କେନ୍ଦୁଝରରେ ଉଠା ଜଳସେଚନ ପ୍ରକ୍ପଳର ସ୍ଥିତି ଏମିତି: ଅଧେ ଚାଲୁଛି, ଅଧେ ବନ୍ଦ

୩୨୬ ପ୍ରକଳ୍ପ ଅଚଳ

କେନ୍ଦୁଝର: ଆଗକୁ ଖରାଦିନ ଆସିଲାଣି। ଚାଷ ପାଇଁ ପାଣିର ଆବଶ୍ୟକତା ବଢ଼ିବ। ହାତ ପାଖରେ ଉଠା ଜଳସେଚନର ପ୍ରକଳ୍ପ ଥିଲେ ବି ତାହା ଅଚଳ ହୋଇପଡ଼ିଛି। ଗୋଟିଏ କି ଦୁଇଟି ନୁହେଁ, କେନ୍ଦୁଝର ଜିଲ୍ଲାର ୩୨୬ଟି ଉଠା ଜଳସେଚନ ପଏଣ୍ଟ ସଂପୂର୍ଣ୍ଣ ଅଚଳ ହୋଇ ପଡ଼ିଥିବାରୁ ଚାଷବାସ କେମିତି ହେଉଥିବ ତାହା ଅନୁମେୟ। ମିଳିଥିବା ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲାରେ କମ୍ୟୁନିଟି ଲିପ୍ଟ ଇରିଗେସନ ପ୍ରୋଜେକ୍ଟ ବା ଗୋଷ୍ଠୀଭିତ୍ତିକ ଉଠାଜଳ ସେଚନ ପ୍ରକଳ୍ପ ମୋଟ ୯୮୬ଟି ରହିଛି। ସେ ମଧ୍ୟରୁ ୩୨୬ଟି ପ୍ରକଳ୍ପ ସଂପୂର୍ଣ୍ଣ ଅଚଳ ହୋଇପଡ଼ିଛି। ଆଉ ଯେଉଁ ୬୬୦ଟି କାର୍ଯ୍ୟକ୍ଷମ ରହିଛି ବୋଲି କାଗଜପତ୍ରରେ ଦର୍ଶାଯାଉଛି, ତାହା ମଧ୍ୟ ସଂପୂର୍ଣ୍ଣ ସତ୍ୟ ନୁହେଁ। ସେଥିମଧ୍ୟରୁ ଅଧିକାଂଶ ଆଂଶିକ କାର୍ଯ୍ୟକ୍ଷମ ଏବଂ ଚାଷଜମିକୁ ପାଣି ଯୋଗାଇବାକୁ ଅକ୍ଷମ। ବ୍ଲକସ୍ତରରେ ହିସାବକୁ ନେଲେ କେନ୍ଦୁଝର ସଦର ବ୍ଲକରେ ମୋଟ ୬୫ଟି ପ୍ରକଳ୍ପ ଥିବାବେଳେ ଏହାଦ୍ବାରା ମୋଟ ୧୪୪୦ ହେକ୍ଟ ଚାଷ ଜମିକୁ ଜଳସେଚନ ହେବା କଥା। ମାତ୍ର ଏଥିମଧ୍ୟରୁ ଏବେ ମାତ୍ର ୫୨ଟି କାର୍ଯ୍ୟକ୍ଷମ ରହିଛି ଏବଂ ୧୩ଟି ଅଚଳ ହୋଇପଡ଼ିଛି। ଏଠାରେ ୧୪୪୦ ହେକ୍ଟର ଚାଷ ଜମି ମଧ୍ୟରୁ ୨୮୦ ହେକ୍ଟର ଚାଷ ଜମିକୁ ପାଣି ମାଡୁନାହିଁ।

ଖାଲି କେନ୍ଦୁଝର ସଦର ବ୍ଲକ୍‌ ନୁହେଁ, ଜିଲ୍ଲାର ସମସ୍ତ ବ୍ଲକର ଅବସ୍ଥା ପ୍ରାୟ ସମାନ। ବାଂଶପାଳ ବ୍ଲକରେ ମୋଟ ୬୧ଟି ପ୍ରକଳ୍ପ ମଧ୍ୟରୁ ୪୬ଟି କାର୍ଯ୍ୟକ୍ଷମ ଓ ୧୫ଟି ଅଚଳ ହୋଇପଡ଼ିଛି। ପାଟଣା ବ୍ଲକରେ ମୋଟ ୨୧୩୪ ହେକ୍ଟର ଜମିରେ ପାଣି ମଡ଼ାଇବା ଲକ୍ଷ୍ୟରେ ୯୮ଟି ଉଠାଜଳସେଚନ ପ୍ରକଳ୍ପ କରାଯାଇିଥଲା। ଏବେ ସେଥିରୁ ୭୩ଟି ଚାଲୁଛି। ୨୫ଟି ବନ୍ଦ ପଡ଼ିଛି। ଅର୍ଥାତ ଏବେ ୫୦୨ ହେକ୍ଟର ଜମିରେ ପାଣି ମାଡୁନାହିଁ। ଚାଷ ଉପରେ ନିର୍ଭରଶୀଳ ତେଲକୋଇ ବ୍ଲକରେ ଥିବା ୫୦ଟି ପ୍ରକଳ୍ପ ମଧ୍ୟରୁ ୪୨ଟି ଚାଲୁଥିବା ବେଳେ ୮ଟି ଅଚଳ ରହିଛି। ଏହି ଅଚଳ ପ୍ରକଳ୍ପ ଦୀର୍ଘଦିନରୁ କାର୍ଯ୍ୟ କରୁ ନ ଥିଲେ ବି ତାହାକୁ ସଚଳ କରିବା ଦିଗରେ ବିଭାଗ କାର୍ଯ୍ୟ କରୁନାହିଁ। ସେହିପରି ସାହ‌ାରପଡ଼ା ବ୍ଲକରେ ୬୩ଟି ପ୍ରକଳ୍ପ ମଧ୍ୟରୁ ୧୦ଟି ପ୍ରକଳ୍ପ ଚାଲୁନାହିଁ। ଯାହାଦ୍ବାରା ମୋଟ ୧୩୬୦ ହେକ୍ଟର ଚାଷ ଜମିରେ ପାଣି ମଡ଼ାଇବାକୁ ଲକ୍ଷ୍ୟ ରଖାଯାଇଥିଲା, ଏବେ ସେଥିରୁ ମାତ୍ର ୧୧୩୨ ହେକ୍ଟ ଜମିକୁ ପାଣି ମାଡୁଛି ଏବଂ ଅବଶିଷ୍ଟ ୨୨୮ ହେକ୍ଟର ଜମି ଶୁଖିଲା।ହରିଚନ୍ଦନପୁର ବ୍ଲକରେ ମୋଟ ୧୨୪୮ ହେକ୍ଟର ଚାଷ ଜମିକୁ ଜଳସେଚନ ପାଇଁ ୫୭ଟି ପଏଣ୍ଟ ପ୍ରତିଷ୍ଠା ହୋଇଥିଲା। ଏଥିରୁ ଏବେ ୫୧ଟି ଚାଲୁଥିବା ବେଳେ ୬ଟି ଚାଲୁନାହିଁ। ସେହିପରି ଘଟଗାଁ ବ୍ଲକରେ ୨୬ଟି ପ୍ରକଳ୍ପ ମଧ୍ୟରୁ ୨ଟି ଚାଲୁନାହିଁ। ଚମ୍ପୁଆ ବ୍ଲକରେ ୧୩୪ଟି ପ୍ରକଳ୍ପ ମଧ୍ୟରୁ ୨୨ଟି ଚାଲୁନାହିଁ। ସେହିପରି ଝୁମ୍ପୁରା ବ୍ଲକରେ ୩୩ଟି ପ୍ରକଳ୍ପ ମଧ୍ୟରୁ ୩୨ଟି ଚାଲୁଥିବା ବେଳେ ମାତ୍ର ଗୋଟିଏ ଅଚଳ ହୋଇ ପଡ଼ିଛି।

ଖଣି ଖାଦାନ ଭରା ଯୋଡ଼ା ବ୍ଲକରେ ମୋଟ ୮୩ଟି ପ୍ରକଳ୍ପ ମଧ୍ୟରୁ ୫୯ଟି ଚାଲୁଛି ଏବଂ ୨୪ଟି ଚାଲୁନାହିଁ। ଏଠାରେ ଏହି ୮୩ଟି ପ୍ରକଳ୍ପ ଦ୍ବାରା ୧୭୫୬ ହେକ୍ଟର ଚାଷ ଜମି ଜଳସେଚନ କରାଯିବା କଥା। ୨୪ଟି ପ୍ରକଳ୍ପ ଅଚଳ ଥିବାରୁ ପ୍ରାୟ ୧୨୦୦ ହେକ୍ଟରକୁ ଛାଡ଼ିଦେଲେ ୫୫୬ ହେକ୍ଟର ଚାଷ ଜମିକୁ ପାଣି ଯାଉ ନାହିଁ। ସେହିପରି ଆନନ୍ଦପୁର ବ୍ଲକର ୧୨୨ଟି ପ୍ରକଳ୍ପ ମଧ୍ୟରୁ ୬୪ଟି ଚାଲୁଛି ଏବଂ ୫୮ଟି ଅଚଳ ହୋଇପଡ଼ିଛି। ଏହି ଅଚଳ ପ୍ରକଳ୍ପ ପାଇଁ ଆନନ୍ଦପୁର ବ୍ଲକର ପ୍ରାୟ ୧୨୭୦ ହେକ୍ଟର ଜମିକୁ ପାଣି ମାଡୁନି। ଫଳରେ ଚାଷବାସ ଉପରେ ନିର୍ଭରଶୀଳ ଚାଷୀ ଚାଷ କରିନପାରି ହାତ ବାନ୍ଧି ବସିଛନ୍ତି। ଘସିପୁରା ଓ ହାଟଡିହି ବ୍ଲକର ପରିସ୍ଥିତି ମଧ୍ୟ ଚିନ୍ତାଜନକ। ଏହି ଦୁଇଟି ବ୍ଲକରେ ଅର୍ଥାତ ଘସିପୁରା ବ୍ଲକରେ ମୋଟ ୫୫ଟି ପ୍ରକଳ୍ପ ଯୋଗେ ୧୪୧୮ ହେକ୍ଟର ଜମିକୁ ପାଣି ମଡ଼ାଇବାକୁ ଲକ୍ଷ୍ୟ ରଖାଯାଇଥିଲା। ଏଥିରୁ ୫ଟି ଅଚଳ ରହିଛି। ହାଟଡିହି ବ୍ଲକରେ ସର୍ବାଧିକ ୧୩୯ଟି ପ୍ରକଳ୍ପ ହୋଇଥିଲେ ବି ସର୍ବାଧିକ ୯୨ଟି ଅଚଳ ହୋଇପଡ଼ିଛି। ଅର୍ଥାତ ୧୯୯୪ ହେକ୍ଟର ଚାଷ ଜମିକୁ ପାଣି ମାଡ଼ିବାକୁ ଥିଲାବେଳେ ଏଥିରୁ ମାତ୍ର ୫୫୮ ହେକ୍ଟର ଜମିକୁ ପାଣି ଯାଉଛି ।ମୋଟାମୋଟି ଭାବେ ଗୋଷ୍ଠୀଭିତ୍ତିକ ଉଠା ଜଳସେଚନ ପ୍ରକଳ୍ପ ଦ୍ବାରା ଜିଲ୍ଲାର ମୋଟ ୧୯,୯୭୦ ହେକ୍ଟର ଜମିକୁ ପାଣି ମଡ଼ାଇବାକୁ ଲକ୍ଷ୍ୟ ରଖାଯାଇଥିଲା। ଏବେ ସେଥିରୁ ୬୮୩୮ ହେକ୍ଟର ଜମିକୁ ପାଣି ମାଡୁନି। ସବୁଠୁ ଚିନ୍ତାଜନକ ହେଉଛି ଅଚଳ ପ୍ରକଳ୍ପକୁ ସଜାଡ଼ିବା ପ୍ରସଙ୍ଗ। ଜିଲ୍ଲାରେ ମୋଟ ୩୨୬ଟି ପ୍ରକଳ୍ପ ଅଚଳ ହୋଇ ପଡ଼ିଥିଲେ ହେଁ ମାତ୍ର ୧୯ଟି ପ୍ରଳକ୍ପକୁ ସଜାଡ଼ିବା ପାଇଁ ପଦକ୍ଷେପ ନିଆଯାଉଥିବା ସଂପର୍କରେ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତ ୩୨୬ଟି ଅଚଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପାଇଁ କେତେବର୍ଷ ଲାଗିବ ବୋଲି ପ୍ରଶ୍ନ ଉଠୁଛି।

ସମ୍ବନ୍ଧିତ ଖବର