ହାଇୱା ପଛରେ ପିଟିହେଲା ଟ୍ରେଲର; ଜିଅନ୍ତା ଜଳିଗଲେ ଡ୍ରାଇଭର, ହେଲ୍‌ପର୍‌

ଚମ୍ପୁଆ/ଚମକପୁର : କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ନାରଦପୁର ନିକଟରେ ଆଜି ହାଇୱା ପଛରେ ଏକ ଟ୍ରେଲର ପିଟି ହୋଇଯିବା ଫଳରେ ଟ୍ରେଲରରେ ନିଆଁ ଲାଗିଯାଇଥିଲା। ଟ୍ରେଲରର ଡ୍ରାଇଭର ଏବଂ ହେଲପର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।

ରାତି ପ୍ରାୟ ଗୋଟାଏ ହେବ। ୫୨୦ ନଂ ଜାତୀୟ ରାଜପଥର ନାରଦପୁର ଶିଶୁ ମନ୍ଦିର ନିକଟରେ ‌ଖରାପ ହୋଇଥିବା ଏକ ହାଇୱା (ଓଆର୦୯କ୍ୟୁ–୪୦୨୩) ଠିଆ ହୋଇଥିଲା। ଏହି ସମୟରେ ଯୋଡ଼ା ପଟୁ ଆଇରନ ବୋଝେଇ କରି ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରେଲର(ସିଜି୦୭ସିଏ-୬୮୪୭) ରାସ୍ତାରେ ଠିଆ ହୋଇଥିବା ହାଇୱାକୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋର୍‌ରେ ଥିଲା ଯେ ଗାଡ଼ିର ସାମ୍ନା ପଟ ସଂପୂର୍ଣ୍ଣ ଚୂରମାର ହୋଇଯାଇଥିଲା। ଡ୍ରାଇଭର ଓ ହେଲପର ସେଥିରେ ଚାପି ହୋଇ ଫସି ରହିଥିଲେ। ଟ୍ରେଲରଟିରେ ନିଆଁ ଲାଗି ଯାଇଥିଲା।

ଖବରପାଇ ଚମ୍ପୁଆ ଅଗ୍ନିଶମ ବାହିନୀ ଏବଂ ଯୋଡ଼ା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଗାଡ଼ିଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଏଥିରେ ଫସିଥିବା ଡ୍ରାଇଭର ଓ ହେଲପର ଜିଅନ୍ତା ଜଳି ଯାଇଥିଲେ। ମୃତକମାନେ ହେଲେ ‌ଡ୍ରାଇଭର ବିଦେଶୀ ଜେଠୀ(୨୭) ଏବଂ ହେଲପର ପୀତାମ୍ବର ମାଇତି(୨୬)। ସେମାନଙ୍କ ଘର ପଶ୍ଚିମବଂଗ ରାଜ୍ୟ ଅନ୍ତର୍ଗତ ପୁରୁଲିଆ ବଡ଼ବଜାର ଥାନା ଅନ୍ତର୍ଗତ ପଟ୍ଟାଲିଆ ବୋଲି ଜଣାପଡ଼ିଛି। ଖବର ପାଇ ଚମ୍ପୁଆ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟା ପରେ ଗ୍ୟାସ୍ କଟର ଯୋଗେ କାଟି ମୃତଦେହକୁ ଉଦ୍ଧାର କରିବା ପରେ ଚମ୍ପୁଆ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଚମ୍ପୁଆ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର