ଆଖି ବୁଜିଲେ ଚିକିତ୍ସାଧୀନ କେରଳୀ ଯୁବକ, ପ୍ରାଣାନ୍ତକ ଆକ୍ରମଣ ଓ ଲୁଟ୍‌ର ଶିକାର ହୋଇଥିଲେ

ତଦନ୍ତ ହେବ କହି ପୁଲିସ ତତ୍ପରତା ଦେଖାଇଲାନି
ଅଜଣା ବୋଲି ଡାକ୍ତରଖାନାରେ ବି ଅବହେଳା କଲେ

ବାଲେଶ୍ବର : କୌଣସି ଦୁର୍ଘଟଣାର ଶିକାର ହୋଇ ଯଦି କେହି ବ୍ୟକ୍ତି ଚେତା ହରାଇଥାନ୍ତି ବା ହଠାତ୍‌ ନିଜର ପରିଚୟ ମନେ ପକାଇ ପାରୁନଥାନ୍ତି, ତାହେଲେ ତାଙ୍କ ପରିବାର, ସମ୍ପର୍କୀୟଙ୍କ ନିକଟରେ ଖବର ପହଞ୍ଚାଇବାକୁ ଗଣମାଧ୍ୟମର ସହଯୋଗ ଆବଶ୍ୟକ ପଡ଼େ। ପ୍ରଚାରପ୍ରସାର ଫଳରେ ଖବର ପାଇ ସେମାନେ ଠିକ୍‌ ସମୟରେ ପହଞ୍ଚିବାକୁ ଚେଷ୍ଟା କରିଥାନ୍ତି। ହେଲେ ସବୁ ‌ଜାଣିବା ପରେ ବି ଆବଶ୍ୟକ ପ‌ଦକ୍ଷେପ ନନେବା ଯୋଗୁ ବାଲେଶ୍ବର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣେ କେରଳୀ ଯୁବକଙ୍କର ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଛି।

ସୂଚନା ଯୋଗ୍ୟ, ଗତ ୩୦ ତାରିଖ ସକାଳେ ବାଲେଶ୍ବର ସହରକୁ ଆସିଥିବା ସୁମିତ ଦେବାସୀ ନାମକ ଜଣେ କେରଳୀ ଯୁବକ ପ୍ରାଣାନ୍ତକ ଆକ୍ରମଣ ଓ ଲୁଟ୍‌ର ଶିକାର ହେଲେ। କୌଣସି ଏକ କାମରେ ସେ ବାଲେଶ୍ବର ଆସି ସହଦେବଖୁଣ୍ଟା ବସ୍‌ଷ୍ଟାଣ୍ଡରେ ଓହ୍ଲାଇଥିଲେ। ଚାନ୍ଦିପୁର ଅଞ୍ଚଳକୁ ଯିବା ପାଇଁ ଗାଡ଼ିକୁ ଅପେକ୍ଷା କରିଥିଲେ। ହଠାତ ଏହି ସମୟରେ ଏକ ଅଟୋରିକ୍ସା ଆସି ତାଙ୍କ ପାଖରେ ଲାଗିଲା, ଯେଉଁଥିରେ ଆଉ ଦୁଇ ତିନିଜଣ ଯୁବକ ମଧ୍ୟ ବସିଥିଲେ। ସେଥିରେ ସୁମିତ ବସିବା ପରେ ସେମାନେ ସହର ଭିତର ଦେଇ ପୁରୁଣା ବାଲେଶ୍ବର ଅଞ୍ଚଳକୁ ଗଲେ। ପଛେ ପ‌ଛେ ଏକ ବାଇକ୍‌ରେ ଦୁଇଜଣ ଯୁବକ ମଧ୍ୟ ଆସିଥିଲେ। ଏହାପରେ ପୁରୁଣା ବାଲେଶ୍ବର ଅଞ୍ଚଳର ଏକ ନିଛାଟିଆ ସ୍ଥାନକୁ ନେଇଯାଇ ସେଠାରେ ସୁମିତଙ୍କୁ ସେମାନେ ମାରଣାସ୍ତ୍ର ଦେଖାଇ ତାଙ୍କ ବ୍ୟାଗ୍‌ ମାଗିଥିଲେ। ସେ ବ୍ୟାଗ୍‌ ଦେବାକୁ ମନା କରିବାରୁ ସମସ୍ତେ ମିଶି ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କଲେ ଏବଂ ବ୍ୟାଗଟିକୁ ଛଡ଼ାଇ ନେଇ ସେଠାରୁ ଫେରାର ହୋଇଗଲେ। କିଛି ସମୟ ପରେ ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଦେଖି ଟାଉନ ଥାନା ପୁଲିସ ଓ ପିସିଆର ଭ୍ୟାନ୍‌କୁ ଖବର ଦେଲେ। ପିସିଆର୍‌ ଟିମ୍‌ ପହଞ୍ଚି ସୁମିତଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲା। ତାଙ୍କ ଚେତା ଫେରିବା ପରେ ପୁଲିସକୁ ସେ ସବୁ କଥା ଜଣାଇଥିଲେ ଏବଂ ତାଙ୍କ ହାତ, ଗୋଡ଼ ଓ ଅଣ୍ଟାରେ ଗଭୀର ଆଘାତ ଲାଗିଥିବା କହିଥିଲେ। ହେଲେ ଏହାପରେ ଡାକ୍ତରଖାନା ପକ୍ଷରୁ ତାଙ୍କୁ ନା ମିଳିଥିଲା ବେଡ୍‌ ନା ପୁଲିସର ସହାୟତା। କେରଳ ଯୁବକ ତାଙ୍କ କଥା ଠିକ୍‌ସେ ବୁଝି ହେଉନାହିଁ କହି ପୁଲିସ ଏଡ଼ାଇ ଯାଇଥିବା ବେଳେ ତାଙ୍କ ପାଖରେ କେହି ଜଗିବା ଲୋକ ନଥିବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ବି ଚିକିତ୍ସା ଯୋଗାଇ ଦେବାରେ ଅବହେଳା କଲେ। ‌ଡାକ୍ତରଖାନା ବାରଣ୍ଡାରେ ଗୋଟିଏ ଦିନ ସେ ଯନ୍ତ୍ରଣାରେ ଛଟପଟି ହୋଇ ପରଦିନ ରାତିବେଳକୁ ଆଖିବୁଜି ଦେଇଥିବା ସେହି ୱାର୍ଡରେ ଥିବା ଅନ୍ୟମାନେ ଅଭିଯୋଗ କରିଛନ୍ତି।

ଖାଲି ଏତିକିରେ ସେମାନଙ୍କର ଦାୟିତ୍ବହୀନତା ସରିଯାଇନି, ସୁମିତଙ୍କ ମୃତ୍ୟୁ ୩୧ ତାରିଖ ରାତିରେ ହୋଇଥିବା ବେଳେ ଟାଉନ ଥାନାକୁ ଡାକ୍ତରଖାନା ଫାଣ୍ଡିରୁ ପରଦିନ ସକାଳ ୧୦ଟା ବେଳେ ସୂଚନା ଆସିଥିଲା ଏବଂ ଏ ବିଷୟରେ ଆଜି ପର୍ଯ୍ୟନ୍ତ ଜିଲ୍ଲା ପୁଲିସ ହେଡକ୍ବାର୍ଟର୍ସକୁ ମଧ୍ୟ ଏ ବିଷୟରେ ଜଣା ଯାଇନଥିବା ସୂଚନା ମିଳିଛି। ଯାହା ସବୁଠୁ ସାଂଘାତିକ ଓ ଦୁଭାର୍ଗ୍ୟଜନକ ବିଷୟ। ତେବେ ଘଟଣା ସମ୍ପର୍କରେ ସବୁ ଜାଣିଥିଲେ ବି ପୁଲିସ ଆଦୌ ଘଟଣାର ଛାନ୍‌ଭିନ୍‌ କଲେନାହିଁ। ସହର ଭିତରେ ଏମିତି କେଉଁ ଅପରାଧୀ ଗ୍ୟାଙ୍ଗ୍‌ କାମ କରୁଛି, ଯିଏ ସହର ମଝିରୁ ଜଣେ ଯୁବକଙ୍କୁ ଅଟୋରିକ୍ସାରେ ଅପହରଣ କରି ଏଭଳି ଜଘନ୍ୟ କାଣ୍ଡ ଘଟାଇବାକୁ ସାହସ ଜୁଟାଇପାରିଲା ସେନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିସହ ଏଭଳି ଘଟଣାରେ ପୁଲିସ ଓ ଡାକ୍ତରଖାନା ପକ୍ଷରୁ ଆହତଙ୍କ ସମ୍ପର୍କୀୟ ବା ପରିବାର ନିକଟରେ ଖବର ପହଞ୍ଚାଇବା ପାଇଁ ସବୁବେଳେ ଗଣମାଧ୍ୟମର ସହଯୋଗ ନେଉଥିବା ବେଳେ ଏ ଘଟଣାରେ ସମସ୍ତେ ଅନ୍ଧାରରେ ରଖିଲେ। ଦାୟିତ୍ବହୀନତା ଓ ଅବହେଳା ପାଇଁ ଏକ ନିରୀହ ଜୀବନ ଚାଲିଗଲା ବୋଲି କହିବା ଆଦୌ ଅତ୍ୟୁକ୍ତି ହେବ ନାହିଁ ବୋଲି ସହରର ବହୁ ବୁଦ୍ଧିଜୀବୀ ମତ ରଖିଛନ୍ତି। ତେବେ ଘଟଣାକୁ ନେଇ ଟାଉନ ଥାନାରେ ୭୦/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଯିବା ସହ ଆଜି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର