ନବୀନଙ୍କୁ ଚିଠି ଲେଖିଲେ କେରଳ ମୁଖ୍ୟମନ୍ତ୍ରୀ, ସିଏଏ ଉଚ୍ଛେଦ ନେଇ ସମର୍ଥନ ଲୋଡ଼ିଲେ

ଭୁବନେଶ୍ବର : ନାଗରିକ ସଂଶୋଧନ ଆଇନକୁ ବିରୋଧ କରି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମର୍ଥନ ଲୋଡ଼ିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌। ଗତ ଡିସେମ୍ବର ୩୧ ତାରିଖରେ ସିଏଏ ଆଇନ-୨୦୧୯କୁ ରଦ୍ଦ କରିବା ନେଇ କେରଳ ବିଧାନସଭାରେ ଏକ ସଂକଳ୍ପ ପାରିତ ହୋଇଥିଲା। ଏପରି ଆଇନ ଦେଶର ଧର୍ମ ନିରପେକ୍ଷତା ପ୍ରତି ବିପଦ ବୋଲି ଦର୍ଶାଇ ଶ୍ରୀ ବିଜୟନ୍ ଓଡ଼ିଶା ସମେତ ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟନ୍‌ ଚିଠିରେ ଦର୍ଶାଇଛନ୍ତି, ସିଏଏ ଆଇନ ଲାଗୁ ହେଲେ ଦେଶର ଐକ୍ୟ ଓ ସଂହତି ପ୍ରଭାବିତ ହେବ। ଦେଶରେ ପ୍ରଚଳିତ ଗାଣତନ୍ତ୍ରିକ ଶାସନତନ୍ତ୍ରକୁ ଏହି ଆଇନ ବିଭାଜନ ଆଡ଼କୁ ନେଇଯିବ। ଧର୍ମନିରପେକ୍ଷତାରେ ବିଶ୍ବାସ ରଖୁଥିବା ଅଧିକାଂଶ ଲୋକ ଏହାଦ୍ବାରା ପ୍ରଭାବିତ ହେବେ। ଏପରିକି ଜନସଂଖ୍ୟା ପଞ୍ଜିକରଣ ନାଁରେ ନ୍ୟାସନାଲ ପପୁଲେସନ୍‌ ରେଜିଷ୍ଟର (ଏନ୍‌ପିଆର୍) କରି ପରୋକ୍ଷରେ କେନ୍ଦ୍ର ସରକାର ନାଗରିକ ପଞ୍ଜିକରଣ (ଏନ୍‌ଆର୍‌ସି) ବ୍ୟବସ୍ଥା ପ୍ରଚଳନ କରିବାକୁ ଯୋଜନା କରୁଥିବା ଶ୍ରୀ ବିଜୟନ୍ ଆଶଙ୍କା ପ୍ରକାଶ କରିଛନ୍ତି। ଏହା ବିରୋଧରେ ସମସ୍ତେ ଏକାଠି ହେବାର ସମୟ ଆସିଛି। ଦେଶରେ ଜାତି, ଧର୍ମ ଓ ବର୍ଗ ବିଭିନ୍ନତା ଭିତରେ ଏକତା ବଜାୟ ରହିଛି। ଏପରି ଘଡ଼ିସନ୍ଧି ମୂହୁର୍ତ୍ତରେ ଆମକୁ ଏହି ଏକତାକୁ ବଜାୟ ରଖିବାକୁ ପଡ଼ିବ। କେରଳ ବିଧାନସଭାରେ ପାରିତ ସଂକଳ୍ପ ଜରିଆରେ ସିଏଏ ଉଚ୍ଛେଦ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି। ସିଏଏକୁ ବିରୋଧ କରୁଥିବା ରାଜ୍ୟଗୁଡ଼ିକ ଏପରି ପନ୍ଥା ଅନୁସରଣ କରି କେନ୍ଦ୍ର ଉପରେ ଚାପ ପ୍ରୟୋଗ କରିବାକୁ କେରଳ ମୁଖ୍ୟମନ୍ତ୍ରୀ ଚିଠିରେ ଅନୁରୋଧ କରିଛନ୍ତି। ସିଏଏ ପ୍ରସଙ୍ଗରେ ଶ୍ରୀ ପିନାରାୟୀ ଓଡ଼ିଶା ସମେତ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଵାଇ.ଏସ୍‌. ଜଗନମୋହନ୍‌ ରେଡ୍ଡିଙ୍କୁ ଚିଠି ଲେଖିଛନ୍ତି।

ସମ୍ବନ୍ଧିତ ଖବର