କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଚାଲିଛି ବେଆଇନ ଜମି କିଣାବିକା। ସହରାଞ୍ଚଳରେ ବାଇ-ପ୍ଲଟ୍‌ ବିକ୍ରି ବନ୍ଦ ଥିଲେ ବି ଏଠାରେ କିଛି ଦଲାଲ ତଞ୍ଚକତା କରି ଜମି ପଞ୍ଜୀକରଣ କରୁଛନ୍ତି। ଦଲାଲଙ୍କୁ ଏଭଳି ପଞ୍ଜୀକରଣର ସୁଯୋଗ ମିଳୁଥିବା ବେଳେ ସାଧାରଣ ଲୋକଙ୍କ ପାଇଁ ଏହା ସମ୍ଭବ ହେଉନି। ଏଭଳି ବେଆଇନ ଜମି କାରବାର ନେଇ ଅନେକ ଅଭିଯୋଗ ଓଡ଼ଶା ସ୍ଥାବର ସମ୍ପତ୍ତି ନିୟାମକ ପ୍ରାଧିକରଣ (ରେରା) କର୍ତ୍ତୃପକ୍ଷଙ୍କ ପାଖରେ ପହଞ୍ଚିବା ପରେ ଏବେ ରେରା ସ୍କାନରକୁ ଆସିଛି କେନ୍ଦୁଝର। ଖୁବ୍‌ଶୀଘ୍ର ରେରାର ଏକ ସ୍ବତନ୍ତ୍ର ସ୍କ୍ବାଡ୍‌ କେନ୍ଦୁଝର ଆସିବେ ବୋଲି ଜଣାପଡ଼ିଛି।

Advertisment

ଗତ ୯ ତାରିଖରେ ଭୁବନେଶ୍ବରରେ ରେରାର ଏକ ବୈଠକ ବସିଥିଲା। ଜମି କିଣାବିକା ତଥା ଜମି ବ୍ୟବସାୟୀମାନେ ଏହି ବୈଠକରେ ଯୋଗଦେଇ ବିଶେଷକରି କେନ୍ଦୁଝରରେ ଚାଲିଥିବା ବେଆଇନ ଜମି କିଣାବିକା ପ୍ରସଙ୍ଗରେ ଆଲୋଚନା କରିଥିଲେ। ପୂର୍ବରୁ ବାଇ-ପ୍ଲଟ୍‌ ଜମି କିଣାବିକା ନେଇ ଏକାଧିକ ଅଭିଯୋଗ ରେରା ପାଖରେ ପହଞ୍ଚିଥିବାରୁ କେନ୍ଦୁଝର ପ୍ରସଙ୍ଗରେ ବି‌ଶେଷ ଆଲୋଚନା ହୋଇଥିଲା। ବାଇ-ପ୍ଲଟ୍‌ କିଣାବିକା ନେଇ ସାଧାରଣ ଲୋକେ ରେରା କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ରେରା ନିୟମ ଅନୁଯାୟୀ, କୌଣସି ପ୍ଲଟେଡ ସ୍କିମ୍ ୫୦୦ ବର୍ଗ ମିଟରରୁ ଅଧିକ ହୋଇଥିଲେ ରେରା ଅଧୀନରେ ପଞ୍ଜିକୃତ ହେବା ବିଧେୟ। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ କରାଯାଉଥିବା ପ୍ଲଟେଡ୍‌ ସ୍କିମ ପାଇଁ ଏହି ନିୟମ ରହିଛି। ରେରାରେ ପଞ୍ଜୀକରଣ ପୂର୍ବରୁ ସ୍ଥାନୀୟ ଯୋଜନା କର୍ତ୍ତୃପକ୍ଷ (ପ୍ଲାନିଂ ଅଥରିଟିଙ୍କ) ଅନୁ ମୋଦନ ନିତାନ୍ତ ଆବଶ୍ୟକ। ରେରା ପଞ୍ଜୀକରଣ ନଥିଲେ କୌଣସି ପ୍ଲଟେଡ୍‌ ସ୍କିମର ବିଜ୍ଞାପନ, ବିକ୍ରି, ଖର୍ଦି ଆଇନତଃ ଦଣ୍ଡନୀୟ। ଏଥିପାଇଁ ରେରା ଆଇନରେ ପ୍ରକଳ୍ପ ମୂଲ୍ୟର ସର୍ବୋଚ୍ଚ ୧୦ ପ୍ରତିଶତ ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ରହିଛି।

ଏହାସତ୍ତ୍ବେ କେନ୍ଦୁଝର ସଦର ତହସିଲ ଅଞ୍ଚଳରେ ରେରା ଆଇନକୁ ଉଲ୍ଲଂଘନ କରାଯାଇ ଜମି କିଣାବିକା ହେଉଛି। କେନ୍ଦୁଝର ମାଷ୍ଟରପ୍ଲାନ୍‌ ଅଞ୍ଚଳରେ ଏହି ନିୟମକୁ ନ ମାନି ଗଳାବାଟରେ ଜମି କିଣାବିକା ଚାଲିଛି। ବିଶେଷ କରି ସହରର କିଛି ଜମି ଦଲାଲ ଉପନିବନ୍ଧକଙ୍କ କାର୍ଯ୍ୟାଳୟର ଅଧିକାରୀମାନଙ୍କୁ ହାତ କରି ଏଭଳି ଜମି କିଣାବିକା କରୁଛନ୍ତି। ଝିଅ ବାହାଘର, ଚିକିତ୍ସା, ଉଚ୍ଚଶିକ୍ଷା ଆଦି କାରଣ ଦର୍ଶାଇ କେନ୍ଦୁଝରଗଡ଼ ପୌରପାଳିକା ଓ ଟାଉନ ପ୍ଲାନିଂ ଅଥରିଟିଙ୍କ ଅନୁମତି ପ୍ରଦାନ କରି ଉପନିବନ୍ଧକଙ୍କ କାର୍ଯ୍ୟାଳକୁ ଚିଠି କରି ଜଣାଉଛନ୍ତି। ଏହି ଚିଠି ଆଧାରରେ ଜମି ପ୍ଲଟିଂ ହୋଇ ବିକ୍ରି ହେଉଛି। ଅନ୍ୟପକ୍ଷରେ ରେରାର ବିନା ଅନୁମତିରେ ଜମିକୁ ଭାଗଭାଗ କରି ଏକାଧିକ ଲୋକଙ୍କୁ ବିକ୍ରି କରାଯାଉଛି। ରେରା ଅନୁଯାୟୀ ଜମିର ସ୍ଥିତିକୁ ଦେଖି ଏବଂ ଉକ୍ତ ଅଞ୍ଚଳକୁ ବାସ ଉପଯୋଗୀ କରିବା ଆବଶ୍ୟକ। ଏଥିପାଇଁ ରାସ୍ତା, ଡ୍ରେନ୍‌, ପରିବେଶ ସୁରକ୍ଷା ଓ ଅନ୍ୟାନ୍ୟ
ସୁବିଧା ଦେଖି ରେରା ଅନୁମତି ଦେଇଥାଏ। ଏସବୁ ବ୍ୟବସ୍ଥା ଜମି ମାଲିକ ନକରି ନିଜ ସୁବିଧା ମୁତାବକ ରାସ୍ତାଘାଟ କରି ଜମି ବିକୁଛନ୍ତି। ବିଶେଷକରି ଜମି ଦଲାଲ, ସରକାରୀ କର୍ମଚାରୀଙ୍କ ଏକ ଅସାଧୁ ମେଣ୍ଟ ଏହି କାରବାର ପଛରେ ସମ୍ପୃକ୍ତ ଅଛନ୍ତି। କେନ୍ଦୁଝର ସହରର ଧାଙ୍ଗରପଡ଼ା, ଧ୍ରୁପଦା, ଗଉଡ଼ୁଣୀବେଡା, ମଣ୍ଡୁଆ, ନରଣପୁର ଭଳି ଏକାଧିକ ସ୍ଥାନରେ ଏହି ଗଳାବାଟ‌କୁ ବ୍ୟବହାର କରି ବାଇ-ପ୍ଲଟ କିଣାବିକା ଚାଲିଥିବା ନେଇ ‘ସମ୍ବାଦ’ରେ ଏକାଧିକଥର ପ୍ରକାଶ ପାଇବା ପରେ କେନ୍ଦୁଝର ରେରା ସ୍କାନରକୁ ଆସିଛି। ତଦନ୍ତ ହେଲେ ଏକାଧିକ ଅନିୟମିତତା ପଦାକୁ ଆସିବ ବୋଲି କୁହାଯାଉଛି।