ଅନୁଗୁଳ/ବନ୍ତଳା : ଅନୁଗୁଳ ଜିଲ୍ଲାରେ ବି କିରାସିନି କେଳେଙ୍କାରୀ ଏବେ ସାମ୍‌ନାକୁ ଆସିଛି। କେତେ‌କ ପଞ୍ଚାୟତରେ ହିତାଧିକାରୀମାନେ ଏପ୍ରିଲ ମାସର କିରାସିନି ଏପର୍ଯ୍ୟନ୍ତ ପାଇନଥିବାବେଳେ ଆଉ କେତେକ ଅଂଚଳରେ ଲିଟର ପିଛା ମନମୁଖି ଟଙ୍କା ନିଆଯାଇଛି। ଜିଲ୍ଲାର ବିଭିନ୍ନ ଅଂଚଳରେ ଲିଟର ପିଛା ୩ ଟଙ୍କାରୁ ଆରମ୍ଭ କରି ୧୩ ଟଙ୍କା ପର୍ଯ୍ୟନ୍ତ ଅଧିକ ନିଆଯାଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି।

Advertisment

ପ୍ରାପ୍ତ ସୂଚନା ଅନୁସାରେ, ହିତାଧିକାରୀଙ୍କୁ ମାସିକ ଦୁଇ ଲିଟର ଲେଖାଏଁ କିରାସିନି ତେଲ ଦେବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ଡିଲରମାନେ ଗତ ଜାନୁଆରି, ଫେବ୍ରୁଆରି, ମାର୍ଚ୍ଚ ତିନି ମାସର କିରାସିନି ହିତାଧିକାରୀଙ୍କୁ ଦେଇଥିବାବେଳେ କେତେକ ଡିଲର ଏପର୍ଯ୍ୟନ୍ତ ଏପ୍ରିଲ ମାସର କିରାସିନି ଦେଇନାହାନ୍ତି। ଅନୁଗୁଳ ବ୍ଲକ ବନ୍ତଳା, ଇକରବନ୍ଧ, ବସଲା, ବଡ଼କନ୍ତକୁଳ,ରନ୍ତଲେଇ ପଞ୍ଚାୟତର କେତେକ ଡିଲର ହିତାଧିକାରୀମାନଙ୍କୁ ଏପ୍ରିଲର କିରାସିନି ତେଲ ଦେଇନଥିବା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ କେତେକ ଡିଲର ମାସକୁ ଦୁଇ ଲିଟର କିରାସିନି ତେଲ ବଦଳରେ ହିତାଧିକାରୀମାନଙ୍କୁ ଦେଢ଼ ଲିଟର କିରାସିନି ଦେଇଥିବା ଅଭିଯୋଗ ହୋଇଛି। ତାହା ପୁଣି ଲିଟର ପିଛା ୩୦ ଟଙ୍କା ଦରରେ ଦିଆଯାଇଛି। ଗୋଟିଏ ପଟେ ଅଧା ଲିଟର କମ୍ ଦିଆଯାଇଥିବା ବେଳେ ଅନ୍ୟପଟେ ଅଧିକ ଦର ବି କଷା ଯାଇଛି। ତେବେ ଛେଣ୍ଡିପଦା ବ୍ଲକରେ ଅନେକ ଡିଲର ହିତାଧିକାରୀମାନଙ୍କଠାରୁ ଲିଟର ପିଛା ୪୦ ଟଙ୍କା ଲେଖାଏଁ‌ ନିଆଯାଇଛି। କିଣିହାଁ ବ୍ଲକର କୁଲୁମା ଓ ଡେରେଂଗ ପଞ୍ଚାୟାତରେ ଲିଟର ପିଛା ୩୫ ଟଙ୍କା ଲେଖାଏଁ ନିଆଯାଇଥିବା ବେଳେ ପବିତ୍ରନଗରରେ ୩୦ ଟଙ୍କା ଲେଖାଏଁ ନିଆଯାଇଛି। ଅପରପକ୍ଷରେ ଆଠମଲ୍ଲିକ ବ୍ଲକର ପାଇକସାହି, ସାପଘରା, ଟାପଢୋଲ, କନ୍ତପଡ଼ା, ମଇମୁରା, ପେଡିପଥର, ସାନହୁଲା ଆଦି ପଞ୍ଚାୟତରେ ହିତାଧିକାରୀମାନଙ୍କୁ ଲିଟର ପିଛା ୨୯ ଟଙ୍କାରେ କିରାସିନି ଦିଆଯାଇଛି। ପାଳଲହଡ଼ା, ବଅଁରପାଳ ଆଦି ବ୍ଲକ ଅଂଚଳରେ ମଧ୍ୟରୁ କେତେକ ସ୍ଥାନରେ ୩୦ ଟଙ୍କା ତ ଆଉ କେତେକ ସ୍ଥାନରେ ୩୨ ଟଙ୍କା ଲେଖାଏଁ ଲିଟର ପିଛା ନିଆଯାଇଛି। ‌ଗୋଟିଏ ଜିଲ୍ଲାର ବିଭିନ୍ନ ବ୍ଲକ ଅଂଚଳରେ ଅଲଗା ଅଲଗା ଦର ନିଆଯାଉଛି।ଅନୁଗୁଳ ବ୍ଲକର ଯୋଗାଣ ବିଭାଗ ଅଧିକାରୀ ସ୍ବର୍ଣ୍ଣପ୍ରଭା ସ୍ବାଇଁଙ୍କୁ ଅନୁସାରେ, ଏପ୍ରିଲ ମାସରେ ଲିଟର ପିଛା ୨୭ ଟଙ୍କା ଦରରେ ହିତାଧିକାରୀମାନଙ୍କୁ କିରାସିନି ଯୋଗାଇବା ଧାର୍ଯ୍ୟ ହୋଇଥିଲା। ଦୁର୍ଗମ ଅଞ୍ଚଳର ଡିଲରମାନେ କଣ୍ଟ୍ରୋଲ ସାମଗ୍ରୀ ନେବାକୁ ବିଳମ୍ବ ହୋଇଥାଏ ବୋଲି ସେ କହିଛନ୍ତି।