ସୁବ୍ରତ ସ୍ବାଇଁ
କେନ୍ଦୁଝର: କେନ୍ଦୁଝର ସଦର ନିର୍ବାଚନମଣ୍ଡଳୀକୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଛି। ଗତ ବିଧାନସଭା ନିର୍ବାଚନରେ ଅଳ୍ପକେ ଏଠାରୁ ବିଜେଡି ପ୍ରାର୍ଥୀ ମାଧବ ସର୍ଦ୍ଦାର ପରାଜିତ ହୋଇଥିଲେ। ପୌର ନିର୍ବାଚନରେ ବିଜେଡି ଏଠାରେ ନିଜର ରଣକୌଶଳ ବଦଳାଇବା ସହ ବିଜୟୀ ହେବ ବୋଲି ଆଶା ରଖିଥିଲା। ମାତ୍ର ତାହା ହେଲା ନାହିଁ।

Advertisment

କେନ୍ଦୁଝର ଜିଲ୍ଲାରେ ମୋଟ ୬ଟି ବିଧାନସଭା ଆସନ ରହିଛି। ୨୦୧୯ ନିର୍ବାଚନରେ ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ। କେବଳ କେନ୍ଦୁଝର ସଦର ନିର୍ବାଚନମଣ୍ଡଳୀରେ ବିଜେପିର ମୋହନ ଚରଣ ମାଝୀ ବିଜୟୀ ହୋଇଥିଲେ। ଏହାଦ୍ବାରା କେନ୍ଦୁଝର ଜିଲ୍ଲା‌ରେ ବିଜେଡି ସମସ୍ତ ଆସନକୁ ପୋଛିନେବାକୁ ଯେଉଁ ଯୋଜନା କରିଥିଲା ସେଥିରେ ପୂର୍ଣ୍ଣଛେଦ ପଡ଼ିଥିଲା। ଆସନ୍ତା ବିଧାନସଭା ନିର୍ବାଚନରେ ବିଜେଡି କିଭଳି ଏହି ଆସନକୁ ପୁଣି ନିଜ କବ୍‌ଜାକୁ ନେବ ସେଥିପାଇଁ ଯୋଜନା ପ୍ରସ୍ତୁତ କରୁଛି। ଏହି ନିର୍ବାଚନମଣ୍ଡଳୀରେ ୨୦୦୯ରେ ବିଜେଡିର ସୁବର୍ଣ୍ଣ ନାୟକ ଓ ୨୦୧୪ରେ ବିଜେଡିର ଅଭିରାମ ନାଏକ ବିଜୟୀ ହୋଇ ବିଧାୟକ ହୋଇଥିଲେ। ୨୦୧୯ ନିର୍ବାଚନରେ ବିଜେପିର ମୋହନ ମାଝୀଙ୍କ ବିରୋଧ‌ରେ ବିଜେଡିରୁ ମାଧବ ସର୍ଦ୍ଦାର ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ।

publive-image

୨୦୨୪ ପାଇଁ ଏକାଧିକ ନୂଆମୁହଁ ବିଜେଡି ଟିକଟ ପାଇବା ପାଇଁ ଆଶାୟୀ ଥିବାବେ‌ଳେ କିଛି ପୁରୁଣା ମୁହଁ ମଧ୍ୟ ଅଛନ୍ତି। ଆଶାୟୀଙ୍କ ମଧ୍ୟରେ କେନ୍ଦୁଝରଗଡ଼ର ପୂର୍ବତନ ପୌରାଧ୍ୟକ୍ଷା ମୀନା ମାଝୀ, ପୂର୍ବତନ ସଦର ବ୍ଲକ୍‌ ଅଧ୍ୟକ୍ଷା ସସ୍ମିତାରାଣୀ ସିଂ ଅନ୍ୟତମ। ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ବାବୁରାମ ନାଏକ ମଧ୍ୟ ନୂଆମୁହଁ ଭାବେ ତାଲିକାରେ ରହିଛନ୍ତି। ପୁରୁଣା ଚେହେରା ଭାବେ ଗତଥରର ପ୍ରାର୍ଥୀ ମାଧବ ସର୍ଦ୍ଦାର ପୁଣି ୨୦୨୪ ନିର୍ବାଚନ ଲଢ଼ିବାକୁ ସଜବାଜ ହେଉଥିବା ବେଳେ ପୂର୍ବତନ ବିଧାୟକ ଅଭିରାମ ନାଏକ ମଧ୍ୟ ଆଶା ବାନ୍ଧିଛନ୍ତି। ଦଳର ଆଭ୍ୟନ୍ତରୀଣ ମହଲରୁ ମିଳିଥିବା ସୂଚନା ଅନୁସାରେ, ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଏଥର ମହିଳା କାର୍ଡ ଖେଳିପାରେ। ମହିଳା ଆଶାୟୀଙ୍କ ମଧ୍ୟରେ ପୂର୍ବତନ ପୌରାଧ୍ୟକ୍ଷା ମୀନା ମାଝୀ ଓ ପୂର୍ବତନ ସଦର ବ୍ଲକ୍‌ ଅଧ୍ୟକ୍ଷା ସସ୍ମିତାରାଣୀ ସିଂଙ୍କ ନାମ ଚର୍ଚ୍ଚାରେ। ମୀନା ମାଝୀ  ପୂର୍ବରୁ ପୌରାଧ୍ୟକ୍ଷା ଥିବାବେଳେ କେନ୍ଦୁଝର ସହରରେ ତାଙ୍କ ଘର। ସେ ସହରାଞ୍ଚଳର ଭୋଟ ହାତେଇ ପାରିବେ ବୋଲି ବିଜେଡି ନେତୃତ୍ବ ଭାବୁଛନ୍ତି। ମୀନା ସାନ୍ତାଳ ସମ୍ପ୍ରଦାୟର ହୋଇଥିବାରୁ ସାନ୍ତାଳୀ ଭୋଟ ହାତେଇବା ତାଙ୍କ ପାଇଁ ସହଜ ହେବ ବୋଲି କେତେକ ମତ ଦେଉଛନ୍ତି। ବିଜେଡିର କିଛି ପୁରୁଖା ନେତାଙ୍କ କଥାକୁ ଯଦି ବିଶ୍ବାସ କରାଯାଏ, ତେବେ ଟିକଟ ଦାବିଦାରଙ୍କ ମଧ୍ୟରେ କେନ୍ଦୁଝର ସଦର ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷା ସସ୍ମିତାରାଣୀ ସିଂ ମଧ୍ୟ ରହିଛନ୍ତି। ସସ୍ମିତା ପୂର୍ବରୁ ବ୍ଲକ୍‌ ଅଧ୍ୟକ୍ଷା ଥିବାବେଳେ ଚାରି ଚାରିଥର ସମିତିସଭ୍ୟା ଭାବେ ବିଜୟୀ ହୋଇଛନ୍ତି। ପୂର୍ବରୁ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ୨୦୦୪ ମସିହାରେ ବିଧାନସଭା ନିର୍ବାଚନ ଲଢ଼ିଥିଲେ। ଗ୍ରାମାଞ୍ଚଳ ଭୋଟ ତାଙ୍କ ସପକ୍ଷରେ ଯାଇପାରେ ବୋଲି କେତେକ ମତ ଦେଉଛନ୍ତି। ଟିକଟ କାହାକୁ ଦିଆଯିବ ତାହା ବିଜେଡିର ଶୀର୍ଷ ନେତୃତ୍ବ ନିଷ୍ପତ୍ତି ନେବେ।