ଗାଁ ଗାଁରେ କିରାସିନି ଓ ଚାଉଳ କେଳେଙ୍କାରୀ : କାହାକୁ ସୁରକ୍ଷା ଦେବାରେ ବ୍ୟସ୍ତ?

ବଲାଙ୍ଗୀରରୁ ବାହାରିଲା ପିଓଏସ୍ ଅକାମୀ ପ୍ରସଙ୍ଗ
ସରକାରଙ୍କ ନିର୍ଦେଶକୁ ଫୁ କରି ମାଫିଆ ମାତିଛନ୍ତି
ଭିଜିଲାନ୍ସ, କ୍ରାଇମବ୍ରାଞ୍ଚ ଓ ଲୋକାୟୁକ୍ତ ବି ନିରବ

ଭୁବନେଶ୍ବର : ପ୍ରଥମେ ଚାଉଳ ଓ ପରେ ଚଢ଼ା ଦରରେ କିରାସିନି ବିକ୍ରି ଘଟଣା ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗର ଅନିୟମିତତା ପ୍ରସଙ୍ଗ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଗାଁ ଗଣ୍ଡାରେ ଏହା ପ୍ରମୁଖ ଚର୍ଚ୍ଚାର ବିଷୟ ହୋଇଛି। କଣ କଲେ ଏହି ପ୍ରସଙ୍ଗ ଟଳିଯିବ, ଏମିତି ଭାବି ବିଭାଗ ବିଳିବିଳେଇବା ଆରମ୍ଭ କଲେଣି।

କିରାସିନି ପ୍ରସଙ୍ଗରେ ଯୋଗାଣ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ଏକ ଚିଠି ଦିଆଯାଇଛି, ଯେଉଁଥିରେ କୁହାଯାଇଛି ଯେ ଯାଞ୍ଚ ପାଇଁ ଜିଲ୍ଲାସ୍ତରରେ ସ୍କ୍ବାଡ୍ ଗଠନ ହେବ ଓ ଯେଉଁମାନେ ଏଭଳି ଚଢା଼ ଦାମରେ ବିକ୍ରି କରିବେ ସେମାନଙ୍କ ଲାଇସେନ୍ସ ରଦ୍ଦ ହେବ। କେତେ ମୂଲ୍ୟରେ କିରାସିନି ବିକ୍ରି କରିବେ, େସ ନେଇ ଏକ ବୋର୍ଡରେ ସେମାନେ ଉଲ୍ଲେଖ କରିବେ।

ପ୍ରଶ୍ନ ଉଠୁଛି, ରାସନ୍ କାର୍ଡ ସଂଶୋଧନ କରିବା ଲାଗି ଯୋଗାଣ ବିଭାଗ କାହିଁକି ପଛଘୁଞ୍ଚା ଦେଉଛି? ରାସନ କାର୍ଡରେ କେଉଁଠି ବି ଲେଖିବାର ସୁଯୋଗ ନାହିଁ ଯେ କେତେ ଟଙ୍କା ଦରରେ କିରାସିନି ଯୋଗାଣ ହେଲା। ଏତିକି ଲେଖି ଦିଆଗଲେ, ଜିଲ୍ଲା ପ୍ରଶାସନ କେତେ ଦର ଧାର୍ଯ୍ୟ କଲା ଓ ହିତାଧିକାରୀଙ୍କୁ କେତେ ଟଙ୍କାରେ କେତେ ପରିମାଣର କିରାସିନି ଦିଆଗଲା, ତାହା ଯିଏ ଯେତେବେଳେ ବି ତଦନ୍ତ କଲେ ଜାଣିପାରିବ। ଏମିତି ନ କରି ବ୍ଲାକ୍ ବୋର୍ଡରେ ଲେଖିଲେ ପରେ ଯଦି ଲିଭାଇଦିଆଯାଏ, ତେବେ କାହାକୁ ନେଇ ତଦନ୍ତ ଆଗକୁ ବଢ଼ିବ। ସରକାରଙ୍କର ଯୋଗାଣ ବିଭାଗରେ କେତେ କର୍ମଚାରୀ ଏମିତି ସ୍କାଡ୍‌ରେ ଅଛନ୍ତି ଯେ ଯେଉଁମାନେ ବୁଲି ବୁଲି ହଜାର ହଜାର ଖାଉଟି ସାମଗ୍ରୀ ଯୋଗାଣକାରୀଙ୍କୁ
ଯାଞ୍ଚ କରିବେ?

 

The Indian Express

ଦ୍ବିତୀୟତଃ, ସରକାର ବାର୍ଧକ୍ୟ ଭତ୍ତା, ବିଧବା ଭତ୍ତା ଆଦି ମାସର ଗୋଟିଏ ନିର୍ଦିଷ୍ଟ ଦିନ ବାଣ୍ଟୁଛନ୍ତି। ସେହିଭଳି ଗୋଟିଏ ଦିନରେ ସମଗ୍ର ରାଜ୍ୟରେ କିରାସିନି ଯୋଗାଣରେ ଅସୁବିଧା କଣ ରହିଛି? ହିତାଧିକାରୀ ଚାଉଳ ସହିତ ଏକାଥରକେ ଆସି କିରାସିନି ବି ନେଇକି ଯାଇପାରନ୍ତା। ତୃତୀୟ ପ୍ରସଙ୍ଗଟି ହେଲା, କିରାସିନି ପରିମାଣ କାହିଁକି କମିବ? ସେହିଭଳି ଚଢ଼ା ଦରରେ କିରାସିନି ବିକ୍ରି କରୁଥିବା ଦୋଷୀଙ୍କ ବିରୋଧରେ ଦଣ୍ଡବିଧାନ କରିବା ଲାଗି ସରକାର କାହିଁକି ପଛଘୁଞ୍ଚା ଦେଉଛନ୍ତି? ଯଦି ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକରେ କିରାସିନି ବାବଦରେ ନେଇଥିବା ଅଧିକ ଅର୍ଥ ହିତାଧିକାରୀଙ୍କୁ ଫେରାଗଲା, ଅନ୍ୟଠି ଏକଥା କରିବାରେ ଅସୁବିଧା କେଉଁଠି? ମାହାଙ୍ଗା ନିର୍ବାଚନମଣ୍ଡଳୀରେ ଏକଥା ନ କରିବାକୁ କିଏ କହିଛି? କିଏ ବିଗିଡ଼ିଯିବ ବୋଲି ଭାବି ଜିଲ୍ଲାପାଳମାନେ ଏଭଳି ନିର୍ଦେଶ ଦେଉନାହାନ୍ତି?

ଅନ୍ୟପକ୍ଷରେ ଯୋଗାଣ ବିଭାଗ-ରାଜନେତା-ଡିଲରଙ୍କ ମଧୁଚନ୍ଦ୍ରିକାରୁ ଚାଉଳ କେଳେଙ୍କାରୀ ଘଟଣାରେ ବି ଆହୁରି ସାଂଘାତିକ ପ୍ରସଙ୍ଗ ସାମ୍ନାକୁ ଆସିଲାଣି। ଭାତହାଣ୍ଡିରୁ ଗୋଟିଏ ଚିପିବା ଭଳି କେବଳ ବଲାଙ୍ଗୀର ଜିଲ୍ଲାର କେଳେଙ୍କାରୀକୁ ଉଦାହରଣ ଭାବେ ନେଲେ, ସମଗ୍ର ରାଜ୍ୟର ସ୍ଥିତି ଯେ କେହି ଅନୁମାନ କରିପାରିବ।

ବଲାଙ୍ଗୀର ଜିଲ୍ଲାରେ ବାହାର ରାଜ୍ୟକୁ କାମ କରିବାକୁ ଯାଇଥିବା ଦାଦନଙ୍କ ନାମରେ କେମିତି ଚାଉଳ ଉଠିଲା, ତାହା କାହାକୁ ବୁଝାପଡୁନାହିଁ। ରାଜ୍ୟ ସରକାର ପିଓଏସ୍ େମସିନ୍ ବ୍ୟବସ୍ଥା କରିଛନ୍ତି। ଯେଉଁଥିରେ କୁହାଯାଇଛି, ହିତାଧିକାରୀ ଟିପ ଚିହ୍ନ ଦେଲେ ଯାଇ ଚାଉଳ ଉଠିପାରିବ, ନ ହେଲେ ନାହିଁ।

ବଲାଙ୍ଗୀର ଜିଲ୍ଲାରେ ତଦନ୍ତ ରିପୋର୍ଟ କହୁଛି, ଦାଦନ ତାର ସଂପର୍କୀୟଙ୍କୁ ଚାଉଳ ନେବା ଲାଗି ଅନୁମତି ଦେଇଥିଲେ। ଏମିତି କେମିତି ହେଲା? ଉଭୟ ଦାଦନ ଓ ତାଙ୍କ ସଂପର୍କୀୟ (ଯିଏ ଚାଉଳ ଉଠାଇଛନ୍ତି)ଙ୍କ ଟିପ କଣ ମିଶିଗଲା? ଅନ୍ୟଥା ସେଠାରେ ପିଓଏସ୍ ମେସିନ୍ କାମ କରୁନି ବୋଲି ବୁଝିବାକୁ ହେବ।

ସରକାରଙ୍କ ନିର୍ଦେଶକୁ ବାଏଁ ବାଏଁ ଉଡ଼ାଇ ଦେଇଥିବା ଏହି ବାବୁମାନଙ୍କୁ ଏମିତି କରିବାକୁ କିଏ ଓ କେବେ ଅନୁମତି ଦେଲେ? ବଲାଙ୍ଗୀର ଜିଲ୍ଲାରୁ ଆସିଥିବା ଏଭଳି ପ୍ରମାଣ କେଉଁଠି ନା କେଉଁଠି ସୂଚାଇ ଦେଉଛି ଯେ ପ୍ରଶାସନ ଜାଣତରେ ଏସବୁ ହେଉଛି। ଅନ୍ୟଥା ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ବଲାଙ୍ଗୀର ଜିଲ୍ଲାପାଳ କାହିଁକି ଓ କେଉଁ ପରିସ୍ଥିତିରେ ପଛଘୁଞ୍ଚା ଦେଲେ ତାହା ବୁଝାପଡୁନାହିଁ। ବଲାଙ୍ଗୀର ଜିଲ୍ଲାର ଏହି ଗୋଟିଏ ଘଟଣା ପରେ ଏବେ ସମଗ୍ର ରାଜ୍ୟର କେଉଁ କେଉଁ ଡିଲର ପିଓଏସ୍ ମେସିନ୍ ବ୍ୟବହାର କରୁନାହାନ୍ତି, ତାହାର ତଦନ୍ତ ଆବଶ୍ୟକ। ପିଓଏସ୍ ବ୍ୟବହାର ନ କରି ଚାଉଳ ଦେବା ଲାଗି କିଏ ଏମାନଙ୍କୁ ଅନୁମତି ଦେଲା, ସର୍ବୋପରି ରାଜ୍ୟରେ ଏଭଳି କେତେ ଜଣ ଡିଲର ଆଇନ ଆଖିରେ ଆଙ୍ଗୁଠି ଗେଞ୍ଜି େଯାଗାଣ ବିଭାଗକୁ କେଳେଙ୍କାରୀ ଭିତରେ ଛନ୍ଦି ଦେଇଛନ୍ତି, ତାର ବି ଅନୁଧ୍ୟାନ ହେବା ଆବଶ୍ୟକ।

କୌତୂହଳ କଥା ହେଉଛିି, ରାଜ୍ୟ ସରକାରଙ୍କ ଦୁର୍ନୀତି ନିର୍ବାରଣ ସଂସ୍ଥା ଓ କ୍ରାଇମବ୍ରାଞ୍ଚ ସାଧାରଣଙ୍କ ଲୋକଙ୍କ ଅର୍ଥ ହରିଲୁଟ୍ ପ୍ରସଙ୍ଗ ଘଟଣାରେ ଏ ଯାଏ ହାତ ବାନ୍ଧି ବସିଛନ୍ତି। ନିଜ ଆଡୁ ଅନୁଧ୍ୟାନ କରି ମାମଲା ରୁଜୁ ପାଇଁ ଏମାନଙ୍କୁ କିଏ ଅଟକାଇଛି? ସେହିଭଳି ରାଜ୍ୟରେ ଲୋକାୟୁକ୍ତ ଗଠନ କରାଯାଇଛି। ଲୋକାୟୁକ୍ତ ଯଦି ସାଧାରଣ ଲୋକଙ୍କ ସ୍ବାର୍ଥ ସଂପର୍କିତ ଏହି ପ୍ରସଙ୍ଗରେ ବି ନିରବ ରହିବେ, ତେବେ ଆଉ କେଉଁ ପ୍ରସଙ୍ଗ ତଦନ୍ତ ପାଇଁ ଏଭଳି ଏକ ବିଶାଳ ସାମ୍ବିଧାନିକ ସଂସ୍ଥା କାର୍ଯ୍ୟ କରିବ?

ଉଲ୍ଲେଖଯୋଗ୍ୟ, ବିଜେପି ନେତା ଶାରଦା ପ୍ରଧାନ ମାହାଙ୍ଗା ଅଞ୍ଚଳର କିରାସିନି କେଳେଙ୍କାରୀ ନେଇ ସରକାରଙ୍କୁ ଏକ ଅଭିଯୋଗ ପତ୍ର ଦେବା ପରେ ଏହି ପ୍ରସଙ୍ଗ ଯେ ସାରା ରାଜ୍ୟକୁ ଲମ୍ବିଛି, ଏକଥା ‘ସମ୍ବାଦ’ ଅନୁସନ୍ଧାନରୁ ଜଣାପଡ଼ିଥିଲା। ସେହିଭଳି ଚାଉଳ କେଳେଙ୍କାରୀ ପ୍ରସଙ୍ଗ ବି ‘ସମ୍ବାଦ’ ସାମ୍ନାକୁ ଆଣିଛି।

ସମ୍ବନ୍ଧିତ ଖବର