ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ପିଡିଏସ୍ କିରାସିନି କୋଟା ଯୋଗାଣରେ ବଡ଼ଧରଣର ଦୁର୍ନୀତି ହୋଇଛି! ଜିଲ୍ଲାର ଯେତିକି ସଂଖ୍ୟକ ଖାଉଟିଙ୍କ ପାଇଁ କିରାସିନି କୋଟା ଆସୁଛି, ମାସିକିଆ କୋଟାରୁ ୧୦ହଜାର ଲିଟର୍ କିରାସିନି ବଣ୍ଟା ହେଉନି। ପ୍ରତି ମାସରେ ଏ ୧୦ ହଜାର ଲିଟର୍ କିରାସିନି କୁଆଡ଼େ ଯାଉଛି? ପିଡିଏସ୍ ଧାର୍ଯ୍ୟ ଦର ହିସାବରେ ଏ ବାବଦ ମାସିକ ପ୍ରାୟ ୮ ଲକ୍ଷ ଟଙ୍କାର ହିସାବ ଯୋଗାଣ ବିଭାଗ ପାଖରେ ମଧ୍ୟ ନାହିଁ। କୌଣସି ବିଭାଗୀୟ ଅଧିକାରୀଙ୍କ ପାଖରେ ଏହାର ସ୍ପଷ୍ଟ ଉତ୍ତର ନାହିଁ। ଏପରିକି ଖୋଦ୍ ଜିଲ୍ଲା ଯୋଗାଣ ଅଧିକାରୀ ମଧ୍ୟ ଏ ନେଇ ଅଜ୍ଞ ବୋଲି ଆଜି ମାନିଛନ୍ତି। ମାସିକ କୋଟାରୁ ୧୦ ହଜାର ଲିଟର୍ କିରାସିନି କେଳେଙ୍କାରୀ ନେଇ ‘ସମ୍ବାଦ’ରେ ଗତ ମେ ୨୩ ତାରିଖରେ ଖବର ପ୍ରକାଶ ପାଇଥିଲା। ଏହାପରେ ଯୋଗାଣ ବିଭାଗ ଚେଇଁ ଉଠିଛି। ଖାଉଟିଙ୍କ ପାଇଁ ଆସୁଥିବା କିରାସିନି କାହା ପାଖକୁ ଯାଉଛି, ତା’ର ତଦନ୍ତ କରାଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ପି. ମୁଣ୍ଡା ସୂଚନା ଦେଇଛନ୍ତି।
ଗଞ୍ଜାମ ଜିଲ୍ଲାରେ ସାଧାରଣ ବଣ୍ଟନ ବ୍ୟବସ୍ଥା ଜରିଆରେ ଏନ୍ଏଫ୍ଏସ୍ଏ(ନ୍ୟାସ୍ନାଲ ଫୁଡ୍ ସିକ୍ୟୁରିଟି ଆକ୍ଟ୍)ରେ ୭ଲକ୍ଷ ୩୧ହଜାର ୮୩ ପରିବାରଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଜିଲ୍ଲା ଯୋଗାଣ ବିଭାଗ ଅଧୀନରେ ରହିଥିବା ଖାଉଟି ଡିଲର୍ଙ୍କ ଜରିଆରେ ହିତାଧିକାରୀ ରାସନ୍ କାର୍ଡ଼ ଦ୍ବାରା କିରାସିନି ପାଉଛନ୍ତି। ୧ଲିଟର୍ ହିସାବରେ ୩ମାସର କିରାସିନି ୩ଲିଟର୍ ଏକାଥରକେ ପ୍ରଦାନ କରାଯାଉଛି। ଗଞ୍ଜାମ ଜିଲ୍ଲାରେ ୭ଲକ୍ଷ ୩୧ହଜାର ୮୩ ପରିବାର ଏହି ଯୋଜନାରେ ସାମିଲ ହୋଇଥିବା ବେଳେ ସେମାନଙ୍କ ପାଇଁ ୧ଲିଟର୍ ହିସାବରେ ମାସିକ ୭ଲକ୍ଷ ୩୧ହଜାର ୮୩ ଲିଟର୍ କିରାସିନି ଆସିବା କଥା। କିନ୍ତୁ ସରକାରୀ କୋଟା ଅନୁସାରେ ଏହି ଖାଉଟିଙ୍କ ପାଇଁ ମାସିକ ୭ଲକ୍ଷ ୪୧ହଜାର ୩୧୮ଲିଟର୍ କିରାସିନି ଆସୁଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ। ଯେତିକି ଖାଉଟି କାର୍ଡ଼ ରହିଛି, ତା’ଠାରୁ ପ୍ରାୟ ୧୦ହଜାର ଲିଟର୍ ଅଧିକ କିରାସିନି ପ୍ରତି ମାସରେ ଆସୁଛି।
ସରକାରୀ ନିୟମ ଅନୁସାରେ ପ୍ରତି ୩ମାସରେ ଥରେ ଗୋଟିଏ ରାସନ୍ କାର୍ଡ଼ ପାଇଁ ୩.୧୩୯ ଲିଟର୍ କିରାସିନି ପ୍ରଦାନ କରିବା ବ୍ୟବସ୍ଥା କରାଯାଇଛି। ତଦନୁସାରେ କୋଟା ମଧ୍ୟ ଆସୁଛି। କିନ୍ତୁ ହିତାଧିକାରୀଙ୍କୁ ୩ମାସରେ ୩ଲିଟର୍ କିରାସିନି ଦିଆଯାଉଛି। ଏଣୁ ଅବଶିଷ୍ଟ କିରାସିନି କାହା ପାଖକୁ ଯାଉଛି, ତାହା ନିଶ୍ଚିତ ରୂପେ ତଦନ୍ତ ସାପେକ୍ଷ। ବର୍ତ୍ତମାନ ଖାଉଟି ପ୍ରତି ଲିଟର୍ ପିଛା ଡିଲର୍ ଠାରୁ ୮୦/୮୨ ଟଙ୍କା ଦେଇ କିରାସିନି କିଣୁଛନ୍ତି। ଏହି ହିସାବ ଅନୁସାରେ ମାସିକ ୧୦ହଜାର ଲିଟର୍ କିରାସିନିର ମୂଲ୍ୟ ପ୍ରାୟ ୮ଲକ୍ଷ ଟଙ୍କା ହେବ। ଏହି ୮ଲକ୍ଷ ଟଙ୍କାର କିରାସିନି କୁଆଡ଼େ ଯାଉଛି ତାହା ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯୋଗାଣ ବିଭାଗ ହିସାବରେ ୩ମାସର ଧାର୍ଯ୍ୟ କୋଟା ଅନୁସାରେ କିରାସିନି ଆସୁଛି। କିନ୍ତୁ ଖାଉଟିଙ୍କୁ ୩ଲିଟର୍ ବଣ୍ଟନ ହେଉଛି। ଏହା ଯୋଗାଣ ବିଭାଗ ଅଧିକାରୀଙ୍କ ଜ୍ଞାତସାରରେ ହେଉଛି ନା ଏହା ପଛରେ ଅନ୍ୟ କଣ ରହସ୍ୟ ରହିଛି ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।
ଏ ସମ୍ପର୍କରେ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ମୁଣ୍ଡା କହିଛନ୍ତି, ଖାଉଟିଙ୍କ ପାଇଁ ଧାର୍ଯ୍ୟ କୋଟା ଅନୁସାରେ କିରାସିନି ବଣ୍ଟନ କରା ଯାଇଥାଏ। ଖାଉଟିଙ୍କୁ କମ୍ କିରାସିନି ଯୋଗାଣ ଅଭିଯୋଗର ତଦନ୍ତ କରାଯିବ। ଏ ଦିଗରେ ଏସିଏସ୍ଓମାନଙ୍କୁ ମଧ୍ୟ ଚିଠି କରାଯିବ ବୋଲି କହିଛନ୍ତି।