଥିଲା। ତେବେ କାହିଁକି ଏତେଟଙ୍କା ଠିକାଦାର ଜଣକ ପଠାଇଥିଲେ, ଏହାକୁ ନେଇ ପ୍ରଶ୍ନ ଉଠିଛି। ଏନେଇ ଅଧ୍ୟକ୍ଷାଙ୍କ ସ୍ବାମୀ ବାବନ ସାହୁଙ୍କୁ ପଚାରିବାରୁ କୌଣସି ପ୍ରକାର ଚାନ୍ଦା କଥାକୁ ଅସ୍ବୀକାର କରିଥିଲେ। ସେ କହିଥିଲେ ଯେ, ସେ ଗ୍ରାମ୍ୟ ଉନ୍ନୟନ ବିଭାଗର ୩୦ଲକ୍ଷ ଟଙ୍କାର ଏକ ରାସ୍ତାକାମ ଦୀପକଙ୍କ ଲାଇସେନ୍ସରେ କରିଥିଲେ। କାମ ସମ୍ପୂର୍ଣ୍ଣ ହୋଇ ବିଲ୍‌ ମିଳିବା ପରେ ଦୀପକ ଏହି ଅର୍ଥ ତାଙ୍କ ପତ୍ନୀଙ୍କ ଜମାଖାତାକୁ ପଠାଇଥିଲେ ବୋଲି କହିଛନ୍ତି। ଅପରପକ୍ଷରେ ଠିକାଦାର ଦୀପକ ବେହେରା କହିଛନ୍ତି, ସେ ନିଜେ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଆରଏମ୍‌ସି‌ର ୩ କୋଟି ୫୦ ଲକ୍ଷ ଟଙ୍କାର କାମ କରିଥିଲେ। ତାଙ୍କୁ ୩୦ଲକ୍ଷ ଟଙ୍କା ମଗାଯାଇଥିଲା । ସେ ଚାନ୍ଦା ବାବଦକୁ ଏହି ଅର୍ଥ ବ୍ଲକ୍‌‌ ଅଧ୍ୟକ୍ଷା ସୁଜାତା ସାହୁଙ୍କ ଆକାଉଣ୍ଟକୁ ପଠାଇଥିଲେ। ଏହା ପ୍ରଥମ ନୁହେଁ; ପୂର୍ବରୁ ମଧ୍ୟ ଅନେକଥର ଦାବି ମୁତାବକ ଟଙ୍କା ଦେଇଥିବା ଦୀପକ କହିଛନ୍ତି।

ସୂଚନାଯୋଗ୍ୟ ଯେ ବ୍ଲକ୍‌ ଅଧ୍ୟକ୍ଷାଙ୍କ ସ୍ବାମୀ ବାବନ ସାହୁ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ନିକଟତମ ବ୍ୟକ୍ତି ହୋଇଥିବାରୁ ଏହାକୁ ନେଇ ଅଧିକ ଚର୍ଚ୍ଚା ହୋଇଛି। ଘସିପୁରା ବ୍ଲକ୍‌ରେ ଚାଲିଥିବା ପିସି କାରବାର ସଂପର୍କରେ ତଦନ୍ତ କଲେ ଅନେକ ଗୁମର ଖୋଲିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର