ବନ୍ତଳା : ଏପ୍ରିଲ ମାସର କିରାସିନି ଏପର୍ଯ୍ୟନ୍ତ ହିତାଧିକାରୀମାନଙ୍କୁ ମିଳିନାହିଁ। ମାତ୍ର ଜୁନ୍ ମାସର କିରାସିନ ଦିଆଯାଇଥିବା ନେଇ ହିତାଧିକାରୀମାନଙ୍କ କାର୍ଡରେ ଆଗୁଆ ଲେଖି ଦେଇଛନ୍ତି ଡିଲର। କେବଳ ସେତିକି ନୁୁହେଁ, ହିତାଧିକାରୀମାନଙ୍କଠାରୁ ଚଢ଼ାଦରରେ ଟଙ୍କା ନିଆଯାଇଛି। ଏଭଳି ଅନିୟମିତତା ସାମ୍ନାକୁ ଆସିଛି ଅନୁଗୁଳ ବ୍ଲକ ରନ୍ତଲେଇ ପଞ୍ଚାୟତରେ।
ପ୍ରାପ୍ତ ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲା ମୁଖ୍ୟାଳୟଠାରୁ ମାତ୍ର ୭କିମି ଦୂରରେ ଥିବା ରନ୍ତଲେଇ ପଞ୍ଚାୟତର ଡିଲରମାନେ ଏପର୍ଯ୍ୟନ୍ତ ଏପ୍ରିଲ ମାସର କିରାସିନି ଉଠାଇନାହାନ୍ତି। ଦୁର୍ଗମ ଅଞ୍ଚଳରେ ଥିବା ଡିଲରମାନେ ଖାଉଟି ସାମଗ୍ରୀ ଉଠାଇବାରେ ବିଳମ୍ବ କରୁଛନ୍ତି। ରନ୍ତଳେଇ ପଞ୍ଚାୟତ ଚନ୍ଦ୍ରବାହାଳ ଗ୍ରାମର ଡିଲର ମଧ୍ୟ ଏପର୍ଯ୍ୟନ୍ତ ଏପ୍ରିଲ ମାସର କୋଟା ଉଠାଇ ନାହାନ୍ତି। କିଛିଦିନ ତଳେ ଏକ ସଂଗରେ ଜାନୁଆରି, ଫେବ୍ରୁଆରି ଓ ମାର୍ଚ୍ଚ ମାସର କିରାସିନି ହିତାଧିକାରୀମାନଙ୍କୁ ଦେଇଛନ୍ତି। କାର୍ଡ଼ ପିଛା ମାସକୁ ୨ ଲିଟର ଦେବା ବଦଳରେ ମାତ୍ର ୧.୨୫୦ ଲିଟର ହିସାବରେ ୩ ମାସର କିରାସିନି ଦେଇଥିବା କାର୍ଡ଼ର ତାଲିକାରେ ଲେଖିଛନ୍ତି। ତାହା ପୁଣି ଲିଟର ପିଛା ୩୦ ଟଙ୍କା ଦରରେ। ହିତାଧିକାରୀମାନେ ଦୁଇ ଲିଟର କିରାସିନି ପାଇବାକୁ ହକଦାର ଥିବା ବେଳେ ଡିଲର ମନଇଚ୍ଛା କାଣ୍ଟଛାଣ୍ଟ କରିଛନ୍ତି। କେବଳ ସେତିକି ନୁହେଁ, ଏପ୍ରିଲ, ମେ ଓ ଜୁନ୍ ମାସର କିରାସିନ ବଣ୍ଟା ହେବାକୁ ବାକି ରହିଛି। କିନ୍ତୁ, ହିତାଧିକାରୀମାନଙ୍କ କାର୍ଡରେ ଜୁନ୍ ମାସ ପର୍ଯ୍ୟନ୍ତ କିରାସିନି ଦିଆଯାଇଥିବା ଲେଖି ଦେଇଛନ୍ତି। ହିତାଧିକାରୀଙ୍କଠାରୁ କାଟି ରଖିଥିବା ଅବଶିଷ୍ଟ କିରାସିନିକୁ କଳାବଜାରରେ ଅଧିକ ଦରରେ ବିକ୍ରି କରାଯିବ ବୋଲି ହିତାଧିକାରୀମାନେ ସନ୍ଦେହ କରୁଛନ୍ତି।
ଏ ସଂପର୍କରେ ଚନ୍ଦ୍ରବାହାଳ ଗ୍ରାମର ଡିଲର ଶେଷଦେବ ରାଉତଙ୍କୁ ପଚାରିବାରୁ ସେ ପ୍ରଥମେ ତିନି ମାସର କିରାସିନି ଦେଇଥିବା ସ୍ପଷ୍ଟ କରିଛନ୍ତି। ' ଏପ୍ରିଲ ମାସରର କିରାସିନି ଏପର୍ଯ୍ୟନ୍ତ ଉଠାଇନଥିବା କହିଛନ୍ତି। ଜୁନ ମାସ ପର୍ଯ୍ୟନ୍ତ କିରାସିନି ଦିଆଯାଇନାହିଁ, ହିତାଧିକାରୀଙ୍କ କାର୍ଡରେ ସେମିତି ଲେଖିଦିଆଯାଇଛି,' ବୋଲି କହିଛନ୍ତି ଶ୍ରୀରାଉତ।
ତେବେ, ଏହି ଘଟଣା ଜଣାପଡ଼ିବା ପରେ ହିତାଧିକାରୀମାନେ ଏହି ଘଟଣାର ତଦନ୍ତ ଦାବି କରିଛନ୍ତି। ଡିଲରଙ୍କ ସହିତ ଯୋଗାଣ ବିଭାଗର କେତେକ ଅଧିକାରୀ ମିଶିଥିବା ହିତାଧିକାରୀମାନେ ସନ୍ଦେହ କରୁଛନ୍ତି। ଉଚ୍ଚସ୍ତରୀୟ ତଦନ୍ତ ହେଲେ ବହୁ ଲୋକଙ୍କ ମୁଖା ଖୋଲିଯିବ ବୋଲି ସେମାନେ କହିଛନ୍ତି।