ପର୍ଯ୍ୟଟନସ୍ଥଳୀ ମାନ୍ୟତା ଅପେକ୍ଷାରେ କେନ୍ଦୁଝରର ୭ ସ୍ଥାନ

କେନ୍ଦୁଝର: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର କେନ୍ଦୁଝର ଜିଲ୍ଲା। ଏହାର ମନୋରମ ପରିବେଶ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ତେଣୁ ପ୍ରିତବର୍ଷ ପର୍ଯ୍ୟଟନ ଋତୁରେ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକ କେନ୍ଦୁଝର ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳକୁ ଛୁଟି ଆସିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବିଭିନ୍ନ ପର୍ଯ୍ୟଟନସ୍ଥଳର ବିକାଶ କରାଯାଉଛି। ତେବେ କେନ୍ଦୁଝର ଜିଲ୍ଲାରେ ଅନେକ ଦର୍ଶନୀୟ ସ୍ଥାନ ରହିଛି ଯାହା ଏଯାଏ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇପାରି ନାହିଁ। ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ୭ଟି ଦର୍ଶନୀୟ ସ୍ଥାନକୁ ପର୍ଯ୍ୟଟନସ୍ଥଳ ମାନ୍ୟତା ପାଇଁ ଆବେଦନ କରାଯାଇଥିଲେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଉକ୍ତ ସ୍ଥାନ ଗୁଡ଼କର ବିକାଶ ହୋଇପାରୁ ନାହିଁ।

ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପୂର୍ବରୁ କେନ୍ଦୁଝର ଜିଲ୍ଲାର ଶ୍ରୀଶ୍ରୀ ବଳଦେବଜିଉ ମନ୍ଦିର, ସାନଘାଗରା, ବଡ଼ଘାଗରା, ଗୋନାସିକା, କାଞ୍ଜିପାଣି ଘାଟି, ଖଣ୍ଡାଧାର, ମୁର୍ଗା ମହାଦେବ, ହାଣ୍ଡିଭଙ୍ଗା, କେଶରୀକୁଣ୍ଡ, ରାଜନଗରର ରଘୁନାଥଜିଉ, ଘଟଗାଁ ମା’ ତାରିଣୀ ପୀଠ, ସୀତାବିଞ୍ଜ, ଗୁଣ୍ଡିଚାଘାଗି, ଦେଓଗାଁସ୍ଥିତ କୁଶଳେଶ୍ୱର, ହାଟଡିହି ବ୍ଲକ୍‌ର ହଦଗଡ଼ ଡ୍ୟାମ୍‌, ଚକ୍ରତୀର୍ଥ, ଗଡ଼ଚଣ୍ଡି ଆଦି ୧୬ଟି ସ୍ଥାନକୁ ପର୍ଯ୍ୟଟନସ୍ଥଳ ମାନ୍ୟତା ଦେଇଛି। ଆହୁରି ୭ଟି ସ୍ଥାନ ପର୍ଯ୍ୟଟନସ୍ଥଳ ମାନ୍ୟତା ପାଇବା ପାଇଁ ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ପରିଷଦର ଅନୁମୋଦନ ଲାଭ କରିଛି। ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟର ଚିଠି ସଂଖ୍ୟା ୩୭୦/ଟିଓ(କେ)୧୪/୧୨/୨୦୨୧ରେ ଏସବୁ ସ୍ଥାନର ସର୍ଭେ ରିପୋର୍ଟ ଓ ବୈଠକର ପ୍ରୋସିଡିଂ ସହ ରାଜ୍ୟ ପର୍ଯ୍ୟଟନ ବିଭାଗକୁ ଆବେଦନ କରାଯାଇଛି। ଆବେଦନକୁ ବର୍ଷେ ପୂରିବାକୁ ଯାଉଥିବା ବେଳେ ଉକ୍ତ ସ୍ଥାନଗୁଡ଼ିକୁ ଏଯାଏ ପର୍ଯ୍ୟଟନସ୍ଥଳ ମାନ୍ୟତା ମିଳିପାରି ନାହିଁ। ଏସବୁ ସ୍ଥାନ ଗୁଡ଼ିକ ହେଲା ତେଲକୋଇ ବ୍ଲକ୍‌ର ଟେଣ୍ଟେଇନାଳୀ ଜଳପ୍ରପାତ, ବାଂଶପାଳ ବ୍ଲକ୍‌ର ଗିରିଡ଼ିବନ୍ଧ ଜଳପ୍ରପାତ, କାଇଁଝର ଜଳପ୍ରପାତ, ଆନନ୍ଦପୁର ବ୍ଲକ୍‌ର ଦରଗୁଡ଼ଶିଳା ଜଳଭଣ୍ଡାର, ପାଟଣା ବ୍ଲକ୍‌ର ଡାବରଚୁଆ ଜଳଭଣ୍ଡାର, ଝୁମ୍ପୁରା ବ୍ଲକ୍‌ର କାଇଯୋଡ଼ା ଜଳପ୍ରପାତ ଏବଂ ଘଟଗାଁ ବ୍ଲକ୍‌ର ବାର୍‌ହାଟିପୁରା ଶୈବପୀଠ।

ନୂତନ ଭାବେ ୭ଟି ଦର୍ଶନୀୟ ସ୍ଥାନ ପର୍ଯ୍ୟଟନସ୍ଥଳ ମାନ୍ୟତା ପାଇଲେ ଜିଲ୍ଲାର ପର୍ଯ୍ୟଟନସ୍ଥଳ ସଂଖ୍ୟା ୨୩କୁ ବୃଦ୍ଧି ପାଇବ। ଏହାଦ୍ବାରା ସମ୍ପୃକ୍ତ ସ୍ଥାନ ଗୁଡ଼ିକର ଭିତ୍ତିଭୂମି ବିକାଶ ହେବା ସହ ଏଠାକୁ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଆସିବେ। ଫଳରେ ପର୍ଯ୍ୟଟନ ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିବା ଲୋକେ ଏହାଦ୍ବାରା ଉପକୃତ ହେବେ। ରାଜ୍ୟ ପର୍ଯ୍ୟଟନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଉକ୍ତ ସ୍ଥାନ ଗୁଡ଼ିକୁ ପର୍ଯ୍ୟଟନସ୍ଥଳ ମାନ୍ୟତା ପ୍ରଦାନ କରିବାକୁ ଜିଲ୍ଲାବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର