କେରଳମୁହାଁ ମୌସୁମୀ: ଆଜି ଆସିବ ସ୍ପଷ୍ଟ ଚିତ୍ର

ଭୁବନେଶ୍ବର: ସାରାଦେଶରେ ପ୍ରଚଣ୍ଡ ଖରା ଓ ଗରମ ଜାରି ରହିଥିବା ବେଳେ ଆଜି (ଜୁନ୍‌ ୪) ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁନାହିଁ। ତେବେ ମୌସୁମୀର ଅଗ୍ରସର ପାଇଁ ପାଗ ଅନୁକୂଳ ରହିଥିବାରୁ ଏହା କେରଳ କେବେ ଛୁଇଁବ ସେ ନେଇ ସ୍ପଷ୍ଟ ଚିତ୍ର ଆସନ୍ତାକାଲି (ଜୁନ୍‌ ୫)ରେ ଦିଆଯାଇପାରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଆଇଏମ୍‌ଡିର ସୂଚନା ମୁତାବକ, ଦକ୍ଷିଣ ଆରବ ସାଗରରେ ପଶ୍ଚିମା ପବନର ପ୍ରଭାବ ବୃଦ୍ଧି ସହିତ ପାଣିପାଗ ସ୍ଥିତି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପାଇଁ ଅନୁକୂଳ ହେବାରେ ଲାଗିଛି। ଆହୁରି ମଧ୍ୟ, ବାୟୁମଣ୍ଡଳରେ ପଶ୍ଚିମା ପବନର ବ୍ୟାପ୍ତି ଧୀ‌ରେ ଧୀରେ ବୃଦ୍ଧିପାଉଛି। ଏହା ଆଜି ସମୁଦ୍ର ପତ୍ତନଠାରୁ ୨.୧ କିମି ପର୍ଯ୍ୟନ୍ତ ପହଞ୍ଚିଛି। ଦକ୍ଷିଣ-ପୂର୍ବ ଆରବ ସାଗର ଉପରେ ମେଘସମୂହର ଏକତ୍ରୀକରଣ ମଧ୍ୟ ବୃଦ୍ଧି ପାଉଛି। ଏହାକୁ ନିରନ୍ତର ତଦାରଖ କରାଯାଉଛି। ଆସନ୍ତାକାଲି ହିଁ ଏହାକୁ ନେଇ ସ୍ପଷ୍ଟ ଚିତ୍ର ଆସିବ ଓ ଖୁବ୍‌ଶୀଘ୍ର ମୌସୁମୀ କେରଳ ଛୁଇଁବ ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ଆଜି ଦେବସ୍ନାନ ପୂର୍ଣ୍ଣିମା ରହିଥିବା ବେଳେ ପୁରୀ ସହରରେ ଦିନ ସାଢ଼େ ୧୧ଟାରେ ପୁରୀ ସହରର ତାପମାତ୍ରା ମାତ୍ର ୩୪.୪ ଡିଗ୍ରି ରହିଥିବା ବେଳେ ଆର୍ଦ୍ରତା ଥିଲା ୭୧%। ଭୁବନେଶ୍ବରରେ ମଧ୍ୟ ‌ସମାନ ଭାବେ ଗୁଳୁଗୁଳି ଅନୁଭୂତ ହୋଇଥିଲା। ସକାଳ ସାଢ଼େ ୮ଟା ସୁଦ୍ଧା ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୩୩.୮ ଡିଗ୍ରି ରହିଥିବା ବେଳେ ବାୟୁମଣ୍ଡଳର ଆର୍ଦ୍ରତା ଥିଲା ୭୧%। ଫଳରେ ରାଜଧାନୀବାସୀ ୪୫ ଡିଗ୍ରି ଉପରେ ତାପମାତ୍ରା ଅନୁଭବ କରିଥିଲେ।

ସମ୍ବନ୍ଧିତ ଖବର