କିରାସିନି ଲିଟର ୮୫ ଟଙ୍କା: ୫ ମାସର କିରାସିନି ଉଠାଇନାହାନ୍ତି ଡିଲର, ପୁଣି ପହଞ୍ଚିଲା ୩ ମାସର କିରାସିନି

ନବରଙ୍ଗପୁର: ନବରଙ୍ଗପୁରରେ ବର୍ତ୍ତମାନ ଡିଜେଲ ଲିଟର ୯୮ ଟଙ୍କା ଥିବା ବେଳେ କିରାସିନି ଲିଟର ୮୫ ଟଙ୍କା ରହିଛି। ତେବେ ଦର ବୃଦ୍ଧି ଯୋଗୁ କିରାସିନିର ଚାହିଦା କମିବାରେ ଲାଗିଛଥି। ସରକାର କିରାସିନି ଯୋଗାଉଥିଲେ ମଧ୍ୟ ଡିଲରମାନେ କିରାସିନି ଉଠାଉ ନାହାନ୍ତି। ଗତ କିଛି ମାସ ତଳେ କିରାସିନି ଲିଟର ଡିଜେଲ୍ ଠାରୁ ଅଧିକ ତଥା ଲିଟର ୧୦୦ ଟଙ୍କାରେ ପହଞ୍ଚିଥିଲା। ତେଣୁ ଡିଲରମାନେ କିରାସିନି ଉଠାଇବା ପାଇଁ ଅମଙ୍ଗ ହୋଇଥିଲେ। ନବରଙ୍ଗପୁର ଜିଲ୍ଲାକୁ ଯୋଗାଣ ହୋଇଥିବା କିରାସିନି ଗତ ପ୍ରାୟ ୫ ମାସ ହେଲା ଡିଲର ଉଠାଇନଥିବା ବେଳେ ପୁଣି ଚଳିତ ମାସରେ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ୩ ମାସର ଏଲାଟମେଣ୍ଟ ପହଞ୍ଚିଛି। କିନ୍ତୁ ଡିଲରମାନେ କିରାସିନି ଉଠାଇବା ପାଇଁ ଅମଙ୍ଗ ହେଉଥିବାରୁ ଯୋଗାଣ ବିଭାଗ ପାଇଁ ଏହା ମୁଣ୍ଡବ୍ୟଥାର କାରଣ ପାଲଟିଛି। ସମସ୍ତ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ, ଅନ୍ତ୍ୟୋଦୟ ଅନ୍ନପୂର୍ଣ୍ଣା ଯୋଜନାର ହିତାଧିକାରୀ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କ ପାଇଁ ପ୍ରତି ମାସରେ କାର୍ଡ ପିଛା ୧ ଲିଟର କିରାସିନି ଯୋଗାଇ ଦେଉଛନ୍ତି ସରକାର। ନବରଙ୍ଗପୁର ଜିଲ୍ଲାରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୨ ଲକ୍ଷ ୬୧ ହଜାର ୯୦୬ ଜଣ କାର୍ଡଧାରୀ ରହିଥିବା ବେଳେ ଅନ୍ତ୍ୟୋଦୟ ଅନ୍ନପୂର୍ଣ୍ଣା ଯୋଜନାରେ ୫୧ ହଜାର ୩୭୧ ହିତାଧିକାରୀ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩୪୦୦ ହିତାଧିକାରୀ ଏଭଳି ଭାବେ ମୋଟ ୩ ଲକ୍ଷ ୧୬ ହଜାର ୬୭୭ ଜଣ କାର୍ଡଧାରୀଙ୍କ ପାଇଁ ୩ ମାସର ୯୬୦ କିଲୋଲିଟର କିରାସିନି ରାଜ୍ୟ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲାକୁ ଯୋଗାଣ ହୋଇଛି।

ଜିଲ୍ଲାର ୩ଟି ହୋଲସେଲର ତଥା ଭି.ଆର ଏଜେନ୍ସିକୁ ୩୮୪ କିଲୋଲିଟର , ଆର.ଆର.କେ ଏଜେନ୍ସିକୁ ୩୮୪ କିଲୋଲିଟର ଓ ଆର.କେ ଏଜେନ୍ସିକୁ ୧୯୨ କିଲୋଲିଟର କିରାସିନି ଆ‌ଲା‌ଟମେଣ୍ଟ ହୋଇଛି। ପୂର୍ବରୁ ସାଧାରଣତଃ ଜିଲ୍ଲାରେ ୫୨୪ଟି ଡିଲର ପ‌ଏଣ୍ଟ ଜରିଆରେ ଏହି କିରାସିନି ଯୋଗାଣ ହେଉଥିବା ବେଳେ କିରାସିନିର ଦର ଅଧିକ ଥିବାରୁ ଗତ ୫ ମାସର କିରାସିନି ଉଠି ନଥିଲା। ଚଳିତ ମାସରେ ବି ଡିଲରମାନେ କିରାସିନି ଉଠାଇବେକି ନାହିଁ ତାହା ଏ ପର୍ଯ୍ୟନ୍ତ ଜଣା ପଡ଼ିନି। ପ୍ରକାଶ ଥାଉକି, ପୂର୍ବରୁ ବିଦ୍ୟୁତ୍ ସଂଯୋଗ ନଥିବା ପରିବାରମାନେ ଡିବିରି ଲଗାଇବା ପାଇଁ କଣ୍ଟ୍ରୋଲ ପଏଣ୍ଟରୁ କିରାସିନି ନେଉଥିଲେ। କିନ୍ତୁ ଗତ କିଛି ବର୍ଷ ହେବ ମାଗଣା ବିଦ୍ୟୁତ୍ ଯୋଗାଣ ପରେ କିରାସିନିର ଚାହିଦା କମିଛି। ଯଦି ବା ଗ୍ରାମାଞ୍ଚଳରେ ଡିବିରି ପାଇଁ କିରାସିନିର ଚାହିଦା ରହିଛି ତଥାପି ଜଣେ ହିତାଧିକାରୀ ୧ ଲିଟର କିରାସିନି ପାଇଁ ଦୂରଦୁରାନ୍ତରୁ ଆସିବା ସହଜ ହେଉନି। ଏଥିସହ କିରାସିନି ଦର ଅହେତୁକ ବୃଦ୍ଧି ପାଇଥିବାରୁ ହିତାଧିକାରୀମାନେ କିରାସିନି ନେଉନାହାନ୍ତି। ତଥାପି ୫ ମାସ ପୂର୍ବରୁ କିଭଳି କିରାସିନି ଉଠୁଥିଲା ଓ କାହା ନାରେ ଉଠୁଥିଲା ତାହା ସନ୍ଦେହ ଘେରରେ ରହିଛି।

ସମ୍ବନ୍ଧିତ ଖବର