ରାଜନଗର: ଉପକୂଳ ଓଡିଶାର ଅନ୍ୟତମ ଚର୍ଚ୍ଚିତ ମନ୍ଦିର ହେଉଛି ରାଜନଗର ବ୍ଲକର କେରେଡାଗଡ଼ ଶ୍ରୀଜଗନ୍ନାଥ ମନ୍ଦିର। ୧୮ ବର୍ଷ ହେଲା ଏଠି ମନ୍ଦିର ଗେଟ୍ରେ ତାଲା ଝୁଲୁଥିବା ବେଳେ ମନ୍ଦିର ମଧ୍ୟକୁ, ଏପରିକି ବେଢା ମଧ୍ୟକୁ ଭକ୍ତଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଛି। ଭକ୍ତ ଦର୍ଶନ କରିବାକୁ ଆସିଲେ, ୫୦ ଫୁଟ ଦୂରରୁ ରାସ୍ତା ଉପରୁ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ହେବ। ପୂର୍ବରୁ ଦଳିତ ମାନେ ଦର୍ଶନ କରୁଥିବା ୯ କଣା ଭଙ୍ଗାଯାଇ ୧୩୨ କଣା ଥିବା ଲୁହାଗେଟ୍ ଲଗାଯାଇଛି। ଏହି ୧୩୨ କଣା ମଧ୍ୟ ଦେଇ ଉଭୟ ସବର୍ଣ୍ଣ ଅସବର୍ଣ୍ଣ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ଏହି ମନ୍ଦିରରେ ପିଠାପଣା, ଫଳମୂଳ ଯଥା ଅଙ୍ଗୁର, କଦଳୀ, ସେଓ ଏପରିକି ଛଡା ନଡିଆକୁ ଭୋଗ କରିବା ପାଇଁ ବାରଣ କରାଯାଇଥିବା ବେଳେ କେବଳ ଅଛଡା ନଡିଆ ଭୋଗ ହେବାର ବିଧି ବ୍ୟବସ୍ଥା କରାଯାଇଛି। ଜିଲ୍ଲା ପ୍ରଶାସନର ଅଜବ ନିଷ୍ପତ୍ତି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରି ଛିଡା କରିଛି। ୧୮ ବର୍ଷ ହେଲା ମହାପ୍ରଭୁ ଜଗନ୍ନାଥ ଏଠି ଅଛୁଆଁ ହୋଇ ରହିଛନ୍ତି। ନୂଆ ସରକାର ଆସିବା ପରେ କେରେଡାଗଡ଼ରେ ମନ୍ଦିର ମଧ୍ୟକୁ ଭକ୍ତଙ୍କୁ ପ୍ରବେଶ ଉପରେ କଟକଣା ହଟିବ ବୋଲି ଆଶା ସଞ୍ଚାର ହୋଇଛି।
ରାଜନଗର ବ୍ଲକ ବାଲିସାହିପାଟଣା ପଞ୍ଚାୟତର କେରେଡାଗଡ଼ ଶ୍ରୀଜଗନ୍ନାଥ ମନ୍ଦିରରେ ସବର୍ଣ୍ଣ ସଂପ୍ରଦାୟର ଲୋକେ ମନ୍ଦିର ମଧ୍ୟକୁ ଯାଇ ପୂଜାର୍ଚ୍ଚନା କରୁଥିବା ବେଳେ ଦଳିତ ସଂପ୍ରଦାୟର ଲୋକେ ମନ୍ଦିର ପାଚେରିରେ ଥିବା ନଅ କଣା ଦେଇ ଜଗନ୍ନାଥଙ୍କୁ ଦର୍ଶନ କରୁଥିଲେ। ୨୦୦୬ ମସିହା କାର୍ତିକ ପୂର୍ଣ୍ଣିମାରେ ଦଳିତ ଭକ୍ତ ମନ୍ଦିର ମଧ୍ୟକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ମାତ୍ର ମନ୍ଦିର ପୂଜକ ଓ ସେବକମାନେ ଏହି ଭକ୍ତଙ୍କୁ ଦୁର୍ବ୍ୟବହାର କରିଥିଲେ। ମନ୍ଦିରରେ ମହାସ୍ନାନ କରାଯାଇଥିଲା। ଏହି ଘଟଣାକୁ ନେଇ ସବର୍ଣ୍ଣ ଓ ଅସବର୍ଣ୍ଣ ମଧ୍ୟରେ ବିବାଦ ଉଗ୍ର ରୂପ ଧାରଣ କରିଥିଲା। ମହାପ୍ରଭୁ ୧୦ ଦିନ ଧରି ଉପବାସ ରହିବା ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା। ବିଧାନସଭା, ଲୋକସଭା ଓ ହାଇକୋର୍ଟରେ ଏ ନେଇ ଉଦ୍ବେଗ ପ୍ରକାଶ ପାଇଥିଲା। ଭାରତୀୟ ସମ୍ବିଧାନର ଧାରା–୧୭ ଓ ପ୍ରୋଟେକ୍ସନ୍ ଅଫ୍ ସିଭିଲ୍ ରାଇଟ୍ସ ଆକ୍ଟ ୧୯୫୫ର ଧାରା ୩କୁ ଦୃଷ୍ଟିରେ ରଖି ହାଇକୋର୍ଟ ୨୦୦୬ ଡିସେମ୍ବରରେ ଜାତି ନିର୍ବିଶେଷରେ ସମସ୍ତେ ସବୁ ମନ୍ଦିର ମଧ୍ୟକୁ ଯାଇ ପୂଜାର୍ଚ୍ଚନା କରିପାରିବେ ବୋଲି ସ୍ପଷ୍ଟ କରିଥିଲେ। ହିନ୍ଦୁ ହୋଇଥିବା କୌଣସି ବ୍ୟକ୍ତିଙ୍କୁ ଧାର୍ମିକ ଉପାସନାରୁ ବଂଚିତ କରାଯାଇ ପାରିବ ନାହିଁ। ଆଇନ୍ ଅନୁସାରେ ଜିଲ୍ଲା ମାଜିଷ୍ଟ୍ରେଟ୍ ପଦକ୍ଷେପ ନେଇ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ ଜାରି କରିଥିଲେ।
କୋର୍ଟ ଆଦେଶ ପରେ ପୂର୍ବରୁ ଅସବର୍ଣ୍ଣ ମାନେ ଠାକୁର ଦର୍ଶନ କରୁଥିବା ୯ କଣା ପାଚେରୀକୁ ଭଙ୍ଗା ଯାଇଥିଲା। ସେଠାରେ ଏକ ଲୁହା ଗ୍ରିଲ୍ ଲଗାଯାଇଥିଲା। ଏହି ଗ୍ରୀଲ୍ ସବୁବେଳେ ବନ୍ଦ ରହିବ ଓ ଗ୍ରିଲ ବାହାରୁ ଉଭୟ ସବର୍ଣ୍ଣ ଓ ଅସବର୍ଣ୍ଣ ମହାପ୍ରଭୁଙ୍କ ଦର୍ଶନ କରିବେ। ସେବାୟତଙ୍କ ବ୍ୟତୀତ କେହି ମନ୍ଦିର କିମ୍ବା ମନ୍ଦିର ବେଢାକୁ ପ୍ରବେଶ କରିପାରିବେ ନାହିଁ। ଭକ୍ତମାନେ ଅଛଡା ନଡିଆ ଛଡ଼ା ଅନ୍ୟ କିଛି ଭୋଗ କରିପାରିବେ ନାହିଁ। ସବର୍ଣ୍ଣ ଓ ଅସବର୍ଣ୍ଣ ଉଭୟ ପକ୍ଷ କେବଳ ଅଛଡା ନଡିଆ ଆଣିବେ ଓ ଏହାକୁ ଛଡାଇବା ପାଇଁ ମନ୍ଦିର ସେବାୟତଙ୍କୁ ୫ ଟଙ୍କା ଦେବେ ବୋଲି ପ୍ରଶାସନ ଏକ ଅଜବ ନିଷ୍ପତ୍ତି ଗ୍ରହଣ କରିଥିଲା। ପ୍ରଶାସନର ଏହି ନିଷ୍ପତ୍ତି ପରେ ଦୈନିକ ହଜାର ହଜାର ଭକ୍ତଙ୍କ ଭିଡ ଲାଗୁଥିବା କେରେଡାଗଡ଼ ଜଗନ୍ନାଥ ମନ୍ଦିରରେ ୧୮ ବର୍ଷ ହେଲା ଖାଁଖାଁ ପରିବେଶ ଲାଗି ରହିଛି। ମନ୍ଦିରର ୧୪ ଜଣ କର୍ମଚାରୀ ବସି ବସି ଦିନ କାଟୁଛନ୍ତି। କେରେଡାଗଡ଼ର ମହାପ୍ରଭୁ ଜଗନ୍ନାଥ ଭକ୍ତଙ୍କ ପାଇଁ ଏକ ପ୍ରକାର ଅଛୁଆଁ ହୋଇଯାଇଥିବାରୁ ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଏଠାରେ ଲକ୍ଷାଧିକ ଲୋକଙ୍କ ଭିଡ ଜମିଥାଏ।
ତହସିଲଦାର ଅଜୟ କୁମାର ମହାନ୍ତିଙ୍କ କହିବା ଅନୁଯାୟୀ ସେ ସମୟରେ ବିବାଦ ହୋଇଥିବାରୁ ମୁଖ୍ୟଦ୍ବାର ବନ୍ଦ ରହିଛି। ସମସ୍ତେ ଗେଟ ପାଖରୁ ଦର୍ଶନ କରୁଛନ୍ତି। ମନ୍ଦିର ପରିଚାଳନା କମିଟି ସହ ଆଲୋଚନା କରି ସମସ୍ତେ କିପରି ମନ୍ଦିର ମଧ୍ୟକୁ ଯାଇ ଦର୍ଶନ କରିପାରିବେ, ସେ ନେଇ ପଦକ୍ଷେପ ନିଆଯିବ। ମନ୍ଦିର ପରିଚାଳନା କମିଟିର ବିଶୋଇ ପିତାମ୍ବର ଦାଶ କହିଛନ୍ତି ଯେ ସେତେବେଳେ ପ୍ରଶାସନ ମନ୍ଦିର ବନ୍ଦ କରିଥିଲା। ପ୍ରଶାସନ ଓ କନିକା ରାଜା ଯାହା ନିଷ୍ପତ୍ତି ନେବେ ବୋଲି ଶ୍ରୀ ଦାଶ କହିଛନ୍ତି।